Advertisment

ମହାପ୍ରଭୁଙ୍କ ନାଁରେ ଠକେଇ: ‘ଉତ୍ସବ’ ପରେ ‘ଶାଲିଗ୍ରାମ ଶାଳ’ ଆପ୍‌

ଶାଲିଗ୍ରାମ୍‌ ଡଟ୍‌ କମ୍‌ ନାଁରେ ଖୋଲିଥିବା ୱେବସାଇଟରେ ବ୍ରାହ୍ମଣ ଭୋଜନବେଳର ଏକ ଫଟୋ ପକାଯାଇ ଦର ସ୍ଥିର କରାଯାଇଛି। ଯେମିତିକି ୧୧ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେବାକୁ ଚାହିଁଲେ ୬ ହଜାର ଟଙ୍କା ଅର୍ଥାତ୍ ୭୯ ଆମେରିକୀୟ ଡଲାର ଦେବାକୁ ପଡ଼ିବ।

Puri

Puri

Advertisment

ଥମୁନି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଅନ୍‌ଲାଇନ ଠକେଇ। ‘ଉତ୍ସବ’ ପରେ ‘ଶାଲିଗ୍ରାମ୍‌ ଶାଳ’ ନାମକ ଆଉ ଏକ ଆପ୍‌। ଯେଉଁ ସଂସ୍ଥା ମହାପ୍ରଭୁଙ୍କ ନାଁରେ ଶ୍ରଦ୍ଧାଳୁଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନ୍‌ଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍‌ରେ ଚଳାଇଛି ଚିଟିଂ। ଏହା ବିରୋଧରେ ସିଂହଦ୍ୱାର ଥାନାରେ ଆଜି ଲିଖିତ ଅଭିଯୋଗ ହୋଇଛି।

Advertisment

ଶାଲିଗ୍ରାମ୍‌ ଡଟ୍‌ କମ୍‌ ନାଁରେ ଖୋଲିଥିବା ୱେବସାଇଟରେ ବ୍ରାହ୍ମଣ ଭୋଜନବେଳର ଏକ ଫଟୋ ପକାଯାଇ ଦର ସ୍ଥିର କରାଯାଇଛି। ଯେମିତିକି ୧୧ ଜଣ ବ୍ରାହ୍ମଣଙ୍କୁ ଭୋଜନ ଦେବାକୁ ଚାହିଁଲେ ୬ ହଜାର ଟଙ୍କା ଅର୍ଥାତ୍ ୭୯ ଆମେରିକୀୟ ଡଲାର ଦେବାକୁ ପଡ଼ିବ। ତା’ ପୁଣି ୫୦% ଡିସ୍‌କାଉଣ୍ଟ ରେଟ୍‌ରେ। ସେମିତି ଜଗନ୍ନାଥଙ୍କ ପୂଜା ମନ୍ତ୍ର ଜପ ଓ ଯଜ୍ଞ ପାଇଁ ୫୦ ପ୍ରତିଶତ ରିହାତିରେ ରେଟ୍‌ ରହିଛି ସାଢ଼େ ୪ ହଜାର ଟଙ୍କା ବା ୫୯ ଡଲାର। ଖାଲି ସେତିକି ନୁହେଁ, ତିନି ବିଗ୍ରହଙ୍କ ପୂଜା ପାଇଁ ୧୧ ହଜାର ୫୦୦ ଟଙ୍କା, ତିନିଜଣ ପୂଜକଙ୍କ ଦ୍ୱାରା ସିଦ୍ଧ ପୂଜା ଗୋଟିଏ ଦିନ କରିବାକୁ ୧୨ ହଜାର ଟଙ୍କା ବା ୧୫୯ ଡଲାର ଲାଗିବ ବୋଲି ରେଟ୍ ସ୍ଥିର କରିଛି ସଂପୃକ୍ତ ସଂସ୍ଥା।

ସମ୍ପୃକ୍ତ ଠକ ସଂସ୍ଥା ବିରୋଧରେ ଆଜି ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ। ସେ କହିଛନ୍ତି, ଏହା ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ବିରାଟ ଖେଳ। ବିଶ୍ୱସ୍ତରରେ ଏଭଳି ଠକେଇ ମହାପ୍ରଭୁଙ୍କ ଛବିକୁ ନିନ୍ଦିତ କରୁଛି। ଯିଏ ଏଭଳି ଖଳ କାମରେ ସଂପୃକ୍ତ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେପଟେ ଏଭଳି ଠକେଇକୁ ଭକ୍ତ ମହଲରେ ମଧ୍ୟ ଘୋର ନିନ୍ଦା କରାଯାଇଛି।

Advertisment

ସେପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଏଭଳି ଜାଲ୍ ଆପ୍‌ ମାଧ୍ୟମରେ ଭକ୍ତ ଦେଉଥିବା ଦାନରୁ ଟଙ୍କାଟିଏ ମହାପ୍ରଭୁଙ୍କ ସେବାରେ ଲାଗୁନାହିଁ। ଭକ୍ତମାନେ ଠାକୁରଙ୍କୁ ଦାନ ଦେବାକୁ ଚାହିଁଲେ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ସାହାଯ୍ୟ ନେଇପାରିବେ। ଦରକାର ପଡ଼ିଲେ ନିଜ କୌଳିକ ପଣ୍ଡାଙ୍କ ସହଯୋଗ ମଧ୍ୟ ଲୋଡ଼ି ପାରିବେ। ତେବେ ଏଭଳି ଆପ୍‌ ଖୋଲିବାରେ ଯଦି ଶ୍ରୀମନ୍ଦିରର କୌଣସି ସେବକ କିମ୍ବା ପୁରୀ ବାସିନ୍ଦା ସଂପୃକ୍ତଥାନ୍ତି, ତାହାହେଲେ ସେମାନଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ଏପରି ଅନ୍‌ଲାଇନ୍‌ ଠକେଇକୁ ଗୁରୁତ୍ୱର ସହ ନେଇଛି। ଆଇଟି ସେଲର ସହାୟତା ନେଇ ସଂପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଏତଲା ଦିଆଯିବ ବୋଲି କୁହାଯାଇଛି।

ଗତ ମାସରେ ‘ଉତ୍ସବ’ ଆପ୍‌ ମାଧ୍ୟମରେ ଏକ ସଂସ୍ଥା ମଧ୍ୟ ଶ୍ରୀମନ୍ଦିରରେ ପୂଜା, ମହାପ୍ରସାଦ ଯୋଗାଇବା ଓ ପତାକା ବାନ୍ଧିବା ଆଦି କାର୍ଯ୍ୟ ପାଇଁ ଭକ୍ତଙ୍କ ଠାରୁ ଅନ୍‌ ଲାଇନରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ଅସିଥିଲା। ଯାହା ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ପରେ ଆସନ୍ତା ୭ ତାରିଖରେ ସଂପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ପୁଲିସ୍‌ ନିକଟରେ ହାଜର ହେବାର ଦିନ ଧାର୍ଯ୍ୟ ହୋଇଛି।

Puri Shreemandir Puri Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe