/odisha-reporter/media/post_attachments/uploads/2021/04/aadha.jpg)
abadha
ପୁରୀ (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ। ମନ୍ଦିର ବନ୍ଦ ରହିଲେ ବି ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ ନାହିଁ। ପୂର୍ବ ଭଳି ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅବଢ଼ା ପାଇଁ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯିବ। କାଉଣ୍ଟରରେ ଟୋକନ୍ କାଟିବା ପରେ ଆନନ୍ଦବଜାରରୁ ଅବଢ଼ା ସିଧା ଭକ୍ତଙ୍କ ପାଖରେ ପହଞ୍ଚା ଯିବ। ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ଆବଶ୍ୟକ କରୁଥିବା ଅବଢ଼ା ଏହି କାଉଣ୍ଟରରୁ ନେଇପାରିବେ।
ଏ ନେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି, ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଆମେ ଅବଢ଼ା ଦେବୁ। ଅର୍ଥାତ୍ ଯିଏ ଯେତେ ଚାହିଁବ, ତାକୁ ସେହି ପରିମାଣର ଅବଢ଼ା ଦିଆଯାଇପାରିବ ନାହିଁ। ତେଣୁ ଆମେ ଶ୍ରଦ୍ଧାଳୁଙ୍କୁ ସୀମିତ ଅବଢ଼ା ଦେବ। ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ତାକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରିବୁ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେନି କି ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୧୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରେ ୧୮୦ ଜଣ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
