ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭାଙ୍ଗିବା ମାମଲାରେ ସନ୍ଦିଗ୍ଧ ଅଟକ
ପୁରୀ(ଓଡ଼ିଶା ): ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ। ଖୋର୍ଦ୍ଧା-ପୁରୀ ସୀମାରୁ ତାକୁ ଧରିଛି ପୁଲିସ୍। ଏନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି। ସିସିଟିଭି ଫୁଟେଜରୁ ଏହି ସନ୍ଦିଗ୍ଧକୁ ଚିହ୍ନଟ କରିଥିଲା ପୁଲିସ୍। ସନ୍ଦିଗ୍ଧର ଘର ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର। ସେ ଚୁଲି ଭାଙ୍ଗିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି।
Temple Rosaghara Case –
The suspect identified in CCTV footage has just now been detained. Further interrogation is underway. @odisha_police @cmo_odisha @Puri_Official @MoSarkar5T pic.twitter.com/G0g3Vu34vb
— Puri Police (@SPPuri1) April 5, 2022
ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚୁଲି ଭାଙ୍ଗିଥିବା ସନ୍ଦିଗ୍ଧ ରାତି ଗୋଟାଏ ପାଞ୍ଚ ମିନିଟ୍ରେ ବାଇଶି ପାହାଚ ପାର୍ଶ୍ୱରେ ଥିବା ରୋଷଶାଳାର ପ୍ରବେଶ ପଥ ଦେଇ ଭୋଗମଣ୍ଡପ ଘର ପାଖରେ ପହଞ୍ଚିଥିଲା। ରାତି ଗୋଟାଏ ଛଅ ମିନିଟ୍ ସମୟରେ ସେ ପାଟଅଗଣା ଭିତରକୁ ଯାଇଥିଲା। ସେଠାରୁ ସେ ଗାରଦ ପାହଚ ଦେଇ ନାଟମଣ୍ଡପର ପୋଖରୀଆ ଭିତରକୁ ଯାଇଥିଲା। ତା’ପରେ ସେ ସେଠାରୁ ଗରୁଡ଼ ସ୍ତମ୍ଭ ଦେଇ ମୁଦୁଲି ଦୁଆର ବାଟେ ଚାଲି ଯାଇଥିଲା।
ତେବେ ରାତି ପ୍ରାୟ ଗୋଟାଏ ୧୬ରୁ ୧୭ ମିନିଟ୍ ସମୟରେ ଚୁଲି ଭଙ୍ଗା ଯାଇଥିବା ନେଇ ସେବାୟତମାନେ ଗାରଦରେ ଖବର ଦେଇଥିଲେ। ଠିକ୍ ସେହି ସମୟ ଭିତରେ ଅର୍ଥାତ ରାତି ପ୍ରାୟ ଗୋଟାଏ ୨୭ ମିନିଟ୍ ସମୟରେ ୩ ଜଣ ଜେଟିପି ସମ୍ପୃକ୍ତ ବ୍ୟକ୍ତିକୁ ଧରି ସିଂହଦ୍ୱାର ସମ୍ମୁଖରେ ଛାଡ଼ି ଦେଇଥିଲେ। ତା‘ପରେ ସେ ଫେରାର ହୋଇଥିଲା। ଶ୍ରୀମନ୍ଦିରରୁ ବାହାରିବା ପରେ ସନ୍ଦିଗ୍ଧ ନିଜ ଘର ଖୋର୍ଦ୍ଧାକୁ ଚାଲି ଯାଉଥିଲା। ଏ ସମ୍ପର୍କରେ ଖବର ପାଇ ପୁରୀ ପୁଲିସ୍ ତାକୁ ଧରି ଆଣୁଥିବା ଜଣାପଡ଼ିଛି।
ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।