ପୁରୀ (ଓଡ଼ିଶା ରିପୋର୍ଟର) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଡେରାଗଲା ୩ ରଥର ଚକ । ରୀତିନୀତି ଅନୁଯାୟୀ ଆଜି ଭଉଁରୀ ତଥିରେ ତିନି ରଥର ଚକ ଅଖ ଡେରା ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୩ ରଥର ଚକ ଅଖ ଡେରା ହୋଇଛି । ୩ ରଥର ୬ଟି ଚକ ଡେରା ହେବା ସହ ଅନ୍ୟ ଚକ କାମ ମଧ୍ୟ ଜାରି ରହିଛି। ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥକାମ ।
କୋଭିଡ୍ କଟକଣା ଭିତରେ ରୀତିନୀତି ଅନୁଷ୍ଠିତ ହେଉଛି । ଆଜି ବାହାର ଚନ୍ଦନ ଚାପର ଶେଷ ଦିନ । ଭଉଁରୀ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ, ସମେତ ଅନ୍ୟ ଦେବାଦେବୀଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ଠାକୁରମାନେ ବିଜେ କରିଥାନ୍ତି । ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡିଥାନ୍ତି।