Advertisment

ଶ୍ରୀଜିଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଶ୍ଚିମବଙ୍ଗ ଭବନ ପାଇଁ ଜାଗା ବି ଦେଖିଲେ

ଆଜି ଅପରାହ୍ଣରେ ମମତା ଶ୍ରୀମନ୍ଦିରକୁ ଯାଇଥିଲେ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Mamata Banerjee visit Shree jagannath Temple

Mamata Banerjee visit Shree jagannath Temple

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଅପରାହ୍ଣରେ ମମତା ଶ୍ରୀମନ୍ଦିରକୁ ଯାଇଥିଲେ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ। ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ ବାହାରି ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଥିଲେ।

Advertisment

ପାର୍ଶ୍ୱ ଦେବୀ ମା ବିମଳାଙ୍କ ଦର୍ଶନ କରିବା ସହ ପତିତପାବନ ବାନା ବନ୍ଧା ଯିବାର ଦୃଶ୍ୟ ମଧ୍ୟ ଦେଖିଥିଲେ। ମନ୍ଦିରରୁ ଫେରିବା ବେଳେ ମମତାଙ୍କୁ ମହାବାହୁଙ୍କ ଏକ ବିଗ୍ରହ ଦିଆଯାଇଛି। ମହାପ୍ରଭୁଙ୍କ ଦର୍ଶନ ପରେ ମମତା କହିଛନ୍ତି, ଶ୍ରୀକ୍ଷେତ୍ର ହେଉଛି ମୋର ପ୍ରଥମ ଘର।

ସେପଟେ ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ। ଏଥିପାଇଁ ସେ ଜାଗା ଦେଖିଛନ୍ତି। ପୁରୀ ବଳିଆପଣ୍ଡା ଅଂଚଳରେ ଚିହ୍ନଟ ହୋଇଥିବା ଜାଗାକୁ ମୁଖ୍ୟ ସଚିବ ପ୍ରଦୀପ ଜେନା ଦେଖାଇଥିବା ବେଳେ ମମତା ପସନ୍ଦ ବି କରିଛନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ସେଠାରେ ଅତିଥି ଭବନ ନିର୍ମାଣ ହେବ। ସ୍ୱଳ୍ପ ଖର୍ଚ୍ଚରେ ବଙ୍ଗୀୟ ପର୍ଯ୍ୟଟକ ଏହି ଅତିଥି ଭବନରେ ରହିପାରିବେ। ବଙ୍ଗାଳୀ ଅତିଥି ଭବନ ପାଇଁ ଜମି ପରିଦର୍ଶନ କରିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଦୁଇ ଭଉଣୀ ସହ ତୁଳନା କରିଛନ୍ତି ମମତା ବାନାର୍ଜୀ।

Advertisment

ମମତା ବାନାର୍ଜୀ ଆଜି ରାତିରେ ପୁରୀରେ ରହିବେ। ଆସନ୍ତାକାଲି ମମତା ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟ ପରେ ରାଜ୍ୟ ସରକାର କେତେ ପରିମାଣର ଜମି ଯୋଗାଇବେ ତାହା ସ୍ପଷ୍ଟ ହେବ।

Mamata Banerjee West Bengal Minister Jagannath Temple