Advertisment

Protected, Not Punished: ଦାଗୀଙ୍କ ଭରସାରେ ‘ପୁଲିସ ହାଉସିଂ ବୋର୍ଡ ’: କିଏ ଦେଉଛି ସୁରକ୍ଷା, ଗୃହ ବିଭାଗର ଆପତ୍ତି ସତ୍ତ୍ୱେ ହେଉନି ବଦଳି

ରାଜ୍ୟ ପୁଲିସ ହାଉସିଂ ବୋର୍ଡର କଟକ ଓ ଭୁବନେଶ୍ୱର ଡିଭିଜନ ମାଧ୍ୟମରେ ବିଭିନ୍ନ ପ୍ରକାରର ବଡ଼ବଡ଼ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାଠୁ ଆରମ୍ଭ କରି କୋଟିକୋଟି ଟଙ୍କାର ବିଲ୍ ମଞ୍ଜୁର କ୍ଷମତା ମଧ୍ୟ ଏହି ଦୁଇ ଦାଗୀ ଅଫିସରଙ୍କ ଉପରେ ନ୍ୟସ୍ତ ଥିବା ଜଣାପଡ଼ିଛି ।

police-housing-Board
Advertisment

ରାଜ୍ୟର ବିଜେପି ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନର ଡିଣ୍ଡିମ ପିଟୁଥିବାବେଳେ ‘ଓଡ଼ିଶା ପୁଲିସ ହାଉସିଂ କଲ୍ୟାଣ ବୋର୍ଡ’ ଏବେ ନିଜର ସନ୍ଦେହଜନକ ଗତିବିଧି ପାଇଁ ଚର୍ଚ୍ଚାକୁ ଆସିଛି । ରାଜ୍ୟ ସରକାରଙ୍କ ନାକତଳେ ଓ ଗୃହ ବିଭାଗର ଆପତ୍ତି ସତ୍ତ୍ୱେ ଦୁଇଜଣ ଦାଗୀ ଇଞ୍ଜିନିୟରଙ୍କୁ ଭୁବନେଶ୍ୱର ଓ କଟକ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜୋନ୍ ଟେକି ଦିଆଯାଇଥିବା ଜଣାପଡ଼ିଛି । ମାତ୍ର ୬-୭ବର୍ଷ ପୂର୍ବରୁ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଭିଜିଲାନ୍ସ ଯେଉଁ ୨ଜଣ ଇଞ୍ଜିନିୟରଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ସେମାନେ ଏବେ କିଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ ହୋଇଛନ୍ତି ବୋଲି ପ୍ରଶ୍ନ ଉଠିଛି ।

Advertisment

କେବଳ ସେତିକି ନୁହେଁ ଯେଉଁ ଇଞ୍ଜିନିୟର ପୁଲିସ ହାଉସିଂ ବୋର୍ଡର ଭୁବନେଶ୍ୱର ଜୋନରେ ସହାୟକ ପ୍ରୋଜେକ୍ଟ ଅଫିସର ଥାଇ ଦୁର୍ନୀତି ଅଭିଯୋଗରେ ଜେଲ୍ ଯାଇଥିଲେ ଏବେ ତାଙ୍କୁ ହିଁ ଜୋନ୍ ଦାୟିତ୍ୱ ଟେକି ଦିଆଯାଇଥିବା ସୂଚନା ମିଳିଛି । ବର୍ଷକୁ ପ୍ରାୟ ହଜାରେ କୋଟି ଟଙ୍କାର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ କରୁଥିବା ‘ଓଡ଼ିଶା ପୁଲିସ ହାଉସିଂ ବୋର୍ଡ’ରେ ଏଭଳି ଦାଗୀ ଜେଲ୍ ଫେରନ୍ତା ଅଫିସରଙ୍କୁ ଅବସ୍ଥାପିତ କରାଯିବା ଏବେ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହଘେରକୁ ଟାଣିଛି । 


ଗୃହ ବିଭାଗର ଚେତାବନୀକୁ ଫୁ’, ଦାଗୀଙ୍କୁ ଗୁରୁଦାୟିତ୍ୱ

ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, କୌଣସି ବିବାଦୀୟ ବା ଦାଗୀ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ସିଭିଲ୍ ପ୍ରୋଜେକ୍ଟରେ ନରଖିବା ପାଇଁ ସରକାର ପୂର୍ବରୁ ଏକାଧିକଥର ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । କିନ୍ତୁ ସରକାରଙ୍କ ଏଭଳି ପରାମର୍ଶ ଓ ନିର୍ଦ୍ଦେଶନାମାକୁ ଖାତିର ନକରି ଓଡ଼ିଶା ପୁଲିସ ହାଉସିଂ ବୋର୍ଡରେ ବିକ୍ରମ କିଶୋର ମଲ୍ଲ ଓ ମଙ୍ଗୁଳି କୁମାର ବେହେରାଙ୍କ ଭଳି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଯଥାକ୍ରମେ ବୋର୍ଡର ଭୁବନେଶ୍ୱର ଓ କଟକ ଡିଭିଜନ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ପୁଲିସ ହାଉସିଂ ବୋର୍ଡ ବାର୍ଷିକ ପ୍ରାୟ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରୁଥିବାବେଳେ ଅଧିକାଂଶ ପ୍ରକଳ୍ପ ଭୁବନେଶ୍ୱର ଓ କଟକ ଡିଭିଜନରୁ ସମ୍ପାଦିତ ହୋଇଥାଏ । ମାତ୍ର ଶ୍ରୀ ମଲ୍ଲ ଓ ଶ୍ରୀ ବେହେରାଙ୍କୁ ଭୁବନେଶ୍ୱର ଓ କଟକ ଦାୟିତ୍ୱ ଟେକି ଦେବା ଭଳି ନିଷ୍ପତ୍ତି ବୋର୍ଡର ପ୍ରଶାସନିକ ନିଷ୍ପତ୍ତିକୁ ସନ୍ଦେହଘେରକୁ ଟାଣି ଆଣିଛି । ଯେଉଁ ସଂସ୍ଥା ପୁଲିସ ବିଭାଗ ପାଇଁ ଘର ଓ ଭିତ୍ତିଭୂମି ତିଆରି କରେ, ସେଠାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖିବା ‘ଚୋରକୁ ଚାବି କାଠି' ଦେବା ସଦୃଶ ବୋଲି ଚର୍ଚ୍ଚା ହେଉଛି ।

Advertisment

ଭିଜିଲାନ୍ସ ମାମଲା ଓ ଜେଲରୁ ଫେରି ବି ମିଳୁଛି ଦୁଆଁଳିଆ ପଦବୀ

ସୂଚନା ଅନୁସାରେ, ଓଡ଼ିଶା ପୁଲିସ ହାଉସିଂ ବୋର୍ଡର ଭୁବନେଶ୍ୱର ଡିଭିଜନରେ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ବିକ୍ରମ କିଶୋର ମଲ୍ଲଙ୍କୁ ଭିଜିଲାନ୍ସ ୨୦୧୮ ଏପ୍ରିଲ ୨୧ରେ ଗିରଫ କରିଥିଲା । ସେ ପୁଲିସ ହାଉସିଂ ବୋର୍ଡର ଭୁବନେଶ୍ୱର ଡିଭିଜନରେ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଥିବାବେଳେ ୨୦୧୭ ମାର୍ଚ୍ଚ ୩୧ରେ ଭିଜିଲାନ୍ସ ଚଢ଼ାଉ କରି ୩୦୨ ପ୍ରତିଶତ(୧.୨୧ କୋଟି ଟଙ୍କା) ଅଧିକ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିଲା । ଏପରିକି ତାଙ୍କୁ ପ୍ରାୟ ବର୍ଷକ ପରେ ମଧ୍ୟ ଗିରଫ କରି ଜେଲ୍ ପଠାଇଥିଲା । ମାତ୍ର ସେ ଜେଲରେ ଫେରିବା ପରେ ପୁଣିଥରେ ସେହି ଭୁବନେଶ୍ୱର ଡିଭିଜନରେ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଭାବେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛନ୍ତି । ଆଉ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ହୋଇଛି । ଭିଜିଲାନ୍ସରେ ଏବେବି ମାମଲା ଚାଲିଛି ଓ ତାଙ୍କୁ କ୍ଲିନଚିଟ୍ ମିଳିନାହିଁ ।

ସେହିପରି ବୋର୍ଡର କଟକ ଡିଭିଜନରେ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ମଙ୍ଗୁଳି କୁମାର ବେହେରା । ସେ ରାଜ୍ୟ ଗୃହନିର୍ମାଣ ବୋର୍ଡରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ବଡ଼ଧରଣର ଆର୍ଥିକ ଅନିୟମିତତା ଅଭିଯୋଗରେ ୨୦୧୮ ଡିସେମ୍ବର ୨୨ତାରିଖରେ ଭିଜିଲାନ୍ସ ତାଙ୍କର କଟକ ନିଶ୍ଚିତକୋଇଲିସ୍ଥିତ ପୈତୃକ ଘର ସମେତ ଭବାନୀପାଟଣା ଓ ଭୁବନେଶ୍ୱର ଘରେ ମଧ୍ୟ ଚଢ଼ାଉ କରିଥିଲା । ସେ ଏବେବି ଭିଜିଲାନ୍ସଠୁ କ୍ଲିଅରାନ୍ସ ପାଇନଥିବାବେଳେ ତାଙ୍କୁ ପୁଲିସ ହାଉସିଂ ବୋର୍ଡର କଟକ ଡିଭିଜନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଛି । 


ଦାଗୀଙ୍କୁ ଦାୟିତ୍ୱ, ସନ୍ଦେହଘେରରେ ଶୀର୍ଷ ପଦାଧିକାରୀ

ପୂର୍ବରୁ ବିଭିନ୍ନ ସମୟରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ରାଜ୍ୟ ପୁଲିସ ହାଉସିଂ ବୋର୍ଡର କଟକ ଓ ଭୁବନେଶ୍ୱର ଡିଭିଜନ ମାଧ୍ୟମରେ ବିଭିନ୍ନ ପ୍ରକାରର ବଡ଼ବଡ଼ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାଠୁ ଆରମ୍ଭ କରି କୋଟିକୋଟି ଟଙ୍କାର ବିଲ୍ ମଞ୍ଜୁର କ୍ଷମତା ମଧ୍ୟ ଏହି ଦୁଇ ଦାଗୀ ଅଫିସରଙ୍କ ଉପରେ ନ୍ୟସ୍ତ ଥିବା ଜଣାପଡ଼ିଛି ।
ବିଭିନ୍ନ ଥାନା ନିର୍ମାଣ, ବାଟାଲିୟନ କୋଠା ଓ ପୁଲିସ ଆବାସିକ ପ୍ରୋଜେକ୍ଟଗୁଡ଼ିକର ଟେଣ୍ଡରଠୁ ଆରମ୍ଭ କରି ବିଲ୍ ପାସ୍ ପର୍ଯ୍ୟନ୍ତ ଏହି ଦୁଇ ଅଫିସର ବୁଝୁଥିବା ସୂଚନା ମିଳିଛି । ଏପରିକି କିଛି ନିର୍ଦ୍ଦିଷ୍ଟ ଠିକାଦାର ଗୋଷ୍ଠୀଙ୍କ ଚାପରେ ସମ୍ପୃକ୍ତ ଦାଗୀ ଅଫିସର ଦ୍ୱୟଙ୍କ ଅତୀତର କଳାକାରନାମା ଜାଣି ମଧ୍ୟ ସେମାନଙ୍କୁ ସୁରକ୍ଷା ଦିଆଯାଉଥିବା ଚର୍ଚ୍ଚା ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe