Advertisment

Puri ଶ୍ରୀମନ୍ଦିର ନୀତି ବିଭ୍ରାଟ: ୩ ସେବାୟତଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି

ପୁରୀ ଶ୍ରୀମନ୍ଦିରର ସେବାୟତ ରାମକୃଷ୍ଣ ଖୁଣ୍ଟିଆ, ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ଏହି କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ଆସନ୍ତା ସପ୍ତାହକ ମଧ୍ୟରେ ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Odisha Reporter
Srimandir-1

ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ନୀତିକାନ୍ତିରେ ବିଶୃଙ୍ଖଳା ପାଇଁ ୩ଜଣ ସେବାୟତଙ୍କୁ ନୋଟିସ୍ ଜାରି ହୋଇଛି। ଗତ ଫେବୃୟାରୀ ୨୮ତାରିଖରେ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ନୀତି ବିଳମ୍ବ ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ୩ଜଣ ସେବାୟତଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ୩ ସେବାୟତଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ସନ୍ଦେଶ ଦେଇଛନ୍ତି।

Advertisment

ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁସାରେ, ପୁରୀ ଶ୍ରୀମନ୍ଦିରର ସେବାୟତ ରାମକୃଷ୍ଣ ଖୁଣ୍ଟିଆ, ମାଧବ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କୁ ଏହି କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ଆସନ୍ତା ସପ୍ତାହକ ମଧ୍ୟରେ ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନମିଳିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି। 

୨୮ତାରିଖ ଦିନ ସେମାନେ ଅନ୍ୟ ସେବାୟତମାନଙ୍କୁ ନିର୍ଦ୍ଧାରିତ ନୀତି ସମ୍ପାଦନ କରିବାରେ ବାଧା ସୃଷ୍ଟି କରିଥିବା ଓ ଶ୍ରୀମନ୍ଦିର ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ନୋଟିସରେ ଉଲ୍ଲେଖ ରହିଛି।

Advertisment

ସୂଚନା ଅନୁସାରେ, ଫେବୃୟାରୀ ୨୮ତାରିଖରେ ଶ୍ରୀମନ୍ଦିରରେ ଭିଆଇପିଙ୍କୁ ମିଳୁଥିବା ସ୍ୱତନ୍ତ୍ର ସୁବିଧାକୁ ନେଇ କିଛି ସେବାୟତଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହି ବିବାଦ ପରବର୍ତ୍ତୀ ସମୟରେ ଉଗ୍ରରୂପ ଧାରଣ କରିଥିଲା, ଯେଉଁଥିପାଇଁ ତିନିଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି କିଛି ଘଣ୍ଟା ପାଇଁ ମଧ୍ୟ ବନ୍ଦ ରହିଥିଲା। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଶ୍ରୀମନ୍ଦିର ପରିଚାଳନା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଥିଲେ ଯେ, ଶ୍ରୀମନ୍ଦିରର ଅଧିକାଂଶ ସେବାୟତ ନିଷ୍ଠା ଓ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ସେବା ସମ୍ପାଦନ କରୁଛନ୍ତି । କିନ୍ତୁ କେତେକଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ସମଗ୍ର ସେବାୟତ ସମାଜ ଓ ଶ୍ରୀମନ୍ଦିର ପରମ୍ପରାରେ ଆଂଚ ଆସୁଛି। ଆଗାମୀ ଦିନରେ ନୀତି ଯେଭଳି ନିର୍ଦ୍ଧାରିତ ସମୟରେ ହେବ, ସେଥିପ୍ରତି ଦୃଷ୍ଟି ରଖାଯାଇଛି ବୋଲି ସେ କହିଥିଲେ।