Advertisment

ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ନେଇ ଗଜପତି ମହାରାଜାଙ୍କ ଉଦ୍‌ବେଗ

ସେ କହିଛନ୍ତି, ଏଏସ୍‌ଆଇ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ରତ୍ନଭଣ୍ଡାର ଭିତର କାନ୍ଥ ଭଲ ନାହିଁ। ଫାଟ ଅଛି, ବର୍ଷା ହେଲେ ପାଣି ପଶୁଛି। ରତ୍ନଭଣ୍ଡାର ମରାମତି ନିହାତି ଦରକାର।

ଅଦ୍ୟତନ ହୋଇଛି
Gajapati Maharaja of Puri

Gajapati Maharaja of Puri

Advertisment

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଗଣତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନ ମନୋଭାବ ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁହଁ ଖୋଲିବା ପରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ସମାନ ଢଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏଏସ୍‌ଆଇ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ରତ୍ନଭଣ୍ଡାର ଭିତର କାନ୍ଥ ଭଲ ନାହିଁ। ଫାଟ ଅଛି, ବର୍ଷା ହେଲେ ପାଣି ପଶୁଛି। ରତ୍ନଭଣ୍ଡାର ମରାମତି ନିହାତି ଦରକାର। ପୂର୍ବରୁ କେବେ ମରାମତି ହୋଇଛି ଜଣାନାହିଁ।

Advertisment

ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାର ଅନୁଧ୍ୟାନ ଆବଶ୍ୟକ। ଏନେଇ ଆଇନରେ ବ୍ୟବସ୍ଥା ରହିଛି। ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ରତ୍ନର ଗଣତି କରି ମନ୍ଦିର ଭିତରେ ନିରାପଦ ଓ ସୁରକ୍ଷିତ ରଖିବା ଜରୁରୀ। ନଚେତ ମରାମତି ହୋଇପାରିବ ନାହିଁ। ଏନେଇ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରିସାରିଛି। ରାଜ୍ୟ ସରକାର ନିଷ୍ପତ୍ତି ନେଲେ କାମ ହେବ। ଆମର ବିଶ୍ୱାସ ରତ୍ନଭଣ୍ଡାର ଭିତରେ ଦୁର୍ମୁଲ୍ୟ ଅଳଙ୍କାର ସୁରକ୍ଷିତ ଅଛି।

କମିଟି ନିବେଦନ ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଇନରେ ଏହାର ବ୍ୟବସ୍ଥା ଅଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ଉଦ୍ୟମ ହୋଇଥିଲା ପୂର୍ବରୁ ତାହା ବିଫଳ ହେଲା। ଭିତର ଭଣ୍ଡାରର ସେ ସମୟରେ ଚାବି ମିଳିଲା ନାହିଁ, କମିଶନ ବସିଲା। ଯେତେଶୀଘ୍ର ରତ୍ନଭଣ୍ଡାର ଖୋଲି ମରାମତି ହେବ ସେତେ ଭଲ ବୋଲି ଗଜପତି ମହାରାଜା କହିଛନ୍ତି।

Advertisment

ସୂଚନା ଥାଉକି, ପ୍ରାୟ ୫ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ଖରାପ ଥିବା ଜଣାପଡ଼ିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନଥିବାରୁ ସେବାୟତ ଓ ଭକ୍ତ ମହଲରେ ମଧ୍ୟ ଉଦବେଗ ବଢ଼ିବାରେ ଲାଗିଛି। ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମବେଳେ ସରକାରଙ୍କ ଦାୟିତ୍ୱହୀନତାରୁ ହିଁ ସବୁ ସ୍ପଷ୍ଟ ହୋଇସାରିଥିଲା। ଚାବି ହଜିବା କାରଣରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିଲା ନାହିଁ କି ଆଜି ଯାଏଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଗତବର୍ଷ ଅଗଷ୍ଟ ୮ରେ ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ଆଇନ ବିଭାଗକୁ ଏଏସ୍‌ଆଇ ସୁପରିନଟେଣ୍ଡେଣ୍ଟଙ୍କୁ ପୂରା ଚିଠି ଘଟଣାକୁ ନୂଆ ମୋଡ଼ ଦେଇଥିଲା। ଯେଉଁଥିରେ ଲେଖାଯାଇଥିଲା ଭିତର ରତ୍ନଭଣ୍ଡାରର ୩ଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବାକୁ ବ୍ୟବସ୍ଥା ଗ୍ରହଣ କରୁ। ଏପରିକି ଭକ୍ତ, ସେବାୟତ ବି ସମାନ ଦାବି ଉଠାଇ ଆସିଛନ୍ତି। ହେଲେ ସରକାର କାହିଁକି କେଜାଣି ଏବାବଦରେ ପୂରା ଚୁପ୍। ଯାହାକୁ ନେଇ ଅନେକ ଭକ୍ତ ଓ ବୁଦ୍ଧିଜୀବୀ ସରକାରଙ୍କ ଉପରେ ସନ୍ଦେହ କଲେଣି।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ବ୍ୟାପି ହଇଚଇ ହୋଇଥିଲା। ରତ୍ନଭଣ୍ଡାରରୁ ବହୁ ମୂଲ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ଚାପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିଶନ ଗଠନ କରିଥିଲେ। କମିଶନ ୨୯ ନଭେମ୍ବର ୨୦୧୮ରେ ସରକାରଙ୍କୁ ତଦନ୍ତ ରିପୋର୍ଟ ବି ପ୍ରଦାନ କରିଥିଲେ। ହେଲେ ଏଯାଏଁ ରିପୋର୍ଟକୁ ସାର୍ବଜନୀନ ହୋଇନି। ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ଜବାବ ଲୋଡିଥିଲେ ହାଇକୋର୍ଟ। ଆସନ୍ତା ଜୁଲାଇ ୧୦ ସୁଦ୍ଧା ଏନେଇ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ଆଇନ ସଚିବଙ୍କୁ କୋର୍ଟ ନୋଟିସ୍ କରିଛନ୍ତି। ଏପଟେ ଏହାକୁ ନେଇ ପୁଣି ତାଜା ହୋଇଛି ରାଜନୈତିକ ବୟାନବାଜି।

Puri Puri Gajapati Ratna Bhandar Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe