Advertisment

Landmark Move: ରାଜ୍ୟରେ ଗୁଟଖା,ତମାଖୁ-ପାନମସଲା ବିକ୍ରି ଓ ଉତ୍ପାଦନ ସମ୍ପୂର୍ଣ୍ଣ ନିଷିଦ୍ଧ, ଗଳାବାଟ ବି ବନ୍ଦ

ଏହି କଟକଣା କେବଳ ଗୁଟଖା ବା ପାନମସଲା ନୁହେଁ, ବରଂ ସୁଗନ୍ଧିତ ତମାଖୁ, ଚୋବାଇବାଯୋଗ୍ୟ ଖାଦ୍ୟ ପଦାର୍ଥ କିମ୍ବା ଅନ୍ୟ କୌଣସି ବି ନାମରେ ଉପଲବ୍ଧ ହେଉଥିବା ନିକୋଟିନଯୁକ୍ତ ସାମଗ୍ରୀ ଉପରେ ମଧ୍ୟ ସମାନ ଭାବେ ଲାଗୁ ହେବ।

author-image
Prakaash Sethi
Gutkha-Ban

File Pic

ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଗୁଟଖା, ପାନମସଲା ଓ ନିକୋଟିନଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ସଂରକ୍ଷଣ, ବିକ୍ରି ଓ ପରିବହନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ୨୦୧୩ ଜାନୁୟାରୀ ୩ ତାରିଖର ବିଜ୍ଞପ୍ତିକୁ ରଦ୍ଦ କରି ତା’ବଦଳରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗତକାଲି (ଜାନୁୟାରୀ ୨୧ତାରିଖ) ଏହି ନୂଆ ବିଜ୍ଞପ୍ତି ଜାରି କରିଛନ୍ତି।

Advertisment

 ପୂର୍ବ ନିୟମରେ ଥିବା ଗଳାବାଟ ଯୋଗୁ ରାଜ୍ୟରେ ଗୁଟଖା-ପାନମସଲା ଓ ନିକୋଟିନଯୁକ୍ତ ତମାଖୁ ଆଦିର ବିକ୍ରି ଅବାଧରେ ଚାଲିଥିବାରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।


ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ଗଳାବାଟ ବନ୍ଦ କଲା ଓଡ଼ିଶା

 ରାଜ୍ୟରେ ୨୦୧୩ ମସିହାରୁ ଗୁଟଖା-ପାନମସଲା ଓ ନିକୋଟିନଯୁକ୍ତ ସାମଗ୍ରୀର ବିକ୍ରି, ଉତ୍ପାଦନ ଓ ପରିବହନ ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ଗଳାବାଟର ଫାଇଦା ଉଠାଇ ରାଜ୍ୟରେ ବେଧଡ଼କ ଭାବେ ଏହା ବିକ୍ରି ହେଉଥିଲା । ଗୁଟଖା ବ୍ୟାନରୁ ବଞ୍ôଚବା ପାଇଁ ପାନମସଲା ଓ ତମାଖୁକୁ ଅଲଗା ଅଲଗା ପ୍ୟାକେଟରେ ବିକ୍ରି କରୁଥିଲେ, ଯାହାକୁ ଗ୍ରାହକ ମିଶାଇ ସେବନ କରୁଥିଲେ । ଏହି ପ୍ରକ୍ରିୟା ବା ଗଳାବାଟକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ସରକାର ନିଜ ନିୟମରେ ସ୍ପଷ୍ଟତା ଆଣିଛନ୍ତି । ଦୁଇଟି ଅଲଗା ପ୍ୟାକେଟରେ ମଧ୍ୟ ଏହି ସାମଗ୍ରୀ ବିକ୍ରି କରିବା ଉପରେ କଟକଣା ଜାରି କରିଛନ୍ତି । ଏହି କଟକଣା ସୁଗନ୍ଧିତ ବା ସେଣ୍ଟେଡ୍ ତମାଖୁ ଉପରେ ମଧ୍ୟ ସମାନ ଭାବେ ଲାଗୁ ହେବ ।

Advertisment

ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ, ୨୦୦୬ ଅନୁଯାୟୀ ତମାଖୁ ଓ ନିକୋଟିନକୁ କୌଣସି ବି ଖାଦ୍ୟ ପଦାର୍ଥରେ ଉପାଦାନ ଭାବେ ବ୍ୟବହାର କରିବା ବେଆଇନ । ଏହି ନୂତନ ନିୟମ ଅନୁସାରେ, କୌଣସି ବି ଖାଦ୍ୟ ପଦାର୍ଥରେ ତମାଖୁ ବା ନିକୋଟିନକୁ ଉପାଦାନ ଭାବେ ମିଶାଇବା ସଂପୂର୍ଣ୍ଣ ନିଷିଦ୍ଧ । ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମରେ ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ସରକାର ଏହି ନିଷ୍ପତ୍ତିି ନେଇଛନ୍ତି ।

ବିଭିନ୍ନ ଢଙ୍ଗରେ ତମାଖୁ ବିକ୍ରି ଉପରେ କଟକଣା, ଯାଂଚ ନିର୍ଦ୍ଦେଶ

ଗୁଟଖା-ପାନମସଲା ଓ ତମାଖୁ ନିଷେଧକୁ ଏଡ଼ାଇବା ପାଇଁ ଉତ୍ପାଦନକାରୀମାନେ ବିଭିନ୍ନ ନାମରେ ଏହାକୁ ବଜାରକୁ ଛାଡ଼ୁଛନ୍ତି । ତେବେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ,ଏହି କଟକଣା କେବଳ ଗୁଟଖା ବା ପାନମସଲା ନୁହେଁ, ବରଂ ସୁଗନ୍ଧିତ ତମାଖୁ, ଚୋବାଇବାଯୋଗ୍ୟ ଖାଦ୍ୟ ପଦାର୍ଥ କିମ୍ବା ଅନ୍ୟ କୌଣସି ବି ନାମରେ ଉପଲବ୍ଧ ହେଉଥିବା ନିକୋଟିନଯୁକ୍ତ ସାମଗ୍ରୀ ଉପରେ ମଧ୍ୟ ସମାନ ଭାବେ ଲାଗୁ ହେବ । ଯଦି କେହି ଏହାକୁ ଖୋଲା ଅବସ୍ଥାରେ ବା ଅଲଗା ପ୍ୟାକେଟରେ ବିକ୍ରି କରନ୍ତି ଯାହାକୁ ଗ୍ରାହକ ସହଜରେ ମିଶାଇ ବ୍ୟବହାର କରିପାରିବେ, ତାହାକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି ।

ସେହିପରି ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୁଲିସ ଡିଜି, ଖାଦ୍ୟ ସୁରକ୍ଷା କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅନ୍ୟ ରାଜ୍ୟରୁ ଏହି ନିଷିଦ୍ଧ ସାମଗ୍ରୀ ଯେପରି ଓଡ଼ିଶା ସୀମା ଭିତରକୁ ପ୍ରବେଶ ନକରେ ସେଥିପ୍ରତି ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାକୁ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ପ୍ରାୟ ୧୬ଟି ରାଜ୍ୟରୁ ଏହି ପାନମସଲା ଓ ଗୁଟଖା ଆସିଥାଏ(gutkha supply chain) । ଏବେ ନୂଆ ନିୟମ ଲାଗୁ ହେବା ପରେ ବାହାର ରାଜ୍ୟରୁ ଆସୁଥିବା ଏହି ମାରାତ୍ମକ ଦ୍ରବ୍ୟର ପରିବହନ ଓ ବିତରଣ ଉପରେ କଡ଼ା ନଜର ରଖାଯିବ। ବିଶେଷକରି ଶିଶୁ ଏବଂ ଯୁବପିଢ଼ିଙ୍କୁ ଏହି ନିଶା କବଳରୁ ରକ୍ଷା କରିବା ପାଇଁ ସରକାର ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ରାଜସ୍ୱ ତୁଳନାରେ ଜୀବନ ମୂଲ୍ୟବାନ

ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଗ୍ଲୋବାଲ୍ ଆଡଲ୍‌ଟ ଟୋବାକୋ ସର୍ଭେର ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ କହୁଛି ଓଡ଼ିଶାର ପ୍ରାୟ ୪୨% ବୟସ୍କ ବ୍ୟକ୍ତି ଧୂମହୀନ ତମାଖୁ ବ୍ୟବହାର କରୁଛନ୍ତି, ଯାହା ଜାତୀୟ ହାରର ପ୍ରାୟ ଦୁଇଗୁଣ ଅଧିକ । ଏହା କେବଳ ପାଟି କିମ୍ବା ଗଳା କ୍ୟାନସର ନୁହେଁ, ବରଂ ପେଟ, ଅଗ୍ନାଶୟ ଓ କିଡନୀ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । 


ଅନ୍ୟପଟେ, ରାଜ୍ୟ ସରକାର ୨୦୧୩ରୁ ଗୁଟଖା ଓ ପାନମସଲା ବିକ୍ରି ଉପରେ କଟକଣା ଜାରି କରିଥିଲେ ମଧ୍ୟ ବିଗତ ୧୦ ବର୍ଷ ମଧ୍ୟରେ ପାନମସଲା, ଗୁଟଖା ଓ ତମାଖୁରୁ ବିପୁଳ ପରିମାଣର ଟିକସ ଆଦାୟ କରିଛନ୍ତି । ଏହି ୧୦ବର୍ଷ ମଧ୍ୟରେ ପ୍ରାୟ ୬୫୯୫କୋଟି ଟଙ୍କା ରାଜସ୍ୱ ସରକାର ପାଇଛନ୍ତି । ୨୦୧୪-୧୫ ଆର୍ଥିକ ବର୍ଷରେ ଏସବୁ ବାବଦରେ ମାତ୍ର ୧୭୪.୭୧ କୋଟି ଟଙ୍କାର ଟିକସ ଆଦାୟ ହେଉଥିବାବେଳେ ୨୦୨୩-୨୪ ବର୍ଷରେ ଏହା ବୃଦ୍ଧି ପାଇ ୧୦୧୨.୫୬ କୋଟି ଟଙ୍କା ଓ ୨୦୨୪-୨୫ ଆର୍ଥିକ ବର୍ଷର ଫେବୃୟାରୀ ସୁଦ୍ଧା ୧୦୪୭.୮୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି ।

ତେବେ ଏତେ ପରିମାଣର ରାଜସ୍ୱ ମିଳୁଥିଲେ ମଧ୍ୟ ସରକାର ଜନସାଧାରଣଙ୍କ ଜୀବନ ବଂଚାଇବାକୁ ପ୍ରାଥମିକତା ଦେଇ ଏହି ବଡ଼ ନିଷ୍ପତ୍ତି(gutkha ban latest update) ନେଇଥିବା ଜଣାପଡ଼ିଛି ।

gutkha ban latest update gutkha supply chain