Advertisment

ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ, କାଲି ଦିନ ୨ଟାରେ ମହାପ୍ରଭୁଙ୍କ ସୁନାବେଶ

ସୁନାପାଦ, ସୁନା ହାତ, ସୁନା କିରଟୀରେ ପ୍ରଭୁ ଝିଲ୍‌ମିଲ୍‌ ଦିଶିବେ। ମହାପ୍ରଭୁଙ୍କ ଏହି ଦିବ୍ୟ ସୁନା ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବ।

author-image
Manoranjan Sial
ଅଦ୍ୟତନ ହୋଇଛି
Puri

Puri

ବାହୁଡ଼ିଲେ ମହାବାହୁ। ସିଂହଦ୍ୱାର ସାମ୍ନାରେ ଲାଗିଲା ୩ ରଥ। ପ୍ରଥମେ ତାଳଧ୍ୱଜ, ଦର୍ପଦଳନ ପରେ ଲାଗିଲା ନନ୍ଦିଘୋଷ ରଥ। ଆଜି ସଂଧ୍ୟା ୬ଟା ୪୩ରେ ସିଂହଦ୍ୱାର ସାମ୍ନାରେ ଲାଗିଲା ନନ୍ଦିଘୋଷ। ସିଂହଦ୍ୱାର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ସେବାୟତମାନେ ଏକ ସ୍ୱରରେ ଗୀତଗୋବିନ୍ଦ ଗାନ କରିଥିଲେ। ଆସନ୍ତାକାଲି ହେବ ମହାପ୍ରଭୁଙ୍କ ସୁନାବେଶ। ମହଣ ମହଣ ସୁନାରେ ମହାବାହୁ ମଣ୍ଡିତ ହେବେ। ସୁନାପାଦ, ସୁନା ହାତ, ସୁନା କିରଟୀରେ ପ୍ରଭୁ ଝିଲ୍‌ମିଲ୍‌ ଦିଶିବେ। ମହାପ୍ରଭୁଙ୍କ ଏହି ଦିବ୍ୟ ସୁନା ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବ।

Advertisment

ଜନ୍ମବେଦୀ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଏବେ ଶ୍ରୀମନ୍ଦିର ବାହୁଡ଼ିଯିବାର ବେଳ। ସେଥିପାଇଁ ଶରଧାବାଲିରୁ ସିଂହଦ୍ୱାର ଜନସମୁଦ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ। ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ବଡଦାଣ୍ଡ। ତାରି ଭିତରେ ନାକଚଣା ଦ୍ୱାରରେ ୩ ଠାକୁରଙ୍କ ଅପେକ୍ଷାରେ ଥିଲା ୩ ରଥ। ଏଣେ ଆଡ଼ପ ମଣ୍ଡପରୁ ଆରମ୍ଭ ହୋଇଥିଲା ସଅଳ ନୀତିକାନ୍ତି। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ବେଳାବେଳି ବାହୁଡ଼ିଯିବାକୁ କଳା ସାଆନ୍ତ ବି ସତେଯେମିତି ପ୍ରସ୍ତୁତ ହେଉଥିଲେ। ସେଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ୪ ଘଣ୍ଟା ଆଗରୁ ହୋଇଯାଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ, ହଲି ଝୁଲି ନନ୍ଦିଘୋଷ ରଥକୁ ଏଭଳି ଭଙ୍ଗିରେ ଆସିଥିଲେ ଭାବ ବିନୋଦିଆ।

ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚି ଯାଇଥିଲା ସେହି ଅପୂର୍ବ ମୁହୂର୍ତ୍ତ। ଦିନ ୧୨ଟା ୪୫ ମିନିଟରେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ପଡ଼ିଥିଲା ପରିବେଶ।

Advertisment

କେବଳ ଯେ, ତାଳଧ୍ୱଜ ରଥକୁ ସଅଳ ଗଡ଼ାଇ ନେଇଥିଲେ ଭକ୍ତ, ତା’ ନୁହେଁ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପରେ ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ମଧ୍ୟ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ଯେଉଁଠି ହୋଇଥିଲା ପୋଡ଼ପିଠା ଭୋଗ। ମାଉସୀଙ୍କ ହାତରୁ ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ୩ ଭାଇଭଉଣୀ। ଏହାପରେ ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ।

ଗୁଣ୍ଡିଚା ଦିନ ରଥଟଣାରେ ଅହେତୁକ ବିଳମ୍ବ ଘଟିବା ସହ , ସଂଧ୍ୟା ଯାଏଁ ଚାଲିଥିଲା ରଥଟଣା। ତଥାପି ସେଦିନ ଶରଧା ବାଲିରେ ଲାଗି ପାରିନଥିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। ୨ ଦିନକାଳ ରଥରେ ରହି ଯାତ୍ରାର ତୃତୀୟ ଦିନ ଆଡ଼ପ ମଣ୍ଡପ ବିଜେ କରିଥିଲେ ୩ ଠାକୁର। ଯାହାକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ତେବେ ବାହୁଡ଼ାରେ କିନ୍ତୁ ସେଭଳି ବ୍ୟତିକ୍ରମ ଘଟିନଥିଲା। ଗତକାଲିଠୁ ହିଁ ବାହୁଡ଼ା ପାଇଁ ପ୍ରସ୍ତୁତି ପରେ ଆଜି ସଅଳ ନୀତିକାନ୍ତି ସହ ଶୃଙ୍ଖଳିତ ଭାବେ ସଞ୍ଜ ହେବାର ଯଥେଷ୍ଟ ସମୟ ଆଗରୁ ସିଂହଦ୍ୱାର ସାମ୍ନାରେ ଲାଗିଯାଇଥିଲା ଗୋଟିଏ ପରେ ଗୋଟିଏ ରଥ।

Ratha Yatra Puri Shreemandir Puri