ମୁଖ୍ୟମନ୍ତ୍ରୀ କରିଥିଲେ ଉଦଘାଟନ: ରେଳବାଇ ପଠାଇଲା କଡ଼ା ଚିଠି, ମନଇଚ୍ଛା ଉଦଘାଟନ କରନି

କଡ଼ା ଭାଷାରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିକଟକୁ ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ଚିଠି ଲେଖି ଆପତ୍ତି ଜଣାଇଛନ୍ତି ।

ରେଲୱେ

  • Published: Wednesday, 01 February 2023
  • , Updated: 01 February 2023, 10:07 PM IST

“ରେଳ ମାର୍ଗ ଉପରେ ରୋଡ୍ ଓଭରବ୍ରିଜ୍ (ଆରଓବି) ର ଉଦଘାଟନର ଯଥେଷ୍ଟ ପୂର୍ବରୁ ରେଲୱେ ବିଭାଗକୁ ଅବଗତ କରନ୍ତୁ । ଆଉ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ପାଳନ କରି ଉଦଘାଟନ ସମାରୋହକୁ ସ୍ଥାନୀୟ ବିଧାୟକ/ସାଂସଦ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରନ୍ତୁ ।” ଏମିତି କିଛି କଡ଼ା ଭାଷାରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିକଟକୁ ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ଚିଠି ଲେଖି ଆପତ୍ତି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୨୨ତାରିଖରେ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ନୀଳଗିରି ରୋଡ-ବାଲେଶ୍ୱର ଷ୍ଟେସନ ମଧ୍ୟରେ ଥିବା ଶୋଭାରାମପୁରଠାରେ ଆରଓବି ଉଦଘାଟନ କରିଥିଲେ । ଏହି ଆରଓବି ଉଦଘାଟନ ନେଇ ସ୍ଥାନୀୟ ସାଂସଦ କିମ୍ବା ରେଳବାଇ ବିଭାଗକୁ ରାଜ୍ୟ ସରକାର ଅବଗତ କରିନଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା ।

ସୂଚନା ଅନୁସାରେ ଦକ୍ଷିଣପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ଗତ ୩ତାରିଖରେ ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ନିକଟକୁ ଚିଠି ଲେଖି ଆରଓବି ଉଦଘାଟନ ପୂର୍ବରୁ ରେଳବାଇକୁ ଅବଗତ କରିବା ନିମନ୍ତେ କହିଛନ୍ତି ।  ସେ ଡିସେମ୍ବର ୨୨ତାରିଖରେ ବାଲେଶ୍ୱର ଜିଲ୍ଲାର ଶୋଭାରାମପୁରଠାରେ ଆରଓବିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିବା ସଂକ୍ରାନ୍ତ ଘଟଣାକୁ ଉଲ୍ଲେଖ ନକରି କହିଛନ୍ତି ଯେ, ଆରଓବି ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ରେଳବାଇକୁ ଅବଗତ ନକରି ରାଜ୍ୟ  ସରକାର ଏହାକୁ ଉଦଘାଟନ କରୁଛନ୍ତି । କେତେକ କ୍ଷେତ୍ରରେ ସ୍ଥାନୀୟ ଜନ ପ୍ରତିନିଧି ଓ ସାଂସଦମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଉନାହିଁ । ଆରଓବି ନିର୍ମାଣ ସାଧାରଣତଃ ରେଳବାଇ ଓ ରାଜ୍ୟ ସରକାରଙ୍କ ଆର୍ଥିକ ଭାଗିଦାରୀରେ ହୋଇଥାଏ । ଆରଓବି ନିର୍ମାଣ ଶେଷ ହୋଇଗଲେ ସେଠାରେ ଥିôବା ଲେଭଲ କ୍ରସିଂକୁ ତୁରନ୍ତ ବନ୍ଦ କରିବାର ଆବଶ୍ୟକତା  ରହିଛି । ଆଉ ସେହି ସେକ୍ସନର ଟ୍ରେନ ୱାର୍କିଂ ରୁଲ୍ ଅନୁସାରେ ଏହି ଲେଭଲ କ୍ରସିଂ ବନ୍ଦ ôପାଇଁ ଅନୁମୋଦନ ମଧ୍ୟ ଜରୁରୀ । ତେଣୁ ନିର୍ଦ୍ଧାରିତ ସମୟରେ ଲେଭଲକ୍ରସିଂ ବନ୍ଦ କରିବା ପାଇଁ ରେଳବାଇକୁ ଆଗୁଆ ଅବଗତ କରିବା, ଆରଓବି କାର୍ଯ୍ୟକ୍ଷମ କରିବା ପୂର୍ବରୁ ଆଗୁଆ ଜଣାଇବା ଏବଂ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ପାଳନ କରି ଉଦଘାଟନ ସମାରୋହକୁ ସ୍ଥାନୀୟ ବିଧାୟକ/ସାଂସଦଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ସେ ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିନିକିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ଗସ୍ତବେଳେ ଶୋଭାରାମପୁରଠାରେ ନିର୍ମିତ ଆରଓବିକୁ ମଧ୍ୟ ଉଦଘାଟନ କରିଥିଲେ । ମାତ୍ର ରେଳବାଇ ଅଧିକାରୀ ଓ ସ୍ଥାନୀୟ ସାଂସଦଙ୍କୁ ଏନେଇ ସୂଚନା ଦିଆଯାଇନଥିଲା । ରେଳବାଇ ବିଭାଗର ସୁରକ୍ଷା ସାଟିଫିକେଟ୍ ବିନା ମଧ୍ୟ ଏହି ଆରଓବି ଉଦଘାଟନ ହୋଇଥିଲା । ଏହି ଉଦଘାଟନ ସଂକ୍ରାନ୍ତରେ ଖବର ପାଇବା ପରେ ଡିଭିଜିନାଲ ରେଳବାଇ ମ୍ୟାନେଜର ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆପତ୍ତି ଉଠାଇବା ସହ ଜାନୁୟାରୀ ପ୍ରଥମ ସପ୍ତାହରେ ଉଦଘାଟନ କାର୍ଯ୍ୟକ୍ରମ ସ୍ଥିର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲା ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଆରଓବିକୁ ଉଦଘାଟନ କରିଥିଲେ ।

Related story