କୋଣାର୍କ(ଓଡ଼ିଶା ରିପୋର୍ଟର) ଜମିଜମା ବିବାଦରୁ କଲେଜ ଛାତ୍ରୀ ଓ ତାଙ୍କ ମାଙ୍କୁ ଆକ୍ରମଣ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳସାହି ପଞ୍ଚାୟତ ପାଟସୁନ୍ଦରପୁର ଗାଁରେ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ୍ ହୋଇଛି । ଗାଁର ଜଣେ ମହିଳାଙ୍କ ବାଡ଼ିରେ ଜବରଦଖଲ ପାଇଁ ଅନ୍ୟ ଜଣେ ବ୍ୟକ୍ତି ବାଡ଼ ବୁଜୁଥିବାବେଳେ, ମହିଳା ଓ ତାଙ୍କ ଝିଅ ପ୍ରତିବାଦ କରିଥିଲେ । ଏହାକୁ ନେଇ ବାଡ଼ ବୁଜୁଥିବା ବ୍ୟକ୍ତି ଜଣକ ମହିଳା ଓ ତାଙ୍କ ଝିଅଙ୍କୁ ଗାଁ ରାସ୍ତାରେ ଘୋଷାରି ଟାଣି ମାଡ଼ ମାରିଥିଲେ । ମହିଳା ଜଣକ କାକୁତି ମିନତି ହେଉଥିବାବେଳେ ବ୍ୟକ୍ତି ଜଣକ ତାଙ୍କୁ ଗୋଇଠା ବିଧା ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ପୂର୍ବରୁ ଉଭୟ ପରିବାରଙ୍କ ମଧ୍ୟରେ ଜମି ବିବାଦ ଥିବା ଯୋଗୁଁ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି । ଉଭୟ ପକ୍ଷରୁ ଅସ୍ତରଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ପରେ ପୁଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣା ନେଇ ପୀଡ଼ିତା ଓ ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ।