Advertisment

ଏମାର ମଠରୁ ବାହାରିଲା ବ୍ରୋଞ୍ଜ ଗାଈ-ବାଛୁରୀ ଓ ପ୍ରଚୁର ରୁପା

ପୁରୀ (ଓଡ଼ିଶା ରିପୋର୍ଟର): ପୂର୍ବରୁ ରୂପା ଇଟା ମିଳିଥିବା ବହୁ ଚର୍ଚ୍ଚିତ ପୁରୀ ଏମାର ମଠରୁ ପୁଣି ମିଳିଛି ବହୁମୂଲ୍ୟ ସାମଗ୍ରୀ। ଏମାର ମଠର ମହନ୍ତଙ୍କ ଠାରୁ ଆଜି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ପରେ ଏହି ସବୁ ବହୂମୂଲ୍ୟ ସାମଗ୍ରୀ ମିଳିଛି। ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ନୂଆ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଦାୟିତ୍ୱ ଦିଆଯିବା ପ୍ରକ୍ରିୟା […]

author-image
Ranjit Kumar Jena
ଏମାର ମଠରୁ ବାହାରିଲା ବ୍ରୋଞ୍ଜ ଗାଈ-ବାଛୁରୀ ଓ ପ୍ରଚୁର ରୁପା

puri-emara-math

ପୁରୀ (ଓଡ଼ିଶା ରିପୋର୍ଟର): ପୂର୍ବରୁ ରୂପା ଇଟା ମିଳିଥିବା ବହୁ ଚର୍ଚ୍ଚିତ ପୁରୀ ଏମାର ମଠରୁ ପୁଣି ମିଳିଛି ବହୁମୂଲ୍ୟ ସାମଗ୍ରୀ। ଏମାର ମଠର ମହନ୍ତଙ୍କ ଠାରୁ ଆଜି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ପରେ ଏହି ସବୁ ବହୂମୂଲ୍ୟ ସାମଗ୍ରୀ ମିଳିଛି। ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ନୂଆ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଦାୟିତ୍ୱ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment

ମଠର ମହନ୍ତ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାରେ ସହଯୋଗ ନକରିବାରୁ ପୁଲିସ ଓ ମାଜିଷ୍ଟ୍ରେଟ୍ ଉପସ୍ଥିତିରେ ମଠର ତାଲା ଭଙ୍ଗା ଯାଇ ନୂଆ ଟ୍ରଷ୍ଟ ବୋର୍ଡକୁ ଦାୟିତ୍ୱ ଦିଆଯାଇଛି। ତେବେ ମଠର ସ୍ଥିତାଵସ୍ଥା ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଏଭଳି ଦାୟିତ୍ୱ ହସ୍ତାନ୍ତର ବେଆଇନ ବୋଲି କହିଛନ୍ତି ମଠର ଓକିଲ ଓ ମହନ୍ତ ମହାରାଜ।

ଆଜି ଏହି ମଠରୁ ତାରକସି କାମ ହୋଇଥିବା ରୂପାର ଗଛ, ଫୁଲ ଓ ଫୁଲଦାନୀ ମିଳିଛି। ସେହିଭଳି ରୂପାର କିଛି ବାସନକୁସନ ଓ କିଛି ଅଳଙ୍କାର ମିଳିଛି। ତା ସହ ମଠରୁ ବ୍ରୋଞ୍ଜର ଗାଈ-ବାଛୁରୀ ଓ ୧୬ଟି ପୁରୁଣା ଖଣ୍ଡା ମିଳିଛି। ଉଦ୍ଧାର ଗାଈ-ବାଛୁରୀକୁ ଝୁଲଣ ଯାତ୍ରା ବେଳେ ବ୍ୟବହାର କରାଯାଇଥାଏ।

Advertisment

ଆଜି ଏମାର ମଠ ପରିଚାଳନା ଦାୟିତ୍ୱ ନୂଆ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି। ଏହି ସମୟରେ ଏସବୁ ପୁରାତନ ସାମଗ୍ରୀ ମିଳିଛି। ଗତ ୨୦୧୧ ମସିହାରେ ଏହି ମଠରୁ ୫୨୨ ଖଣ୍ତ ରୂପା ଇଟା ଜାହାର ଦାମ୍ ୯୦ କୋଟି ଟଙ୍କା ହେବ, ତାହା ଜବତ ହୋଇଥିଲା। ମଠ ମହନ୍ତ କିଛି ରୂପା ଇଟା ବିକ୍ରି କରି ଗିରଫ ହେବା ପରେ ବର୍ତ୍ତମାନ ହାଇକୋର୍ଟରୁ ଆସି ଜାମିନରେ ଅଛନ୍ତି।

ଜବତ ହୋଇଥିବା ରୂପା ଇଟା ଏବେ ପୁରୀ ଜିଲ୍ଲା ଆର୍ମୋରୀରେ ରଖାଯାଇଛି। ମଠରୁ ମହନ୍ତଙ୍କ ଦାୟିତ୍ୱ ପ୍ରତ୍ୟାହାର ନକରିବା ପାଇଁ ହାଇକୋର୍ଟଙ୍କ ସ୍ଥିତାବସ୍ଥା ରହିଥିବା ମଠର ଓକିଲ କହିଛନ୍ତି। ଅନ୍ତରୀଣ ଟ୍ରଷ୍ଟ ଗଠନ ସମ୍ପୂର୍ଣ୍ଣ ବେଆଇନ୍ ବୋଲି ମଠ ମହନ୍ତ ଦାବି କରିଛନ୍ତି। ହାଇକୋର୍ଟ ଏହି ଟ୍ରଷ୍ଟ ବୋର୍ଡ ଗଠନକୁ ରଦ୍ଧ କରିବା ଓ ମହନ୍ତଙ୍କୁ ନହଟାଇବା ପାଇଁ କହିଥିଲେ ମଧ୍ୟ ପ୍ରଶାସନ ଜୋର ଜବରଦସ୍ତି ଏହି ହସ୍ତାନ୍ତର ପ୍ରକ୍ରିୟା କରୁଥିବା ମହନ୍ତ କହିଛନ୍ତି। ଆଜି ଏହି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାରେ ଟ୍ରଷ୍ଟିଙ୍କ ସହ ୪ ଜଣ ଟ୍ରଷ୍ଟ ବୋର୍ଡ ସଦସ୍ୟ, ଏଣ୍ଡାମେଣ୍ଟ ଇନ୍ସପେକ୍ଟର, ସିଟି ଡିଏସପିଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।