ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିପ୍ରହର ଧୁପ ସରିବାପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ।
ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ଓ ପ୍ରାୟ ଚାରିଘଣ୍ଟାର ନୀତି ହୋଇଥିବା କାରଣରୁ ଆଜି ଅପରାହ୍ନ ଚାରିଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦିଆଯାଇଛି ।
ସେପଟେ ଆଜି ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇଛି। ଭୋର ୫ଟା ୪୦ରେ ଦ୍ୱାର ଫିଟା ନିତି ସମ୍ପର୍ଣ୍ଣ ହୋଇଥିବା ବେଳେ ୬ଟା୨୫ରେ ମଙ୍ଗଳଆଳତୀ ନୀତି ଅନୁଷ୍ଠିତ ହେବା ସହ ଦୈନଦିନର ଅନ୍ୟାନ୍ୟ ନୀତି ଆଗକୁ ବଢିଛି । ମହାପ୍ରଭୁଙ୍କ ଏହି ବନକଲାଗି ନୀତି ଏକ ଅନନ୍ୟ ପରମ୍ପରା । ଏହାଦ୍ୱାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ରହିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଝଟକିଥାଏ । ଭକ୍ତମାନେ ଏଭଳି ଚମତ୍କାର ଦର୍ଶନ ଲାଭ କରି କୃତାର୍ଥ ହୋଇଥାନ୍ତି ।