Advertisment

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା; ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ କାମ

ନକ୍ଷେତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିବା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।

author-image
Manoranjan Sial
Puri

Puri

ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ସହ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ପୂର୍ବ ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ହୋଇଥିଲା। ଏହାପରେ ନକ୍ଷେତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିବା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।

Advertisment

ଅପରାହ୍ନ ୪.୪୦ ମିନିଟ୍‌ରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। କାର୍ଯ୍ୟ ସମ୍ମୁଖ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ଶ୍ରୀମନ୍ଦିର ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ୱାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ହୋଇଥିଲା। ପରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର‌ ଅନୁକୂଳ କରାଯାଇଥିଲା। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଓ ଏହି ଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେ ନେଇ ସମସ୍ତେ ପ୍ରାର୍ଥନା କରିଥିଲେ। ୧୦ ଜଣ ମହାରଣା ଶାଢ଼ୀ ବାନ୍ଧିବା ପରେ ପ୍ରଥମେ ତାଳଧ୍ଵଜ, ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥ ପାଇଁ ଉଦ୍ଦିଷ୍ଟ ଧଉରା କାଠ ଅନୁକୂଳ ହୋଇଥିଲା।

ବିମାନରେ ବସି ରଥ ଖଳାରେ ଅଟକିଥିବା ରାମ କୃଷ୍ଣ ପରେ ନରେନ୍ଦ୍ର ପୁଷ୍କରିଣୀକୁ ଚନ୍ଦନ ଯାତ୍ରା ପାଇଁ ବିଜେ କରିଥିଲେ। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୁଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୬ଜଣ ଆଇଆଇସି ମୃତୟନ ହୋଇଛନ୍ତି। ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment

ସୂଚନା ଥାଉକି, ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଚନ୍ଦନ ଯାତ୍ରା ଅବସରରେ ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚପାଣ୍ଡବଙ୍କୁ ସେବାୟତମାନେ ମଣି ବିମାନ ଓ ପାଲିଙ୍କିରେ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାଇ ଚାପ ଖେଳି ଥାଆନ୍ତି।

ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସେଠାରେ ମନୁଷ୍ୟ ଲୀଳାରେ ନୌକା ବିହାର କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଏହି ଅବସରରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି।

Ratha Yatra Puri Puri Temple