Advertisment

ହଜିଥିଲା ରତ୍ନଭଣ୍ଡାର ଚାବି, ହଜିଲା ଫାଇଲ୍‌; ବର୍ଷିଲେ ବିରୋଧୀ

ମିଳୁନଥିବା ଫାଇଟ୍ ଦୁଇଟି ୨୦୦୬ ଓ ୨୦୧୪ ମସିହାର। ଏହାକୁ ଗୁରୁତର ଭାବେ ନେଇ ଫାଇଲ୍‌ ଖୋଜିବାକୁ ସବୁ ସେକସନକୁ ଚିଠି ଲେଖିଛି ଆଇନ ବିଭାଗ। ଫାଇଲ୍ ମିଳିଲା କି ନାହିଁ ଶୀଘ୍ର ଜଣାଇବାକୁ ସମସ୍ତ ସେକ୍ସନକୁ କୁହାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Puri Srimandir

ପୁଣି ପଦାରେ ପଡ଼ିଲା ସରକାରଙ୍କ ଦାୟିତ୍ୱହୀନତା ଓ ଖାମଖିଆଲ ନୀତି। ପ୍ରଥମେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଥିଲା। ଆଉ ଏବେ ଆଇନ୍‌ ବିଭାଗରୁ ହଜିଯାଇଛି ଶ୍ରୀମନ୍ଦିର ଫାଇଲ୍। ଜଗନ୍ନାଥ ମନ୍ଦିର ପ୍ରଶାସନ ସେକ୍ସନର ଦୁଇଟି ଫାଇଲ ପାଉନି ଆଇନ ବିଭାଗ। ସୂଚନା ଅନୁସାରେ ମିଳୁନଥିବା ଫାଇଟ୍ ଦୁଇଟି ୨୦୦୬ ଓ ୨୦୧୪ ମସିହାର। ଏହାକୁ ଗୁରୁତର ଭାବେ ନେଇ ଫାଇଲ୍‌ ଖୋଜିବାକୁ ସବୁ ସେକସନକୁ ଚିଠି ଲେଖିଛି ଆଇନ ବିଭାଗ। ଫାଇଲ୍ ମିଳିଲା କି ନାହିଁ ଶୀଘ୍ର ଜଣାଇବାକୁ ସମସ୍ତ ସେକ୍ସନକୁ କୁହାଯାଇଛି। ଏହା ହାଇକୋର୍ଟଙ୍କ ଆଦେଶ ସଂପର୍କିତ ଫାଇଲ୍ ହୋଇଥିବାରୁ ତତ୍ପରତା ଦେଖାଇଛି ଆଇନ ବିଭାଗ।

Advertisment

ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ସାରା ରାଜ୍ୟ ଉଠିଥିଲା ପଡିଥିଲା। ଏବେ ପୁଣି ଶ୍ରୀମନ୍ଦିର ପ୍ରଶାସନର ଫାଇଲ ମିଳୁନଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପିର ବରିଷ୍ଠ ନେତା ବିଜୟ ମହପାତ୍ର ଅଭିଯୋଗ କରିଛନ୍ତି, ଫାଇଲ ହଜିନି। ବରଂ ତାକୁ ଲୁଚେଇ ଦିଆଯାଇଛି। ଫାଇଲ୍‌ରେ ଏମିତି କିଛି ଅଛି ଯାହାକୁ ଲୋକଲୋଚନକୁ ଆଣିବାକୁ ସରକାର ଚାହୁଁନାହାନ୍ତି। ଏଥିସହ ଶ୍ରୀମନ୍ଦିରକୁ ରାଜ୍ୟ ସରକାର ସବୁବେଳେ କାହିଁକି ଅବହେଳା କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସେପଟେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିବା ସହ ରାଜ୍ୟ ସରକାର ଜଗନ୍ନାଥ ବିରୋଧୀ ବୋଲି କହିଛି। ବିଭ୍ରାଟ ପଛରେ ବିଜେଡି ନେତା ଓ ପ୍ରଶାସକ ସାମିଲ ଥିବା ଦଳ ଅଭିଯୋଗ କରିଛି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି।

Advertisment

ତେବେ ଦୁଇ ପୁରୁଣା ଫାଇଲ୍‌ କାହିଁକି ଖୋଜୁଛି ଆଇନ୍‌ ବିଭାଗ ? କୁହାଯାଉଛି ଗଠନ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିରେ ଖୁଣ୍ଟିଆ ନିଯୋଗରୁ କାହାକୁ ସ୍ଥାନ ମିଳିନଥିବାରୁ ସେମାନେ ହାଇକୋର୍ଟ ଯାଇଥିଲେ। ମାମଲା ଏବେ ବିଚାରାଧୀନ ଅଛି। କମିଟିକୁ କେଉଁ ସେବାୟତମାନେ କିପରି ମନୋନୀତ ହୁଅନ୍ତି, ସେଥିପାଇଁ କଣ ନିୟମ ରହିଛି ସେ ସଂପର୍କରେ ହଜିଥିବା ଦୁଇଟି ଫାଇଲ୍‌ରେ ଉଲ୍ଲେଖ ରହିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନଥିବା ଏ ଦୁଇଟି ଫାଇଲକୁ ନେବା ପାଇଁ ଆଇନ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲା। ତେବେ ଆଇନ ବିଭାଗ ଖୋଜାଖୋଜି ପରେ ମଧ୍ୟ ଫାଇଲ ପାଇନଥିଲା। ଏପଟେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଶ୍ରୀମନ୍ଦିର ଛତିଶା ନିଯୋଗ।

BjD State Bjp Congress Puri Sri Jagannath Lord Jagannath