/odisha-reporter/media/post_attachments/uploads/2020/08/Durga_Puja-777.jpg)
Durga_Puja
କଟକ(ଓଡ଼ିଶା ରିପୋର୍ଟର): ପୂଜା ପାଇଁ ସୋମବାର ଗାଇଡଲାଇନ୍ ଜାରି କରାଯାଇଛି। କିନ୍ତୁ ଏହି ଗାଇଡଲାଇନ୍କୁ ନେଇ ପୂଜା କମିଟିଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଖୋଲାଖୋଲି ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ କହିବ କଥା, ଏବକାର ସ୍ଥିତିକୁ ଦେଖଇ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇ ନାହିଁ। ଗତବର୍ଷ ଯାହା ଥିଲା, ତାକୁ ଥୋଇ ଦେଇଛନ୍ତି। ମୁଣ୍ଡ ନ ଖଟାଇ ଗାଇଡଲାଇନ୍କୁ କପି ପେଷ୍ଟ କରିଛନ୍ତି।
କଟକ ମହାନଗର ପୂଜା କମିଟିର ସଂପାଦକ ତଥା ବିଜେଡି ନେତା ପ୍ରଭାତ ତ୍ରିପାଠୀ କହିଛନ୍ତି, ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିଲେ କରୋନା କିପରି କମିବ ବୁଝାପଡ଼ୁନି। ମୂର୍ତ୍ତିର ଉଚ୍ଚତା କମିବା ସହିତ କରୋନା କମିବାର କି ସମ୍ପର୍କ ଅଛି ବୁଝି ହେଉନି ।
ସରକାର ସର୍ବମୟ କର୍ତ୍ତା। ଗତବର୍ଷର ନିଷ୍ପତ୍ତିକୁ ଏଥର ଆଖି ବୁଜି ସରକାର ଲାଗୁ କରିଦେଲେ। କିଛି ମୁଣ୍ଡ ଖଟାଇବାର ଆବଶ୍ୟକତା ଥିଲା । ମୂର୍ତ୍ତି ରହୁ। ଆଗରେ ପରଦା ଢ଼ାଙ୍କି ପୂଜା କରିବାର ମାନେ କିଛି ନାହିଁ। ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ । ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ ବୋଲି ପ୍ରଭାତ କହିଛନ୍ତି ।
ସେ କହିଛନ୍ତି, ସରକାରଙ୍କ ଅନ୍ୟ କୋଭିଡ ଗାଇଡଲାଇନ୍, ଯେପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ, ପ୍ରୋଶେସନରେ ମା’ଙ୍କୁ ନେଇ ବିସର୍ଜନ ନ କରିବା ଆଦି ଉପରେ ସବୁ କମିଟି ଶତ ପ୍ରତିଶତ ରାଜି। ହେଲେ ସରକାରଙ୍କ ଦ୍ୱାରା ଲାଗୁ ଅନାବଶ୍ୟକ ନିୟମ ଶ୍ରଦ୍ଧାଳୁଙ୍କୁ ଗଭୀର ଆଘାତ ଦେଇଛି।
ସୂଚନାଯୋଗ୍ୟ, ଗତକାଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପାର୍ବଣ ଲାଗି ଗାଇଡଲାଇନ୍ ଜାରି ହୋଇଥିଲା । ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଛି। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି ବୋଲି କୁହାଯାଇଛି ।
ଏଥର ବିସର୍ଜନ ଶୋଭାଯାତ୍ରା ବାରଣ ଥିବାବେଳେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ କୁହାଯାଇଛି । ତେବେ ମଣ୍ଡପ ବା କମିଟି ପକ୍ଷରୁ ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ କରାଯାଇ ପାରିବ ନାହିଁ। ସେହିପରି ପୂଜା ଅବସରରେ ଭୋଜିଭାତ କରିବାକୁ ଅନୁମତି ଦିଆଯିବ ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ସରକାରଙ୍କ ଅନୁମତି ଦେଇଛନ୍ତି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ହୋଇପାରିବ । ତେବେ ଶିକ୍ଷକ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା କୋଭିଡ ଗାଇଡଲାଇନ ମାନି ପୂଜା କରିବାକୁ ଅନୁମତି ଦିଆଯିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
