ପୁରୀ (ଓଡ଼ିଶା ରିପୋର୍ଟର): “କଣ ପାଇଁ ହେଲା ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ? ଏହା ପଛରେ କିଏ ଅଛି ? ଷଡ଼ଯନ୍ତ୍ରକାରୀ କିଏ ? ଏ ସବୁ ପ୍ରଶ୍ନର ସତ୍ୟାସତ୍ୟ ଜାଣିବା ପାଇଁ ଅନୁଧ୍ୟାନ ଚାଲିଛି।” ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀଙ୍କ ଏହି ମନ୍ତବ୍ୟରୁ ସ୍ପଷ୍ଟ ମନେ ହେଉଛି ଗତ ବୁଧବାର ଶ୍ରୀକ୍ଷେତ୍ରରେ ହିଂସାକାଣ୍ଡ ପଛରେ ହୋଇଥିଲା ବିରାଟ ଷଡ଼ଯନ୍ତ୍ର। କୌଣସି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଇଶାରାରେ ଘଟିଥିଲା ଧର୍ମଦାଣ୍ଡରେ ହିଂସାକାଣ୍ଡ।
ତାହାଲେ କିଏ ସେ ଷଡ଼ଯନ୍ତ୍ରକାରୀ? ରାଜନେତା, ସେବାୟତ ନା ଆନ୍ଦୋଳନ ଡାକରା ଦେଇଥିବା ସଂଗଠନ? ତାକୁ ନେଇ ଘଣ୍ଟାଚକଟା ଚାଲିଥିବା ବେଳେ ଜିଲ୍ଲାର ୨ଜଣ ବିଜେଡି ବିଧାୟକଙ୍କୁ ସିଧାସଳଖ ଦାୟୀ କରି ପୂରା ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଜଗନ୍ନାଥ ସେନା। ଆଉ ବିଜେପି ଜଗନ୍ନାଥ ସେନା ସହ ସ୍ୱର ମିଳାଇଛି। ତେଣେ ବିଜେଡି କହିଛି ଗୁଣ୍ଡାମି କରି ବିଜେପି ପୁରୀରେ କ୍ଷମତା ଦଖଲ ପାଇଁ ଉଦ୍ୟମ ଚଳାଇଛି।
ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ଗୁଣିଆ ହୋଇ ଛଡ଼ାଇବା ଓ ଡାହାଣୀ ହୋଇ ଲଗାଇବା କାମ ବିଜେଡି କରୁଛି। ଓଡ଼ିଆଙ୍କ ଭାବାବେଗ ସହିତ ଯେପରି ଖେଳୁଛନ୍ତି, ତାହାର ଜବାବ ଲୋକେ ଦେବେ।”
ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି-“ବିଜେପି ଗୁଣ୍ଡାମି କରି ପୁରୀ ଜିଲ୍ଲାରେ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି। ମାତ୍ର ସେମାନେ ସେଥିରେ ସଫଳ ହେବେ ନାହିଁ।”
ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଧାଡ଼ିଦର୍ଶନ ବ୍ୟବସ୍ଥା କରିଥିଲେ। ଯାହାକୁ ନେଇ ତୁମୁଳକାଣ୍ଡ ଘଟିଗଲା, ତାକୁ ଖୋଲାଖୋଲି ବିରୋଧ କରିଛନ୍ତି ରାଜସ୍ୱମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତି। ଏମିତିକି ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇବି।ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବି ବୋଲି ସେ କହିଛନ୍ତି।
ସେପଟେ ଧାଡ଼ି ଦର୍ଶନ ବିରୋଧରେ ୩ ତାରିଖର ହିଂସାକାଣ୍ଡ ଘଟଣାରେ ପୁରୀ ପୁଲିସର ଗିରଫଦାରୀ ଜାରି ରହିଛି। ପୂର୍ବରୁ ୧୧ ଜଣଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଥିବା ବେଳେ ଆଜି ଆଉ ୧୨ ଜଣଙ୍କୁ ଗିରଫ କରିଛି।