Advertisment

‘ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି, କିନ୍ତୁ ମୁଁ ବିଫଳ ହୋଇଥିଲି’

‘ସେତେବେଳେ ମୋ’ ଉପରେ ଚାପ ପଡ଼ିଥିଲା। ମୋ ସରକାର କହିଥିଲା, ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ। ମୁଁ ଏବେ ଦାବି କରୁଛି, ରତ୍ନଭଣ୍ଡାର ଖୋଲାଯାଉ’

ଅଦ୍ୟତନ ହୋଇଛି
Lord Jagannath Temple

Lord Jagannath Temple

Advertisment

ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଅବସ୍ଥା ଦୟନୀୟ ରହିଛି। ଏନେଇ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ଶ୍ରୀମନ୍ଦିର ପ୍ରଶାସନକୁ ଦେଇସାରିଥିଲା। ଏହାର ମରାମତି ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରିଥିଲା। ଏହା ସତ୍ତ୍ୱେ ରାଜ୍ୟ ସରକାର ରତ୍ନଭଣ୍ଡ ଯାଞ୍ଚ ପାଇଁ ସାମାନ୍ୟତମ ତତ୍ପର ଦେଖାଇନାହାନ୍ତି। ଯାହାକୁ ନେଇ ଗଜପତି ଦିବ୍ୟସିଂ ଦେବଙ୍କ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର (ଜଗୁନି) ଉଦ୍‌ବେଗ ପ୍ରକାଶ କରିଥିଲେ। ଆଜି ସେମାନଙ୍କ ସହିତ ସ୍ୱର ମିଳାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବରିଷ୍ଠ ବିଧାୟକ ନରସିଂହ ମିଶ୍ର।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି। କିନ୍ତୁ ମୁଁ ବିଫଳ ହୋଇଥିଲି। ସେତେବେଳେ ମୋ’ ଉପରେ ଚାପ ପଡ଼ିଥିଲା। ମୋ ସରକାର କହିଥିଲା, ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ। ମୁଁ ଏବେ ଦାବି କରୁଛି, ରତ୍ନଭଣ୍ଡାର ଖୋଲାଯାଉ ବୋଲି ନରସିଂହ ମିଶ୍ର କହିଛନ୍ତି।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଗୁରୁବାର ଦିନ ଦାବି କରିଥିଲେ ଶ୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ସେ କହିଥିଲେ, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା। ରତ୍ନଭଣ୍ଡାରରେ ଜିନିଷ ଖତ ହେଉଛି। ତେଣେ ପ୍ରଭୁ ଗୋଟିଏ ସେଟ୍ ପିନ୍ଧୁଛନ୍ତି। ମହାପ୍ରଭୁଙ୍କର ଗୋଟିଏ କାହିଁକି ୧୦/୧୫ ସେଟ୍ ଅଳଙ୍କାର ହେଉ। ରାଜ୍ୟ ସରକାର ଚାହିଁଲେ ଦାତାଙ୍କ ଜରିଆରେ ଅଳଙ୍କାର ସେଟ୍‌ କରିପାରିବେ। ସରକାର ଖାଲି ଘୋଷଣା କରନ୍ତୁ, ଦାତା ସୁନା ଗଦା କରି ପକାଇବେ ବୋଲି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଅବସ୍ଥା ଦୟନୀୟ ବୋଲି ଏଏସ୍‌ଆଇ ରିପୋର୍ଟରେ ଦର୍ଶାଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହା ପରେ ଅର୍ଥାତ ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ଓ ପ୍ରଶାସନର ସ୍ୱତନ୍ତ୍ର କମିଟି ଭିତର ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲା। ହେଲେ ଚାବି ହଜି ଯାଇଥିବା ଦର୍ଶାଇ କେବଳ ଟର୍ଚ୍ଚ ମାରି ଲୁହା ଦ୍ୱାର ଫାଙ୍କରେ ଭିତର ସ୍ଥିତି ଅନୁଧ୍ୟାନ କରି ପ୍ରଶାସନିକ ଟିମ୍‌ ଫେରିଥିବା ରିପୋର୍ଟରେ ଦର୍ଶାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe