Vande Bharat Express
ଓଡ଼ିଶାରେ ପୁରୀ-ହାୱାଡା ମାର୍ଗରେ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଲୋକାର୍ପଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଆସନ୍ତା ୨୦ତାରିଖରୁ ନିୟମିତ ଚାଲିବାକୁ ଥିବା ଏହି ଟ୍ରେନରେ ବିଭିନ୍ନ ସୁବିଧା ଓ ଏହାର ଭଡ଼ାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଏହି ଟ୍ରେନରେ ପୁରୀରୁ ହାୱାଡାକୁ ଭଡ଼ା ଏକଜ୍ୟୁକୁଟିଭ ବର୍ଗରେ ୨୧୧୦ଟଙ୍କା(ଖାଇବା ଛାଡ଼ି) ଓ ଚେୟାର କାର ଭଡ଼ା ୧୦୫୦ଟଙ୍କା ରହିଛି। ତେବେ ପୁରୀରୁ ଭୁବନେଶ୍ୱରରୁ ଏକଜ୍ୟୁକୁଟିଭ ବର୍ଗର ଭଡ଼ା ୭୮୫ଟଙ୍କା ଓ ଚେୟାର କାର ଭଡ଼ା ୪୦୦ଟଙ୍କା ରହିଥିବା ଜଣାପଡ଼ିଛି ।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଆରାମଦାୟକ ସିଟ୍ ଥିବା ଏହି ଟ୍ରେନରେ ସମସ୍ତ ଆଧୁନିକ ସୁବିଧାସୁଯୋଗ ରହିଛି । ଏହି ଟ୍ରେନରେ ମୋଟ ୧୬ଟି ବଗି ଥିବାବେଳେ ସେଥିରେ ଅଟୋମେଟିକ ଡୋର, ଜିପିଏସ୍ ଆଧାରିତ ଅଡିଓ-ଭିଜୁଆଲ ଯାତ୍ରୀଙ୍କ ସୂଚନା ବ୍ୟବସ୍ଥା, ହଟସ୍ପଟ ଓ ୱାଇଫାଇ ସୁବିଧା ସହ ସମସ୍ତ ଟଏଲେଟକୁ ବାୟୋ-ଭ୍ୟାକୁମ୍ ଭଳି କରାଯାଇଛି । ଏହି ଟ୍ରେନର ଡିଜାଇନ୍ , ଆରାମଦାୟକ ସିଟ୍ ସହ ଗୁଣାତ୍ମକ ମାନର ଖାଦ୍ୟପେୟ ଏବଂ ମନୋରଞ୍ଜନ ସୁବିଧା ହିଁ ଯାତ୍ରୀଙ୍କୁ ଏହି ଟ୍ରେନ ପ୍ରତି ବିଶେଷ ଆକର୍ଷିତ କରିବ ବୋଲି କୁହାଯାଉଛି। ଏହି ଟ୍ରେନ ମାତ୍ର ୬ଘଣ୍ଟା ୨୦ମିନିଟରେ ପୁରୀରୁ ହାୱାଡାରେ ପହଂଚିବ।
ବନ୍ଦେ ଭାରତ ଭଡ଼ା ଚାର୍ଟଏହି ଟ୍ରେନରେ ପୁରୀ-ହାୱାଡା ପାଇଁ ଏକଜ୍ୟୁକୁଟିଭ ବର୍ଗର ଯାତ୍ରୀଙ୍କୁ ଖାଇବା ବାବଦରେ ୧୯୫ଟଙ୍କା ଓ ଚେୟାର କାର ବର୍ଗର ଯାତ୍ରୀଙ୍କୁ ୧୬୨ଟଙ୍କା ଦେବାକୁ ପଡ଼ିବ । ଅବଶ୍ୟ ଯାତ୍ରୀ ଚାହିଁଲେ ହିଁ ଏହି ଅତିରିକ୍ତ ଦେୟ ଦେଇ ଟ୍ରେନରେ ଖାଇବା ସୁବିଧା ଉଠାଇ ପାରିବେ । ସେହିପରି ଭୁବନେଶ୍ୱର-ପୁରୀ ଚେୟାର କାର ବର୍ଗରେ ଭଡ଼ା ୪୦୦ଟଙ୍କା ରହିଥିବାବେଳେ ଏକଜ୍ୟୁକୁଟିଭ ବର୍ଗରେ ଭଡ଼ା ୭୮୫ଟଙ୍କା ରହିଛି ଓ ଏହି ଦୁଇବର୍ଗର ଯାତ୍ରୀ ଚାହିଁଲେ ଖାଇବା ସୁବିଧା ଅତିରିକ୍ତ ୫୫ଟଙ୍କା ଦେଇ ନେଇପାରିବେ । ସେହିପରି ଭୁବନେଶ୍ୱର-ବାଲେଶ୍ୱର ଭଡ଼ା ୫୯୫ଟଙ୍କା(ଚେୟାର କାର) ଓ ୧୧୯୫(ଏକଜ୍ୟୁକୁଟିଭ କ୍ଲାସ), ଭୁବନେଶ୍ୱର-ହାୱାଡା ଭଡ଼ା ୯୫୫ଟଙ୍କା(ଚେୟାର କାର) ଓ ୧୯୩୦ଟଙ୍କା(ଏକଜ୍ୟୁକୁଟିଭ କ୍ଲାସ) ପାଇଁ ରହିଛି । ଏହି ଭଡ଼ାରେ ଖାଇବା ଖର୍ଚ୍ଚ ସାମିଲ ନାହିଁ ।
ପୁରୀ-ହାୱାଡା ଏକଜ୍ୟୁକୁଟିଭ କ୍ଲାସ ଟିକେଟର ଦାମ ୨୧୧୦ଟଙ୍କା ଥିବାବେଳେ ସେଥିରେ ବେସ୍ ଚାର୍ଜ-୧୮୭୪ଟଙ୍କା, ରିଜର୍ଭେସନ ଚାର୍ଜ- ୬୦ଟଙ୍କା, ସୁପରଫାଷ୍ଟ ଚାର୍ଜ-୭୫ଟଙ୍କା ଓ ଜିଏସଟି-୧୦୧ଟଙ୍କା ରହିଛି । ଏଥିରେ ଖାଇବା ଦର ସାମିଲ ନାହିଁ ।
ସୂଚନାଯୋଗ୍ୟ, ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାରକୁ ଛାଡ଼ିଦେଲେ ବାକି ୬ଦିନ ଚଳାଚଳ କରିବ । ହାୱାଡାରୁ ସକାଳ ୬ଟା ୧୦ମିନିଟରେ ବାହାରି ଏହି ଟ୍ରେନ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଦେଇ ପୁରୀରେ ଦିନ ୧୨ଟା ୩୫ମିନିଟରେ ପହଂଚିବ । ସେହିପରି ପୁରୀରୁ ଦିନ ୧ଟା ୫୦ମିନିଟରେ ବାହାରି ଉକ୍ତ ମାର୍ଗ ଦେଇ ହାୱାଡାରେ ରାତି ସାଢ଼େ ୮ଟାରେ ପହଂଚିବ ବୋଲି ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1684428667.jpg)