ରଥ ଉପରେ ରାଜବେଶ ନାମ ବଡ଼ ତଡ଼ଉ ବେଶ

ପୁରୀ(ଓଡ଼ିଶା ରିପୋର୍ଟର): ରାଜବେଶର ଅନ୍ୟନାମ ବଡ ତଡ଼ଉ ବେଶ। ତଡ଼ଉ ଅର୍ଥ ସୁନା। ସୁତରାଂ ରାଜବେଶ ହେଉଛି ଏକ ବଡ଼ ଧରଣର ସୁନା ବେଶ। ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ। ବିଜୟାଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ଆଷାଢ଼ମାସର ଶୁକ୍ଳ ବଡ଼ ଏକାଦଶୀ ଦିନ ଏହି ଦିବ୍ୟ ବେଶ ଅନୁଷ୍ଠିତ ହୁଏ। ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜବେଶ ହେବା ପରେ ସକାଳ ଧୂପ ହୁଏ। ପୌଷ ପୂର୍ଣ୍ଣିମା(ଅଭିଷେକ ପୂର୍ଣ୍ଣିମା)ରେ ସକାଳ ଧୂପ ପରେ […]

sunabesa

  • Published: Sunday, 10 July 2022
  • , Updated: 10 July 2022, 09:03 PM IST

ପୁରୀ(ଓଡ଼ିଶା ରିପୋର୍ଟର): ରାଜବେଶର ଅନ୍ୟନାମ ବଡ ତଡ଼ଉ ବେଶ। ତଡ଼ଉ ଅର୍ଥ ସୁନା। ସୁତରାଂ ରାଜବେଶ ହେଉଛି ଏକ ବଡ଼ ଧରଣର ସୁନା ବେଶ।

ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ। ବିଜୟାଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ଆଷାଢ଼ମାସର ଶୁକ୍ଳ ବଡ଼ ଏକାଦଶୀ ଦିନ ଏହି ଦିବ୍ୟ ବେଶ ଅନୁଷ୍ଠିତ ହୁଏ। ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜବେଶ ହେବା ପରେ ସକାଳ ଧୂପ ହୁଏ। ପୌଷ ପୂର୍ଣ୍ଣିମା(ଅଭିଷେକ ପୂର୍ଣ୍ଣିମା)ରେ ସକାଳ ଧୂପ ପରେ ଓ ରଥ ଉପରେ ରାଜବେଶ ମଧ୍ୟାହ୍ନ ଧୂପ ପରେ ହୁଏ। ଦୋଳପୂର୍ଣ୍ଣିମାରେ ବଲ୍ଲଭ ଭୋଗ ପୂର୍ବରୁ ଏହି ବେଶ ହୁଏ। କେବଳ ରଥ ଉପରେ ରାଜବେଶ ଶ୍ରୀମନ୍ଦିର ବାହାରେ ହୋଇଥାଏ। ରଥ ଉପରେ ରାଜବେଶକୁ ବଡ଼ ତଡ଼ଉ ବେଶ ଓ କାର୍ତ୍ତିକପୂର୍ଣ୍ଣିମାର ରାଜବେଶକୁ  ରାଜରାଜେଶ୍ୱର ବେଶ କହିବା ସମୀଚୀନ।

ରଥ ଉପରେ ରାଜବେଶର ତାଲିକା-

ଶ୍ରୀପୟର-୪, ଶ୍ରୀଭୁଜ-୪(ଦେବୀଙ୍କର ନାହିଁ), କିରୀଟ-୩(ପ୍ରତ୍ୟେକ-୧), କାନ-୬(ପ୍ରତ୍ୟେକ ଦିଅଁଙ୍କର-୨), ବାହାଡ଼ାମାଳି-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତାବିଜ ମାଳି-୧(ଶ୍ରୀଜଗନ୍ନାଥଙ୍କର), ହରିଡ଼ା କଦମ୍ବ ମାଳି-୧(ଶ୍ରୀଜଗନ୍ନାଥଙ୍କର), ବାଘନଖୀ ମାଳି-୧(ଶ୍ରୀଜଗନ୍ନାଥଙ୍କର), କଦମ୍ବ ମାଳି-୪(ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୧, ଦେବୀ ସୁଭଦ୍ରା-୧), ସେବତୀ ମାଳି-୩(ପ୍ରତ୍ୟେକ-୧), ଶ୍ରୀବଳଭଦ୍ରଙ୍କର ହଳ ଓ ମୂଷଳ, ଶ୍ରୀଜଗନ୍ନାଥଙ୍କର ଚକ୍ର, ତିଳକ-୨(ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ଗୋଟିଏ ଲେଖାଏଁ), ଆଡ଼କାନି-୪(ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୨), ଚନ୍ଦ୍ରସୂର୍ଯ୍ୟ-୬(ପ୍ରତ୍ୟେକ ଦିଅଁଙ୍କର ୨ଟି), ଅଳକା-୩(ପ୍ରତ୍ୟେକ ଦିଅଁଙ୍କର ୧ଟି), ଓଡ଼ିଆଣୀ-୩(ପ୍ରତ୍ୟେକଙ୍କର ୧ଟି), ଚନ୍ଦ୍ରିକା-୨(ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ୧ଟି), ତଡ଼କୀ-୨(ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଙ୍କର ୧ଟି ଲେଖାଏଁ), ଶ୍ରୀଜଗନ୍ନାଥଙ୍କର ରୂପା ଶଙ୍ଖ ଗୋଟିଏ।

ଏହି ରାଜବେଶରେ କେବଳ ଶଙ୍ଖଟି ରୁପା। ବାକି ସବୁ ଅଳଙ୍କାର ସୁନା। ରଥ ଉପରେ ହେଉଥିବା ରାଜବେଶରେ ଦୁଇଟି ପ୍ରଧାନ ଅଳଙ୍କାର ନ ଥାଏ। ତାହା ହେଲା ସୁନାର ରାହୁରେଖା ଓ ରତ୍ନ ଚିତା। ରଥଯାତ୍ରା ସମୟରେ ତିନିଦିଅଁଙ୍କ ଶ୍ରୀମୁଖମଣ୍ଡଳରେ ପ୍ରକୃତ ରତ୍ନ ଚିତା ନଥାଏ। ରଥଯାତ୍ରା ଦିନ ପହଣ୍ଡି ଶେଷ ପରେ ଓ ଛେରାପହଁରା ପୂର୍ବରୁ ତିନିଦିଅଁଙ୍କୁ ଗୋଟିଏ ଲେଖାଏଁ ସୋଲ ଚିତା ଲାଗି କରାଯାଏ। ସୋଲ ଚିତା ମଝିରେ ଅଳ୍ପ ପରିମାଣର ସୁନା ଓ ରତ୍ନ ପଥର ବସାଯାଇଥାଏ।

ଓଡ଼ିଶାର କେଉଁ ରାଜାଙ୍କ ଶାସନ କାଳରେ ରାଜବେଶର ପ୍ରଚଳନ କରାଯାଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ୁନାହିଁ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ରାଜା ବୋଲି ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ-୩ୟ(ଖ୍ରୀଷ୍ଟାବ୍ଦ୧୨୧୧-୧୨୩୮) ଘୋଷଣା କରିଥିଲେ। ହୁଏତ ତାଙ୍କ ସମୟରେ ଏହି ବେଶ ପ୍ରଚଳନ ହୋଇଥିବା ଅନୁମାନ କରାଯାଏ। କିଛି ବିଶେଷଜ୍ଞଙ୍କ ମତରେ ସମ୍ରାଟ କପିଳେନ୍ଦ୍ର ଦେବ(ଖ୍ରୀଷ୍ଟାବ୍ଦ ୧୪୩୫-୧୪୬୮) ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ରାଜବେଶର ପ୍ରଚଳନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରାଜକୀୟତା ତାଙ୍କ ରାଜବେଶରେ ପ୍ରତିଫଳିତ ହୁଏ।

Related story