Advertisment

ନକଲି ମହାପ୍ରସାଦ ପ୍ରସ୍ତୁତ ଓ ଚାଲାଣ ଚାଲିଥିଲା; ଗଣମାଧ୍ୟମକୁ ଦେଖି ରୋଷେୟା ଛୁ

ପୁରୀ ଲୋକନାଥରୋଡ୍‌ ଅନ୍ତର୍ଗତ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Fake Mahaprasad

Fake Mahaprasad

Advertisment

ଭକ୍ତଙ୍କ ବିଶ୍ୱାସ ସହିତ ସାଂଘାତିକ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ଲୁଚାଛପାରେ ପ୍ରସ୍ତୁତ ଓ ବିକ୍ରି ହେଉଛି ନକଲି ଅବଢ଼ା। ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି। ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍‌ ସେହିପରି ଆଜି ରୋଷେଇ ହୋଇ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ନକଲି ମହାପ୍ରସାଦ ଧରାପଡ଼ିଛି। ପୁରୀ ଲୋକନାଥରୋଡ୍‌ ଅନ୍ତର୍ଗତ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଏହି ରାକେଟ ଚାଲିଥିବା ଅନୁମାନ କରାଯାଉଛି।

Advertisment

ସାହିରେ ଥିବା ସାପୁଆ ମଠ ନାମକ ସ୍ଥାନରେ ରୋଷେଇ ନିମନ୍ତେ ସମସ୍ତ ସାମଗ୍ରୀ ଏକାଠି କରାଯାଇଥିଲା। ନଡ଼ିଆ କୋରାଯିବା ସହ ପରିବା କାଟି ଏଠାରେ ରଖା ଯାଇଥିଲା। ଏହି ମଠ ନିକଟ ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଇଛି। ଖୁବ୍ ଅପରିଷ୍କାର ପରିବେଶରେ ଏହି ରୋଷେଇ ଚାଲିଥିଲା। ଗଣମାଧ୍ୟମ ପହଞ୍ଚିବା ବେଳକୁ ବହୁ ସଂଖ୍ୟକ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତି ପ୍ରସ୍ତୁତ ହୋଇ ପଶି ସାରିଥିବା ବେଳେ ଆହୁରି ଅନେକ କୁଡ଼ୁଆରେ ଭାତ, ଡାଲି, ସାଦାବେସର, ମହୁର ପ୍ରଭୁତି ପ୍ରସ୍ତୁତ କରିବାକୁ ରୋଷେୟା ଓ ଯୋଗାଣିଆ କାମରେ ଲାଗିଥିଲେ। ଟପ୍‌ ଓ କରେଇରେ ରୋଷେଇ କରାଯିବା ପରେ ଏହାକୁ କୁଡୁଆରେ ପ୍ୟାକ୍‌ କରାଯାଉଥିଲା। ପରେ କୁଡ଼ୁଆକୁ କୋଇଲା ଆଞ୍ଚ ଉପରେ ରଖାଯାଇ ଏହାକୁ ଅସଲି ରୂପ ଦେବାକୁ ସବୁ ପ୍ରୟାଶ କରାଯାଉଥିଲା। ଯେପରି ଲୋକଙ୍କୁ ଲାଗିବ ଏହା ସତ ମହାପ୍ରସାଦ। ଏହି ମଠରେ ବହୁ ସଂଖ୍ୟକ କୁଡ଼ୁଆ, ନଡ଼ିଆ, ଚାଉଳ, ପନିପରିବା ପ୍ରଭୃତି ମହଜୁଦ୍ ଥିବା ଦେଖିବାକୁ ମିଳୁଥିବାରୁ ଏହି ସ୍ଥାନକୁ ଏକ ନକଲି ମହାପ୍ରସାଦ ବିକ୍ରି ଓ ଯୋଗାଣ ଆଡ୍ଡାରେ ପରିଣତ କରାଯାଇଥିବା ଜଳଜଳ ଦିଶୁଛି। ଅବିକଳ ମହାପ୍ରସାଦ ଭଳି ଏହାକୁ କାହିଁକି କୁଡ଼ୁଆରେ ରଖାଯାଉଛି ଓ କେଉଁ ଉଦ୍ଦେଶ୍ୟରେ, କାହାକୁ ପଠାଯାଉଛି ବୋଲି ପ୍ରଶ୍ନ କରିବାରୁ ରୋଷେୟା, ଯୋଗାଣିଆ ସମେତ କାମ କରୁଥିବା ଲୋକମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ।

ତେବେ ଏଠାରେ ରୋଷେଇ କରୁଥିବା ଜଣେ ମାତ୍ର ରୋଷେୟା କହିଛନ୍ତି, ଶ୍ରୀମନ୍ଦିରରେ ଠାକୁର ଅଣସରରେ ଅଛନ୍ତି। ତେଣୁ ମହାପ୍ରସାଦ ବାହାରୁନି। ସମସ୍ତେ ଏକଥା ଜାଣନ୍ତି। ଏହି ଟେଣ୍ଡରେ ଯେଉଁ ରୋଷେଇ ହେଉଛି ନିକଟସ୍ଥ ଏକ ସାହିକୁ ଯିବ। ସେଠାରେ ଏକ ଦଶାହ କାର୍ଯ୍ୟରେ ଲାଗିବ। ଭୁବନେଶ୍ୱର ଓ ଅନ୍ୟସ୍ଥାନରୁ ଲୋକେ ଆସି ଖାଇବେ। ଅର୍ଡର ମୁତାବକ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରଭୃତିକୁ କୁଡ଼ୁଆରେ ଭର୍ତ୍ତି କରି ଦିଆଯାଉଛି। ଗୋପାଳ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ କହିବା ମୁତାବକ ସେମାନେ ଏହି ରୋଷେଇ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।

Advertisment
Fake Mahaprasadନକଲି ମହାପ୍ରସାଦ

ଏଭଳି ଘଟଣାକୁ ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ସେବାୟତ ନିନ୍ଦା କରିଛନ୍ତି। ଲୋକଙ୍କ ଭାବାବେଗକୁ ଏଭଳି ଆଘାତ କରିବା ଅଦୌ ଠିକ୍‌ ନୁହେଁ ବୋଲି ସେମାନେ ମତ ଦେଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁ ନ ଥିବା ଭକ୍ତ ମାନଙ୍କୁ କୁହାଯାଉଛି। ଅନେକ ଭକ୍ତ ଏ ନେଇ କିଛି ଜାଣି ନ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି। କିଛି ଅସାଧୁ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡାଲି, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା କରିଥିବା ଅଭିଯୋଗ କରିଛନ୍ତି।

Fake Mahaprasadନକଲି ମହାପ୍ରସାଦ ପ୍ରସ୍ତୁତ ଚାଲିଛି

ତେବେ ଶେଷ ଖବର ସୁଦ୍ଧା ଏଭଳି ଜଘଣ୍ୟ କାଣ୍ଡ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏଭଳି ଅସାଧୁ କାରବାର ତୁରନ୍ତ ବନ୍ଦ ନହେଲେ ମହାପ୍ରସାଦ ନାମରେ ବେଆଇନ କାରବାର ବୃଦ୍ଧି ଆଶଙ୍କା ପ୍ରକାଶ ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଘଟଣାକୁ ହାଲ୍‌କା ଭାବେ ନେଇ କହିଛନ୍ତି, ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ।

ରିପୋର୍ଟ- ପୁରୀରୁ ମଧୁସୂଦନ ମିଶ୍ର । 

Puri Fake Item Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe