Advertisment

Attack: ଲକ୍ଷ୍ମୀ ବସ୍‌ରେ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୪ ଯାତ୍ରୀ ଆହତ

ବସ୍‌ଟି ଆଜି କଣାସରୁ ଗଡ଼ଖାରଦ ଅଭିମୁଖେ ଯାଉଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ବିନ୍ଧଣ ଛକରେ ଏହି ଘଟଣା ଘଟିଥିଲା। ଆକ୍ରମଣକାରୀ ଜଣଙ୍କ ସେହି ବସ୍‌ରେ ଯାତ୍ରା କରୁଥିଲେ।

Bus Accident

ଏହି ବସ୍‌ରେ ଘଟିଛି ଅଘଟଣ Photograph: (OR)

Advertisment

ଲକ୍ଷ୍ମୀ ବସ୍‌ (Laxmi Bus)ରେ ଅଘଟଣ। ଯୁବକଙ୍କ ଆକ୍ରମଣରେ ୪ ଯାତ୍ରୀ ଆହତ। ଯାତ୍ରୀ ଓ ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କୁ କାବୁ କରି ନିସ୍ତୁକ ଛେଚିଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ପୁରୀ ଜିଲ୍ଲାରେ। 

Advertisment

ବସ୍‌ଟି ଆଜି କଣାସରୁ ଗଡ଼ଖାରଦ ଅଭିମୁଖେ ଯାଉଥିବା ବେଳେ ଦିନ ପ୍ରାୟ ୧୦ଟା ବେଳେ ବିନ୍ଧଣ ଛକରେ ଏହି ଘଟଣା ଘଟିଥିଲା। ଆକ୍ରମଣକାରୀ ଜଣଙ୍କ ସେହି ବସ୍‌ରେ ଯାତ୍ରା କରୁଥିଲେ। ତାଙ୍କ ନାଁ ଭରତ ଭୋଇ (୩୫)। ତାଙ୍କ ଘର ସୁକଳ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ଜଣେ ଯାତ୍ରୀଙ୍କୁ ଅଚାନକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆଉ କିଛି ଯାତ୍ରୀ ତାଙ୍କୁ ଅଟକାଇବାକୁ ଉଦ୍ୟମ କଲାବେଳେ ସେମାନଙ୍କୁ ବି ଆକ୍ରମଣ କରିଥିଲେ ଭରତ। ଫଳରେ ୪ ଜଣ ଆହତ ହୋଇଥିଲେ। ତେବେ ପରେ ଯାତ୍ରୀମାନେ ତାଙ୍କୁ କାବୁ କରିଥିଲେ ଓ ପୁଲିସ ଆସିବା ପରେ ତାକୁ ନିଜ ହେପାଜତକୁ ନେଇଥିଲା।

Advertisment

ଯାତ୍ରୀଙ୍କ ମାଡ଼ରେ ଆହତ ଭରତ ଭୋଇକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ୪ ଆହତ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କଣାସ ଡାକ୍ତରଖାନାରେ ଚିକିତ୍ସା କରି ଛାଡ଼ିଦିଆଯାଇଥିବା ବେଳେ ଆଉ ୨ ଜଣଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁରୀ ଏସ୍‌ପି ପ୍ରତୀକ ସିଂହ କହିଛନ୍ତି, କେଉଁ କାରଣରୁ ଏହି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତ ଯେଉଁମାନଙ୍କୁ ଆକ୍ରମଣ କରିଥିଲେ, ସେମାନଙ୍କ ସହିତ ତାଙ୍କର ପୂର୍ବରୁ ଚିହ୍ନାପରିଚୟ ନଥିଲା ବୋଲି ଜଣାପଡ଼ିଛି। ଯେଉଁମାନେ ଅଭିଯୁକ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସେମାନେ ବି ତାଙ୍କ ବିଷୟରେ କିଛି କହିପାରୁନାହାନ୍ତି। 

ଅନ୍ୟପକ୍ଷରେ ଅଭିଯୁକ୍ତର ଆକ୍ରମଣରେ ଆହତ ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ବସ୍‌ରେ ଜଣେ ଯାତ୍ରୀଙ୍କ ହାତ ଅଭିଯୁକ୍ତଙ୍କ ଦେହରେ ବାଜି ଯିବାରୁ ଏହି ଘଟଣା ଘଟିଥିଲା। ଏତିକି କଥାରେ ଅଭିଯୁକ୍ତ ଉତ୍‌କ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ର କାଢ଼ି ଉକ୍ତ ଯାତ୍ରୀଙ୍କୁ ଆକ୍ରମଣ କରିଥିଲେ। ପରେ ପରେ ଅନ୍ୟମାନଙ୍କୁ ଆକ୍ରମଣ କରିଥିଲେ।
ପୁରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଆକ୍ରମଣ ପଛର କାରଣ ପଚାରିଥିଲେ। ଅଭିଯୁକ୍ତ କହିଥିଲେ ଯେ ସେ ଭୁଲ କରି ଦେଇଛନ୍ତି। ଏହା ସହିତ ତାଙ୍କୁ ପିଟିବାରୁ ସେ ଆକ୍ରମଣ କରିଥିବା କହିଥିଲେ। 

ଏହି ଘଟଣାରେ ଗଡ଼ିସାଗଦା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Laxmi Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe