Advertisment

କେମିତି ଭାଙ୍ଗିଲା ମହାପ୍ରଭୁଙ୍କ କିରୀଟ?

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଲାଗି ହୋଇଥିଲା। ହେଲେ ଏହି ସୁନାବେଶରେ ଦେଖିବାକୁ ମିଳିଥିଲା ବଡ଼ ବିଭ୍ରାଟ। ମହାପ୍ରଭୁ ଜଗନ୍ନାଥଙ୍କୁ ସୁନାବେଶରେ ଲାଗି ହୋଇଥିଲା ଭଙ୍ଗା କିରୀଟ, ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ବ୍ୟଥିତ କରିଛି। ଦୁର୍ବଳ କିରୀଟର ଏକ କିଆ ଭାଙ୍ଗି ଯାଇଥିବା ଭଣ୍ଡାର ମେକାପ ସ୍ୱୀକାର କରିଛି। ଯାହା ପରେ ଶ୍ରୀମନ୍ଦିର କମାଣ୍ଡରଙ୍କଠୁ ମଗାଯାଇଛି ରିପୋର୍ଟ। ରତ୍ନଭଣ୍ଡାରରେ ଠାକୁରଙ୍କ ମହଣ ମହଣ ସୁନା ଗଛିତ ଥିବାବେଳେ ଭଙ୍ଗା […]

ଅଦ୍ୟତନ ହୋଇଛି
କେମିତି ଭାଙ୍ଗିଲା ମହାପ୍ରଭୁଙ୍କ କିରୀଟ?

jagannath

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଲାଗି ହୋଇଥିଲା। ହେଲେ ଏହି ସୁନାବେଶରେ ଦେଖିବାକୁ ମିଳିଥିଲା ବଡ଼ ବିଭ୍ରାଟ। ମହାପ୍ରଭୁ ଜଗନ୍ନାଥଙ୍କୁ ସୁନାବେଶରେ ଲାଗି ହୋଇଥିଲା ଭଙ୍ଗା କିରୀଟ, ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ବ୍ୟଥିତ କରିଛି। ଦୁର୍ବଳ କିରୀଟର ଏକ କିଆ ଭାଙ୍ଗି ଯାଇଥିବା ଭଣ୍ଡାର ମେକାପ ସ୍ୱୀକାର କରିଛି। ଯାହା ପରେ ଶ୍ରୀମନ୍ଦିର କମାଣ୍ଡରଙ୍କଠୁ ମଗାଯାଇଛି ରିପୋର୍ଟ। ରତ୍ନଭଣ୍ଡାରରେ ଠାକୁରଙ୍କ ମହଣ ମହଣ ସୁନା ଗଛିତ ଥିବାବେଳେ ଭଙ୍ଗା ଦଦରା ଅଳଙ୍କାର ଲାଗି ହେବା ଅତ୍ୟନ୍ତ ଦୁଃଖ ଓ ଲଜ୍ଜାକର କଥା ବୋଲି କହିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ।

Advertisment

ଗତକାଲି ଦୁର୍ଲଭ ରାଜରାଜେଶ୍ୱର ବା ସୁନାବେଶର ଚିତ୍ର ଖୋଦ୍ ମହାପ୍ରଭୁ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ। ହେଲେ ବଡ଼ କଥା ହେଲା ଭଣ୍ଡାର ଘରୁ ଆସିଲା ବେଳେ କିରୀଟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା, ହେଲେ ବେଶ ଓଲାଗି ବେଳକୁ ଗୋଟିଏ କିଆ ଗାଏବ ଥିଲା। ଏମିତିକି ସୁନାବେଶ ଦର୍ଶନ ଚାଲିଥିବା ବେଳେ କିରୀଟର ଭଙ୍ଗା ସ୍ଥାନ ଲୁଚାଇବାକୁ କେହି ଜଣେ ସେବକ ଏହାକୁ ମଲ୍ଲି ଫୁଲରେ ଏମିତି ସଜେଇ ଦେଇଥିଲେ ଯେ, ସହଜରେ ଆଉ ଆଖିରେ ପଡ଼ିନଥିଲା। ତେବେ ଏଠି ପ୍ରଶ୍ନ କିରୀଟର ଏକ କିଆ କେମିତି ଭାଙ୍ଗିଲା ? ଆଉ ସେହି ଭଙ୍ଗା କିରୀଟ ଗଲା କୁଆଡ଼େ?

ବାମପଟର ତୃତୀୟ କିଆ ଘଟଣା ଗଣମାଧ୍ୟମ ନଜରକୁ ଆସିବା ପରେ ନିଜେ ଭଣ୍ଡାର ମେକାପ କ୍ୟାମେରା ଆଗରେ ସତ ମାନିଥିଲେ। ଆଉ ସେ କହିଥିଲେ, ରଥ ଉପରେ ସୁନାବେଶ ବେଳେ ଜଣେ ସେବାୟତଙ୍କ ହାତ ବାଜି କିରୀଟ କିଆଟି ଭାଙ୍ଗିଗଲା। ତାହା ସୁରକ୍ଷିତ ରହିଛି, ଏହାର ମରାମତି ହେବ। ସେପଟେ ଛତିଶା ନିଯୋଗ ନାୟକ କହିଛନ୍ତି, ଦୁର୍ବଳ କିରୀଟ ମରାମତି ପାଇଁ ବହୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛୁ। ହେଲେ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣେ ନୀତି ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର କମାଣ୍ଡରଙ୍କୁ ରିପୋର୍ଟ ମାଗିଛୁ।

Advertisment

ଏହା ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାର ଗୁଡ଼ିକ ଶହ ଶହ ବର୍ଷ ପୁରୁଣା। ଏମିତିକି ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆଣିଥିବା ବିପୁଳ ସୁନାରେ ଏସବୁ ଅଳଙ୍କାର ମାନ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। ତେଣୁ ଏତେ ବର୍ଷ ପୁରୁଣା ଅଳଙ୍କାର ପାଇଁ ଏବେ ମରାମତି ଆବଶ୍ୟକ।

ସେପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ମହାପ୍ରଭୁଙ୍କୁ ଭଙ୍ଗା କିରୀଟ ଲଗାଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଭଣ୍ଡାରରେ ଏବେ ବି ମହଣ ମହଣ ସୁନାରେ ନିର୍ମିତ ବିବିଧ ଅଳଙ୍କାର ମାନ ରହିଛି। ହେଲେ ସେସବୁକୁ କଢ଼ା ଯାଉନି। କେବଳ କିଛି ହାତଗଣତି ଭଙ୍ଗା ଦଦରା ଅଳଙ୍କାରକୁ ଠାକୁରଙ୍କୁ ଲାଗି ହେଉଛି। ଠାକୁରଙ୍କ ନାଁରେ ଶହ ଶହ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେଥିରେ ନୂଆ କିରୀଟି ଓ ନୂଆ ଅଳଙ୍କାର ନିର୍ମାଣ କରାଯିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଉଭୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉନଥିବାରୁ ଠାକୁର ଭଙ୍ଗା କିରୀଟ ଲଗାଉଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜାକର କଥା ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe