Advertisment

ଠାକୁରେ ହେଲେ ଦିବ୍ୟସ୍ନାନ, ଗଜବେଶରେ ଦର୍ଶନ ଦେଲେ; କାଲିଠୁ ହେବ ଜ୍ୱର

ସେପଟେ ଶ୍ରୀଜିଉଙ୍କ ସ୍ନାନ ନୀତିରେ ବିଳମ୍ବ ଓ ବିଶୃଙ୍ଖଳା ସାଙ୍ଗକୁ ତିନିଟି ଅଘଟଣ ଘଟିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
GagaBesa

GagaBesa

ସ୍ନାନବେଦୀରେ ସମାପନ ହୋଇଛି ଶ୍ରୀଜୀଉଙ୍କ ଦିବ୍ୟସ୍ନାନ। ହାତୀବେଶରେ ଭକ୍ତଙ୍କୁ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ପୁରୀ ବଡ଼ଦାଣ୍ଡ। ପ୍ରବଳ ଗରମ, ଗୁଳୁଗୁଳି ସତ୍ତ୍ୱେ ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ। ଠାକୁରଙ୍କ ସେହି ଅପୂର୍ବ ଦର୍ଶନ ଓ ଅବର୍ଣ୍ଣନୀୟ ଅନୁଭୂତି ଭକ୍ତକୁ ଭକ୍ତି ଗଦଗଦ କରିଦେଇଛି। ସକାଳେ ଘଣ୍ଟଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳଣରେ, ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ତିନି ଦିଅଁ ଓ ଚକ୍ରରାଜ ସୁଦର୍ଶନ।

Advertisment

ବିଭିନ୍ନ ନୀତିକାନ୍ତି ପରେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସଂପନ୍ନ ହୋଇଥିଲା ତିନି ଠାକୁରଙ୍କ ସ୍ନାନ। ପରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଛେରା ପହଁରା କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ସଜାଇ ଦିଆଯାଇଥିଲା ହାତୀ ବେଶରେ।

ବଡ଼ଦାଣ୍ଡରେ ସକାଳ ବେଳା ଟିକେ ବାଦଲ ଘୋଡ଼ା ଘୋଡ଼ା ପାଗ ଥିଲା। ହେଲେ ଏହାପରେ ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜୀଉଙ୍କ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଥିଲା ନାହିଁ ନଥିବା ଉତ୍ସାହ। ଭକ୍ତିଭାବରେ ବିଜଡ଼ିତ ଭକ୍ତ, କିଏ ଅତି ନିକଟରୁ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲା ତ, କିଏ ସ୍ନାନବେଦୀ ପାଖକୁ ଯାଇନପାରି ବଡ଼ଦାଣ୍ଡରୁ ବଡ଼ଠାକୁରଙ୍କୁ ନିବେଦନ କରୁଥିଲା ଭକ୍ତିର ଅର୍ଘ୍ୟ। ପ୍ରବଳ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭକ୍ତଙ୍କ ଉପରେ ଜଳସିଞ୍ଚନ ଓ ଠାକୁର ଦର୍ଶନ ଶୃଙ୍ଖଳିତ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଥିଲା ପୁଲିସ ସହ ଜିଲ୍ଲା ପ୍ରଶାସନ।

Advertisment

ସେପଟେ ଶ୍ରୀଜିଉଙ୍କ ସ୍ନାନ ନୀତିରେ ବିଳମ୍ବ ଓ ବିଶୃଙ୍ଖଳା ସାଙ୍ଗକୁ ତିନିଟି ଅଘଟଣ ଘଟିଥିଲା। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂରତିଙ୍କ ପ୍ରତ୍ୟକ୍ଷ ସ୍ନାନକୁ ସାରା ବିଶ୍ୱ ଅନାଇ ରହିିଥିବା ବେଳେ ଏପଟେ ଆରମ୍ଭରୁ ହୋଇଥିଲା ନୀତି ବିଳମ୍ବ। ଠାକୁରଙ୍କ ମଙ୍ଗଳାର୍ପଣ ଆଜି ଭୋର ୩ଟା ୩୦ରୁ ହେବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ଭୋର ୪ଟା ୪୫ ଅନୁଷ୍ଠିତ ହେବାରୁ ଏ ନୀତିରେ ୧ ଘଣ୍ଟା ୧୫ ମିନିଟ ବିଳମ୍ବ ହୋଇଥିଲା। ପରେ ଡୋରଲାଗି, ପୁଷ୍ପାଞ୍ଜଳି ଓ ପହଣ୍ଡି ନୀତିରେ ବି ବିଳମ୍ବ ଘଟିବାରୁ ୧୧ଟା ୪୦ରେ ହେବାକୁ ଥିବା ଜଳବିଜେ ନୀତି ଆରମ୍ଭ ହୋଇଥିଲା ୧୨ଟା ୨୦ ମିନିଟରେ। ଠାକୁରଙ୍କ ହାତୀବେଶ ଦିନ ପ୍ରାୟ ୨.୪୦ରେ ହେବାକୁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଏହି ବେଶ ୪.୪୫ରେ ଆରମ୍ଭ ହୋଇଥିଲା।

ଏଣେ ଜଳବିଜେ ନୀତି ସମାପନ ମାତ୍ରେ ସ୍ନାନ ମଣ୍ଡପରେ ଦେଖାଦେଇଥିଲା ରକ୍ତ ଛିଟା। ଜଣେ ସେବାୟତଙ୍କ ଗୋଡ଼ରେ ଆଘାତ ପରେ ରକ୍ତଛିଟା ଲାଗିଥିବାରୁ ପୁଣି ମହାସ୍ନାନ ହୋଇଥିଲେ ମହାପ୍ରଭୁ। ଏପଟେ ଶ୍ରୀଜିଉଙ୍କୁ ସ୍ନାନ ଏବଂ ହାତୀ ବେଶ ଦେଖିବାକୁ ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଭକ୍ତ। କିନ୍ତୁ ନୀତିରେ ଅହେତୁକ ବିଳମ୍ବ ଓ ସ୍ନାନ ମଣ୍ଡପରେ ବିଭ୍ରାଟ ଶ୍ରଦ୍ଧାଳୁଙ୍କ ଧର୍ଯ୍ୟତ୍ୟୁତି ଘଟାଇଥିଲା। ଅସମ୍ଭବ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଥିଲେ ଭକ୍ତ।

ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ରାଜସ୍ଥାନର ଜଣେ ଭକ୍ତ ଦର୍ଶନ କରିବା ବେଳେ ହଠାତ ଅଚେତ ହୋଇପଡ଼ିଥିଲେ। ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ପୁରୀ ବଡ଼ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। 

ତେଣେ ଆସନ୍ତାକାଲି ଠାରୁ ଅନବସର ନୀତି ପାଇଁ ପ୍ରସ୍ତୁତି ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ। କାରଣ ଅଧିକ ସ୍ନାନ କରିବା ଯୋଗୁ ଶ୍ରୀଜୀଉଙ୍କୁ ଜ୍ୱର ଆସିଥାଏ। ତେଣୁ ଆସନ୍ତାକାଲି ଠାରୁ ୧୫ ଦିନ ପାଇଁ ଅଣସର ଘରେ ରହିବେ ଶ୍ରୀଜୀଉ। ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ। ଆଉ ରତ୍ନ ସିଂହାସନରେ ଠାକୁରଙ୍କ ଦର୍ଶନ କରି ନପାରି ଜଗନ୍ନାଥ ଦର୍ଶନ ସମଫଳ ପାଇଁ ଅଲାରନାଥ ଧାଇଁବେ ଭକ୍ତ। କାଲିଠାରୁ ଏଥିପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଲାରନାଥଙ୍କ ପୀଠରେ ଦେଖାଦେବ ଭକ୍ତଙ୍କ ଭିଡ଼। ଏଥିପାଇଁ ବ୍ରହ୍ମଗିରିରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିଛି ଜିଲ୍ଲା ଓ ପୁଲିସ ପ୍ରଶାସନ।

Puri Shreemandir Puri Lord Jagannath Snana Yatra