/odisha-reporter/media/post_attachments/uploads/2022/04/puri-sp.jpg)
puri-sp
ପୁରୀ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲିଭଙ୍ଗା ଘଟଣାରେ ଗତକାଲି ପୁରୀ ପୁଲିସ୍ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଜେ. ମହାପାତ୍ର ଓ ତାଙ୍କ ବୟସ ୩୦ ବୋଲି ଜଣାଯାଇଛି। ଜେ. ମହାପାତ୍ରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ବୋଲି ଜଣାଯାଇଛି।
ଗତକାଲି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ସୀମାରୁ ଜେ. ମହାପାତ୍ରଙ୍କୁ ଉଠାଇ ଆଣି ଏକ ଗୁପ୍ତ ସ୍ଥାନରେ ପଚରାଉଚରା କରୁଥିଲା ପୁରୀ ପୁଲିସ୍। ସେ ନିଜେ ଶ୍ରୀମନ୍ଦିରରେ ଚୁଲି ଭାଙ୍ଗିଥିବା ଘଟଣାକୁ ସ୍ୱୀକାର କରିଥିବା ଆଜି ପ୍ରେସ୍ ମିଟ୍ରେ କହିଛନ୍ତି ପୁରୀ ଏସ୍ପି କନୱର ବିଶାଲ ସିଂ।
ଏନେଇ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ପୁରୀ ଏସ୍ପି କହିଛନ୍ତି, ଅଭିଯୁକ୍ତ ଜଣକ ଘଟଣା ଦିନ ଶ୍ରୀମନ୍ଦିର ଆସି ବୁଲିଥିଲେ। ଏହା ମଧ୍ୟରେ ସେ କିଛି ଅସହଜ ଅନୁଭବ କଲେ। ତା’ ପରେ ରୋଷଘରକୁ ଯାଇ ଏପରି କାଣ୍ଡ ଘଟାଇଥିଲେ। ସେଠାରୁ ସେ ପୁରୀ ସି-ବିଚ୍କୁ ଗାଲିଗଲେ। ସେଠାରେ ଗାଧୋଇ ଟ୍ରେନ୍ରେ ଫେରାର ହୋଇଯାଇଥିଲେ। ଏହି ସମସ୍ତ ଘଟଣା ଅଭିଯୁକ୍ତ ଜଣକ ଜେରା ବେଳେ ବଖାଣିଥିବା କହିଛନ୍ତି ଏସ୍ପି।
ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଅଭିଯୁକ୍ତକୁ ଧରିବା ପୁରୀ ପୁଲିସ୍ ପାଇଁ ଏକ ଚାଲେଞ୍ଜ ହୋଇଥିଲା। ଏଥିନିମନ୍ତେ ଏକାଧିକ ଟିମ୍ ଗଠନ ସହ ସାଧାରଣ ଲୋକଙ୍କ ସାହାଯ୍ୟ ନିଆଯାଇଥିଲା। ତାଙ୍କୁ ଚିହ୍ନଟ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ସହ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ସେବାୟତ, ମନ୍ଦିର କର୍ମଚାରୀ ପ୍ରମୁଖଙ୍କୁ ପଚରାଉଚରା କରାଯାଇଥିଲା। ଏହିପରି ଜଣେ ଯୁବକଙ୍କୁ ଦେଖିଥିବା ରେଲୱେ ଷ୍ଟେଶନରେ ଜଣେ ଲୋକ କହିଲେ। ଏହାପରେ ତୁରନ୍ତ ପାଖାପାଖି ୧୦ଟି ଷ୍ଟେଶନକୁ ତଦନ୍ତ ପରିସରକୁ ଅଣାଗଲା। ଏକାଧିକ ଟିମ୍ ମେମ୍ବର ବିଭିନ୍ନ ଷ୍ଟେଶନକୁ ଯାଇ ପଚରାଉଚରା କଲେ। ଏହାପରେ ଅଭିଯୁକ୍ତ ଯୁବକଙ୍କୁ ଧରି ଗତକାଲି ରାତିରେ ପୁରୀ ଅଣାଗଲା ବୋଲି କହିଛନ୍ତି ଏସ୍ପି।
ପ୍ରଥମ ପର୍ଯ୍ୟାୟ ଜେରା ସରିଥିବା ବେଳେ ଆଜି ଅଭିଯୁକ୍ତ ଜେ. ମହାପାତ୍ରଙ୍କୁ କୋର୍ଟଚାଲାଣ କରାଯିବ। ତେବେ ୮୦ରୁ ଊର୍ଦ୍ଧ୍ୱ ଚୁଲିକୁ କିପରି, କାହା ସାହାଯ୍ୟରେ ଓ କାହିଁକି ଭାଙ୍ଗିଲା ତାହାର ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଜଣକ ନିଜେ ଏସବୁ କାଣ୍ଡ ଘଟାଇଥିବା ବେଳେ ଏଥିରେ ଆଉ କେହି ସମ୍ପୃକ୍ତ ନ ଥିବା ଏସ୍ପି କହିଛନ୍ତି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ କ୍ରାଇମ ସିନ୍ ରିକ୍ରିଏଟ କରାଯାଇପାରେ। ଏନେଇ କୌଣସି ଲିଖିତ ମାମଲା ରୁଜୁ ହୋଇନି ବୋଲି କହିଛନ୍ତି ଏସ୍ପି।
ପୁରୀ ଅତିରିକ୍ତ ଏସ୍ପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲେ ବି ଏସ୍ପି କେ. ବି. ସିଂହ ନିଜେ ତଦନ୍ତର ଅନୁଧ୍ୟାନ କରୁଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏସ୍ପି ନିଜେ ଅଟକ ଯୁବକକୁ ଗତକାଲି ପଚରାଉଚରା କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ରବିବାର ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
