/odisha-reporter/media/post_attachments/uploads/2021/09/790-3.jpg)
790
ଚିଲିକା(ଓଡ଼ିଶା ରିପୋର୍ଟର): ପୁରୀ ପ୍ରଶାସନ ପକ୍ଷରୁ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ ପ୍ରକ୍ରିୟାକୁ ଅଧିକ ଜୋରଦାର କରାଯାଇଛି। ଗତକାଲି ଗୋଟିଏ ଦିନରେ ଚିଲିକାରୁ ପ୍ରାୟ ୩୬୦ଏକର ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଇଥିବା ଜଣାପଡିଛି। ସେପଟେ ବେଆଇନ ଘେରି କରିବା ଅଭିଯୋଗରେ ୧୨ ଜଣଙ୍କ ନାମରେ ପ୍ରଶାସନ ପକ୍ଷରୁ ଗତକାଲି ଥାନାରେ ମାମଲା ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୁଭାଷ ନାଥଶର୍ମା।
ସୂଚନା ମୁତାବକ ଆଜି ପୁଣି ଦୁଇଟି ଜେସିବି ଓ ଗୋଟିଏ ଏକ୍ସାଭେଟର ସାହାଯ୍ୟରେ ଚିଲିକାର ତିଚ୍ଛିଣି ଅଞ୍ଚଳର ଚିତ୍ରକୂଟ ଓ ତିଚ୍ଛିଣିରେ ରହିଥିବା ବେଆଇନ ଚିଙ୍ଗୁଡ଼ି ଘେରି ସଫା କରାଯାଇଛି । କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ ସେଠୀଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ପୁଲିସ, ଦୁଇପ୍ଲାଟୁନ ଫୋର୍ସ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀ, ଫିସରି ଅଧିକାରୀ ଓ ସ୍ଥାନୀୟ ଆରଆଇଙ୍କ ନେତୃତ୍ୱରେ ଏହି ଉଚ୍ଛେଦ କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ଅପ୍ରିଲ୍ ୨୦୧୭ରେ ପ୍ରାକୃତିକ ପରିବେଶର ସୁରକ୍ଷା ଓ ବେଆଇନ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଦେଶର ୧୫ଟି ରାଜ୍ୟର ଉଚ୍ଚନ୍ୟାୟାଳୟକୁ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଜାନୁଆରି ୨୨, ୨୦୧୯ରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଚିଲିକା, ଭିତରକନିକା ଆଦିରେ ସୃଷ୍ଟି ହୋଇଥିବା ବେଆଇନ ଚିଙ୍ଗୁଡ଼ି ଘେରି ହଟାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥ୍ୟାନୁସାରେ, ୨୦୨୦ କରୋନା ସଂକ୍ରମଣ ପୂର୍ବରୁ ୧୨,୧୩୧ ହେକ୍ଟର ପରିସୀମାରେ ଥିବା ଚିଲିକା ହ୍ରଦର ପ୍ରାୟ ୧୨ ପ୍ରତିଶତ ଅର୍ଥାତ୍ ୧୪୪୦ ହେକ୍ଟର ଅଂଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ରହଥିଲା । ବର୍ତମାନ ଏହା ବୃଦ୍ଧି ପାଇ ୨୧୮୨ ହେକ୍ଟର ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
