୨ ଦିନରେ ସମୁଦ୍ରରେ ଗଲାଣି ୪ ଜୀବନ, ଆଜି ଲାଗିଲା ରେଡ୍ ଫ୍ଲାଗ୍

ଗତ ୨ ଦିନରେ ପୁରୀ ସମୁଦ୍ରରେ ବୁଡ଼ି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଚେତିଲା ପ୍ରଶାସନ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ମହୋଦଧୀରେ ଉଡ଼ୁଛି ରେଡ୍ ଫ୍ଲାଗ୍ ।

ପୁରୀ ସମୁଦ୍ର କୂଳରେ ରେଡ ଫ୍ଲାଗ ଲାଗିଛି।

  • Published: Friday, 05 May 2023
  • , Updated: 05 May 2023, 01:05 PM IST

ଗତ ୨ ଦିନରେ ପୁରୀ ସମୁଦ୍ରରେ ବୁଡ଼ି ୪ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ଚେତିଲା ପ୍ରଶାସନ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ମହୋଦଧୀରେ ଉଡ଼ୁଛି ରେଡ୍ ଫ୍ଲାଗ୍ ।

ସେକ୍ଟର ୧୩ରେ ଏହି ଅଘଟଣ ଘଟିଥିବାରୁ ସେଠାରେ ରେଡ ଫ୍ଲାଗ ଲଗାଯାଇଛି। ଏହାବାଦ ସେକ୍ଟର ୧୧,୧୨ ଓ ୧୪ରେ ବି ଉଡ଼ୁଛି ରେଡ୍ ଫ୍ଲାଗ୍ । ଏହାଦ୍ୱାରା ପ୍ରଶାସନ ନିର୍ଦ୍ଦିଷ୍ଟ ଦୁର୍ଘଟଣା ଅଞ୍ଚଳ ଚିହ୍ନଟ କରି ପର୍ଯ୍ୟଟକଙ୍କୁ ସେଠାକୁ ଯିବାକୁ ବାରଣ କରିଛି।

ଏବେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ସତର୍କତା ଅବଲମ୍ବନ କରାଯାଇଛି ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ବୁଧବାର ଘଟିଥିବା ଅଘଟଣରେ ରଞ୍ଜନ ଦାସ ଓ ୧୬ ବର୍ଷ ପୁଅଙ୍କର ସମୁଦ୍ରରେ ବୁଡ଼ି ଜୀବନ ଯାଇଥିଲା। ସେହିପରି ଗତକାଲି ଅରିନ୍ଦମ ଓ ଅଜୟ ନାମକ ୨ ଯୁବକଙ୍କର ସମୁଦ୍ରରେ ବୁଡ଼ି ମୃତ୍ୟୁ ହେଲା ।

ଆଜି ବୁଦ୍ଧ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ହେବା ଆଶଙ୍କାରେ ଲଗାଯାଇଛି ରେଡ ଫ୍ଲାଗ। ସାଧାରଣତଃ ପୂର୍ଣ୍ଣିମା ଓ ଅମାବାସ୍ୟା ସମେତ ଏହାର ୨ ଦିନ ପୂର୍ବ ଓ ୨ ଦିନ ପରେ ସମୁଦ୍ରରେ ଅଧିକ ଜୁଆର ମାଡ଼ି ଆସିଥାଏ। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଏ ସଂକ୍ରାନ୍ତରେ ଅବଗତ ରହୁ ନ ଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଛି। ତେଣୁ ତାଙ୍କୁ ସଚେତନ କରିବା ସହ ଏପରି ଅଘଟଣକୁ ରୋକିବାକୁ ପ୍ରଶାସନ ତରଫରୁ ରେଡ ଫ୍ଲାଗ ଲଗାଯାଇଥିବା ଜଣାଯାଇଛି।

Related story