Advertisment

ବଗଲା ପାଇଁ ବିଜେପିର ଡିଜିଟାଲ ପିଟିସନ୍‌, ଜଗନ୍ନାଥପ୍ରେମୀଙ୍କୁ ଆହ୍ୱାନ କଲେ ସମ୍ବିତ ପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କ ପାଖରେ ବଗଲା ଧର୍ମଶାଳା ପ୍ରସଙ୍ଗ ପହଞ୍ଚାଇବା ପାଇଁ ଡିଜିଟାଲ ପିଟସନ୍‌ ଆରମ୍ଭ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ସାଧାରଣ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦଳର ଓଡ଼ିଶା ସଭାପତି ସମୀର ମହାନ୍ତି ଆଜି ଏହି ଅଭିଯାନର ଉନ୍ମୋଚନ କରିଛନ୍ତି। ସମ୍ବିତ ଏହି ଅଭିଯାନ ବାବଦରେ କହିଛନ୍ତି, ବଗଲା ଧର୍ମଶାଳା ପାଇଁ ରାଜରାସ୍ତାକୁ ଯିବା ଏବଂ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ବଗଲା ପାଇଁ ବିଜେପିର ଡିଜିଟାଲ ପିଟିସନ୍‌, ଜଗନ୍ନାଥପ୍ରେମୀଙ୍କୁ ଆହ୍ୱାନ କଲେ ସମ୍ବିତ ପାତ୍ର

Bagala

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କ ପାଖରେ ବଗଲା ଧର୍ମଶାଳା ପ୍ରସଙ୍ଗ ପହଞ୍ଚାଇବା ପାଇଁ ଡିଜିଟାଲ ପିଟସନ୍‌ ଆରମ୍ଭ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ସାଧାରଣ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦଳର ଓଡ଼ିଶା ସଭାପତି ସମୀର ମହାନ୍ତି ଆଜି ଏହି ଅଭିଯାନର ଉନ୍ମୋଚନ କରିଛନ୍ତି।

Advertisment

ସମ୍ବିତ ଏହି ଅଭିଯାନ ବାବଦରେ କହିଛନ୍ତି, ବଗଲା ଧର୍ମଶାଳା ପାଇଁ ରାଜରାସ୍ତାକୁ ଯିବା ଏବଂ ଗଣମାଧ୍ୟମ ପାଖକୁ ଯିବା କୌଣସି ରାଜନୀତିକ ବିଷୟ ନୁହେଁ। ଏହା ସମଗ୍ର ଓଡ଼ିଆ ଜାତି ପାଇଁ ବହୁମୂଲ୍ୟ ବିଷୟ। ସମ୍ବିତ ଏହି ଅବସରରେ ବଗଲା ଧର୍ମଶାଳା ଜମି ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନର ଏନ୍‌ଓସି ଏବଂ ଅନ୍ୟ ଆଇନଗତ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯଦି ସରକାରଙ୍କ ପାଖରେ ସେହି ଏନ୍‌ଓସି ଅଛି ତାହା ଦେଖାନ୍ତୁ।

ସମ୍ବିତ ଆହୁରି ମଧ୍ୟ କହିଥିଲେ, ରାଜ୍ୟ ସଭାପତି ସମୀର ମହାନ୍ତି ଶୁଭରାମ୍ଭ କରିଥିବା ଏହି ଅନଲାଇନ୍ ଦସ୍ତଖତ ଅଭିଯାନର ବହୁତ ବଡ଼ ରେଜଲ୍ଟ ହେବ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ତାଙ୍କ ଓଡ଼ିଆ ବନ୍ଧୁମାନେ ଏଥିରେ ସାମିଲ ହେବାକୁ ଆଗ୍ରହୀ ଥିବା ସେ କହିଛନ୍ତି।

Advertisment

ଚେଞ୍ଜ.ଓଆରଜି ପ୍ଲାଟଫର୍ମରେ [email protected]ରୁ ଏହି ଅନଲାଇନ୍‌ ପିଟିସନ୍‌ କରାଯାଇଛି। ବିଜେପି ପକ୍ଷରୁ ଏହି ଆବେଦନ ସହ କୁହାଯାଇଛି, “ଶ୍ରୀମନ୍ଦିର କରିଡରରେ ଜମି ହରାଇଥିବା ବ୍ୟକ୍ତିମାନେ କ୍ଷତିପୂରଣ ବାବଦକୁ କୋଟିକୋଟି ଟଙ୍କା ପାଇଥିବା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ମାତ୍ର ୬ଜଣଙ୍କୁ, ଗରିବଙ୍କ ଆଶ୍ରୟସ୍ଥଳୀ ପାଇଁ ଦାନସୂତ୍ରରେ ମିଳିଥିବା ଏହି ଧର୍ମଶାଳା ଜମିକୁ ବିକ୍ରି କରିବା ଦ୍ୱାରା କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତ ଏବଂ ସାରା ବିଶ୍ୱରେ ଥିବା ଓଡ଼ିଆମାନଙ୍କର ଭାବାବେଗକୁ ଶକ୍ତ ଆଘାତ ଲାଗିଛି। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଜଗନ୍ନାଥ ସଂସ୍କୃତି ଓ ଓଡିଆ ଭାବାବେଗ ପ୍ରତି ଚରମ ଆକ୍ରମଣର ନମୁନା।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ଅନୁରୋଧ ଗରିବ ତୀର୍ଥ ଯାତ୍ରୀଙ୍କ ଆଶ୍ରୟସ୍ଥଳୀ ବଗଲା ଧର୍ମଶାଳାରୁ ବିକ୍ରି ହୋଇଥିବା ୬ଟି କବଲାକୁ ରଦ୍ଦ କରିବା ସହିତ କେନ୍ଦ୍ରୀୟ ଅନୁଦାନର ସଦୁପଯୋଗରେ ଏହି ଧର୍ମଶାଳାକୁ ପୁନଃନିର୍ମାଣ କରିବେ l”

ସୂଚନା ଅନୁସାରେ ପୁରୀ ବଳଗଣ୍ଡି ମୌଜାରେ ବଡ଼ଦାଣ୍ଡରେ ଦଣ୍ଡାୟମାନ ଏହି ପୁରାତନ ଧର୍ମଶାଳାକୁ ୧୯୦୫ ମସିହାରେ କହ୍ନେୟାଲାଲ ବଗଲା ନାମକ ଜଣେ ବଦାନ୍ୟ ବ୍ୟକ୍ତି ଦାନ ସୂତ୍ରରେ ଅର୍ପଣ କରିଥିଲେ। ସେତେବେଳେ ଏହାର ଦାୟିତ୍ୱ ତତ୍କାଳୀନ ପୁରୀ ଜିଲ୍ଲାପାଳ ତଥା ସେ ସମୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ଲଜିଂ ହାଉସ୍ ଫଣ୍ଡ କମିଟି ସଭାପତିଙ୍କୁ ଦାନ କରିଥିଲେ। ଆଉ ସେବେଠାରୁ ସ୍ୱଳ୍ପ ମୂଲ୍ୟରେ ଏମିତିକି ୫୦ରୁ ୨ଶହ ଟଙ୍କାରେ ଯାତ୍ରୀ ଓ ଭକ୍ତଙ୍କୁ ରହଣୀ ପାଇଁ କୋଠରୀ ସୁବିଧା ମିଳୁଥିଲା। ଗତବର୍ଷ ଏହି ଧର୍ମଶାଳାର ଆଧୁନିକୀକରଣ ଲାଗି କେନ୍ଦ୍ର ସରକାରଙ୍କ ଅବଢ଼ା ଯୋଜନାରେ ପ୍ରାୟ ୧୮ କୋଟି ଟଙ୍କା ଆସି ୨ କୋଟି ଟଙ୍କାର କାମ ମଧ୍ୟ ଚାଲିଥିଲା ।

ତେବେ ଏହାପରେ ହଠାତ ଏହି ଜମିର କିଛି ଅଂଶ ବିକ୍ରିହେବାକୁ ନେଇ ବିରୋଧୀ ତାତିଥିଲେ। ଏହାକୁ ଏକ ବଡ଼ ସ୍କାମର ଆଖ୍ୟା ଦେବା ସହ ଜମି ହଡ଼ପ୍ ପାଇଁ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲା କଂଗ୍ରେସ । ତେଣେ ଲଜ୍ ମାଲିକଙ୍କୁ କାହିଁକି ବଗଲା ଜମିରେ ଥଇଥାନ କରାଗଲା ବୋଲି ପ୍ରଶ୍ନ କରିଥିଲା ବିଜେପି । ପୁରୀ ଜିଲ୍ଲାପାଳ ମଧ୍ୟ ବିକ୍ରି ଘଟଣାକୁ ଏକ ପ୍ରକାର ସ୍ୱୀକାର କରି ଧର୍ମଶାଳା ଜମିର ମାତ୍ର ୧୨.୨୩ ପ୍ରତିଶତ ବିକ୍ରି ଲାଗି ବ୍ୟବସ୍ଥା ହୋଇଥିବା କହିଥିଲେ। ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ଉଭୟ ଆଇନଗତ ଓ ସାଂସ୍କୃତିକ ଦିଗକୁ ପ୍ରସଙ୍ଗ କରି ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।