Advertisment

ଶ୍ରୀମନ୍ଦିର ନିକଟ ସପିଂ ମଲରେ ଅଗ୍ନିକାଣ୍ଡ, ଅନେକ ଆହତ

ଆକସ୍ମିକ ଅଗ୍ନିକାଣ୍ଡରେ ଜଣେ ବୟସ୍କ ଓ ଜଣେ ଶିଶୁ ଆହତ ହୋଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Puri market complex fire mishap

Puri market complex fire mishap

ପୁରୀ ଶ୍ରୀମନ୍ଦିର ନିକଟ ମରିଚିକୋଟ ଛକ ଠାରେ ଥିବା ସମ୍ରାଟ ସପିଂ ମଲରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଏହି ମଲର ତଳ ମହଲାରେ ଥିବା ଅମ୍ବିକା ଡ୍ରେସ୍‌ ଷ୍ଟୋରରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ପରେ ଏହା ପାଖରେ ଥିବା ଲକ୍ଷ୍ମୀ ଜୁଏଲାରୀ ସମେତ ଅନେକ କପଡ଼ା ଦୋକାନ ଜଳିଥିଲା। ଆକସ୍ମିକ ଅଗ୍ନିକାଣ୍ଡରେ ଜଣେ ବୟସ୍କ ଓ ଜଣେ ଶିଶୁ ଆହତ ହୋଇଛନ୍ତି। ଏହି ମଲରେ ୭୦ରୁ ୮୦ ଦୋକାନ ରହିଛି। ଏହାଛଡ଼ା ଦ୍ୱିତୀୟ ମହଲାରେ ହୋଟେଲ ଓ ବ୍ୟାଙ୍କ ରହିଛି। ନିଆଁ ଲିଭାଇବାକୁ ଆବଶ୍ୟକ ବ୍ୟବସ୍ଥା ନ ଥିଲାରୁ ନିଆଁ ବ୍ୟାପୀ ଯାଇଥିଲା।

Advertisment

ରାତି ପ୍ରାୟ ସାଢ଼େ ୮ଟା ବେଳେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା।

ତେବେ ପୂରା ମଲ୍‌ରେ ନିଆଁ ବ୍ୟାପୀ ଯାଇଥିବାରୁ ପରିବେଶ ଧୂଆଁମୟ ହୋଇଯାଇଥିଲା। ନିଆଁ ଭୟରେ ତୃତୀୟ ମହଲାରେ ଥିବା ହୋଟେଲରେ ମହାରାଷ୍ଟ୍ରର ନାସିକ୍‌ରୁ ଆସିଥିବା ପ୍ରାୟ ୧୧୦ ଜଣ ଯାତ୍ରୀ ଫସି ରହିଥିଲେ। ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବାହାରକୁ ଆଣିଥିଲେ। ଏହି ଯାତ୍ରୀମାନେ ପୁରୀ ବୁଲାବୁଲି ସାରି ଖାଇବାକୁ ବସିଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା। ଧୂଆଁ ଦେଖି ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ। ସେମାନଙ୍କୁ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲେ ହେଁ ସେମାନଙ୍କ ଜିନିଷ, ଟଙ୍କା ହୋଟେଲ ଭିତରେ ରହି ଯାଇଛି।

Advertisment

 ସେପଟେ ମଲରେ ଥିବା ସୁନା ଦୋକାନରୁ ସୁନା ଉଦ୍ଧାର ନିମନ୍ତେ ଚେଷ୍ଟା କରୁଥିବା ବେଳେ ଅଣନିଶ୍ୱାସୀ ଅବସ୍ଥାରେ କିଛି କର୍ମଚାରୀ ଉଦ୍ଧାର ହୋଇଛନ୍ତି। ସେହିପରି ନିଆଁକୁ ଆୟତ୍ତ ବେଳେ କିଛି ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Puri market complex fire mishapମଲରେ ଅଗ୍ନିକାଣ୍ଡ

ଶେଷ ଖବର ସୁଦ୍ଧା ଏହି ମଲରେ ଥିବା ପ୍ରାୟ ୪୦ଟି ଦୋକାନ ଜଳି ପାଉଁଶ ହୋଇଯାଇଛି। ୬ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି। ଅଗ୍ନିଶମ ବାହିନୀ ବଡ଼ ସିଡି ବ୍ୟବହାର କରି ମଲର ଉପର ମହଲରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ନିମନ୍ତେ ପ୍ରୟାଶ କରୁଛି। ଅଗ୍ନିଶମ ବାହିନୀର ଏକ ଟିମ୍ ସାଙ୍ଗରେ ଅକ୍ସିଜେନ୍ ନେଇ ଭିତରକୁ ଉଦ୍ଧାର ନିମନ୍ତେ ଯାଇଥିଲା। ଉପର ମହଲାରେ ଫସି ରହିଥିବା ୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଟିମ୍‌ର ସଦସ୍ୟମାନେ ନିଆଁ ପ୍ରଭାବରେ ଆସି ଆହତ ହୋଇଛନ୍ତି।

ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଶ୍ରୀମନ୍ଦିର ଅତି ନିକଟରେ ତଥା ବଡ଼ଦାଣ୍ଡକୁ ଲାଗି ଏହି ବିରାଟ ମଲ ରହିଥିବାରୁ ଅଗ୍ନିକାଣ୍ଡ ପରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା। ବଡ଼ଦାଣ୍ଡ ପ୍ରବଳ ଭିଡ଼ ଜମିଥିଲା। ହୋହଲ୍ଲାରେ ପରିବେଶ କୋଳାହଳମୟ ହୋଇଯାଇଥିଲା।

ଅଘଟଣ ପାଇଁ ପ୍ରଶାସନିକ ଦାୟିତ୍ୱହୀନ ପଦକ୍ଷେପ ରହିଥିବା ଅଭିଯୋଗ ହୋଇଛି। ପୁରୀ ସହରର ଅଧିକାଂଶ ମଲରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ନାହିଁ। ତଥାପି ବିପଦସଙ୍କୁଳ ଅବସ୍ଥାରେ ଏହି ମଲଗୁଡ଼ିକ ଚାଲିଛି। ଫଳରେ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି।

Fire Breakout Fire Accident