Advertisment

ଶ୍ମଶାନ ଭାଙ୍ଗି ଦେଲେ ବୋଲି ସାକ୍ଷୀଗୋପୀନାଥଙ୍କୁ ଉପାସ ରଖିଛନ୍ତି ସେବାୟତ, ମନ୍ଦିର ବାହାରୁ ପକାଇଛନ୍ତି ତାଲା

ସାକ୍ଷୀଗୋପୀନାଥଙ୍କୁ ଦର୍ଶନ ନିମନ୍ତେ ଆସୁଥିବା ଶତାଧିକ ଶ୍ରଦ୍ଧାଳୁ ନିରାଶ ହୋଇ ଫେରୁଥିବା ବେଳେ ଠାକୁରଙ୍କ ନୀତିକ୍ରାନ୍ତି ବନ୍ଦକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି।

ଅଦ୍ୟତନ ହୋଇଛି
Puri Sakhigopal Temple

Puri Sakhigopal Temple

Advertisment

ସେବାୟତମାନେ ବ୍ୟବହାର କରୁଥିବା ଶ୍ମଶାନକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଠିକାସଂସ୍ଥା ଭାଙ୍ଗିଦେଲା ବୋଲି ଏହାର ପ୍ରତିବାଦରେ ସେବାୟତମାନେ ମନ୍ଦିର ବାହାରୁ ବନ୍ଦ କରିଦେବା ସହ ଠାକୁରଙ୍କୁ ଗତକାଲି ଠାରୁ ଉପବାସ ରଖିଛନ୍ତି। ସାକ୍ଷୀଗୋପୀନାଥ(ସାକ୍ଷୀଗୋପାଳ)ଙ୍କୁ ଦର୍ଶନ ନିମନ୍ତେ ଆସୁଥିବା ଶତାଧିକ ଶ୍ରଦ୍ଧାଳୁ ନିରାଶ ହୋଇ ଫେରୁଥିବା ବେଳେ ଠାକୁରଙ୍କ ନୀତିକ୍ରାନ୍ତି ବନ୍ଦକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି। ସେପଟେ ଏହି ବିବାଦ ନିମନ୍ତେ ପ୍ରଶାସନ କୌଣସି ଠୋସ୍‌ ପଦକ୍ଷେପ ନେଇ ନ ଥିବାରୁ ଏହି ମନ୍ଦିର କେବେ ଖୋଲିବ ତାହା ସ୍ପଷ୍ଟ ହୋଇପାରିନି।

Advertisment

ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଲକରେ ଥିବା ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଅତି ନିକଟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲୁଛି। ନିର୍ମାଣ କାମ ଚାଲୁଥିବା ସ୍ଥାନ ନିକଟରେ ସେବାୟତଙ୍କ ଶ୍ମାଶନ ରହିଥିଲା। ହେଲେ ନିର୍ମାଣ କାମ କରୁଥିବା ଠିକା ସଂସ୍ଥା କୌଣସି ଅନୁମତି ନ ନେଇ ଏହି ଶ୍ମଶାନକୁ ଭାଙ୍ଗିଦେଇଛି। ଏଥିସହିତ ରାଧା କୁଣ୍ଡ ପୋଖରୀ ଚତୁଃପାର୍ଶ୍ୱ ଉନ୍ନତିକରଣ କାମକୁ ମଧ୍ୟ ଠିକାସଂସ୍ଥା ଭାଙ୍ଗି ଦେଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦ ଜଣାଇ ସେବାୟତମାନେ ଗତକାଲି ଅପରାହ୍ନ ପ୍ରାୟ ୨ଟାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ କରିଦେବା ସହିତ ମନ୍ଦିର ମୁଖ୍ୟ ଦ୍ୱାରରେ ତାଲା ପକାଇ ଦେଇଛନ୍ତି। ଫଳରେ ସର୍ବସାଧାରଣ ଦର୍ଶନ ବନ୍ଦ ହୋଇଯାଇଛି। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଠାକୁର ଦର୍ଶନ ନ ପାଇ ଅସନ୍ତୋଷ ପ୍ରକାଶ କରୁଛନ୍ତି।

Advertisment

ରଥଯାତ୍ରା ନିମନ୍ତେ ପୁରୀରେ ଭକ୍ତଙ୍କ ଭିଡ଼ ଜମିଛି। ପ୍ରତିଦିନ ହଜାର ହଜାର ରାଜ୍ୟ ଓ ରାଜ୍ୟ ବାହାର ଯାତ୍ରୀ ପୁରୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ବାଟରେ ପଡ଼ୁଥିବା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରିବାକୁ ଅଟକୁଛନ୍ତି। ହେଲେ ସାକ୍ଷୀଗୋପୀନାଥଙ୍କ ଦର୍ଶନ ନପାଇ ସେମାନେ ମନଦୁଃଖ କରୁଛନ୍ତି।

ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ କହିଛନ୍ତି, ସେବାୟତମାନଙ୍କ ଶ୍ମଶାନକୁ ଭାଙ୍ଗି ଦିଆଯାଇଥିବାରୁ ଏଠାରେ ସେମାନଙ୍କ ପରିଜନ ମରିଗଲେ ସଂସ୍କାର କରିହେଉନି। ସେବାୟତଙ୍କ ନିମନ୍ତେ ରାଜା ଖଞ୍ଜା କରିଦେଇଥିବା ପୋଖରୀକୁ ମଧ୍ୟ ଠିକାସଂସ୍ଥା ଆବଦ୍ଧ କରି ରଖିଛି। ଏହି ସମସ୍ୟାର ସମାଧାନ ହେଉନଥିବାରୁ ପ୍ରତିବାଦ ଜଣାଇ ଦେବନୀତି ବନ୍ଦ କରାଯିବା ସହ ମନ୍ଦିରକୁ ତାଲା ପକାଇ ଦିଆଯାଇଛି। ମନ୍ଦିର ତାଲା ପଡ଼ିବା ପରେ ସାକ୍ଷୀଗୋପାଳ ତହସିଲଦାର, ଥାନା ଆଇଆଇସି, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଲୋଚନା କରିବାକୁ ଆସିଥିଲେ। ତେବେ ସେମାନେ ଏହି ସମସ୍ୟା ସମାଧାନ କରିପାରିନାହାନ୍ତି। ମନ୍ଦିର ପରିଚାଳନା କମିଟିରେ ହୋଇଥିବା ନିଷ୍ପତ୍ତି ଦେବୋତ୍ତର କମିଶନଙ୍କ ପାଖରେ ଅନୁମୋଦନ ପାଇଁ ପଡ଼ି ରହିଥିବା ଜାଣିବା ପରେ ସେମାନେ ଚାଲି ଯାଇଥିଲେ। କମିଶନର କିମ୍ବା ପ୍ରଶାସନିକ ଉଚ୍ଚ ଅଧିକାରୀ ସମସ୍ୟା ସମାଧାନ ନକଲେ ସେବାୟତଙ୍କ ଅନ୍ଦୋଳନ ଜାରି ରହିବ ଓ ଦେବନୀତି କରାଯିବ ନାହିଁ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି।

ରିପୋର୍ଟ- ପିପିଲିରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକ

Puri Lock Down Temple Entry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe