Advertisment

ଟ୍ରାକ୍‌ରେ ପାଣି, ଟ୍ରେନ୍ ଚଳାଚଳ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହା ସହିତ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବା ଯୋଗୁ ଟ୍ରେନ୍‌ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି। ସମ୍ବଲପୁର-ଟିଟିଲାଗଡ଼ ସେକ୍ସନର ଦେଉଗାଁ ରୋଡ୍‌ ଓ ବରଗଡ଼ ମଧ୍ୟରେ ଥିବା ରେଳ ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବାରୁ ଏହି […]

author-image
Biswobandita Swain
ଟ୍ରାକ୍‌ରେ ପାଣି, ଟ୍ରେନ୍ ଚଳାଚଳ ବନ୍ଦ

train

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହା ସହିତ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବା ଯୋଗୁ ଟ୍ରେନ୍‌ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି।

Advertisment

ସମ୍ବଲପୁର-ଟିଟିଲାଗଡ଼ ସେକ୍ସନର ଦେଉଗାଁ ରୋଡ୍‌ ଓ ବରଗଡ଼ ମଧ୍ୟରେ ଥିବା ରେଳ ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବାରୁ ଏହି ଲାଇନ୍‌ରେ ରେଳ ଚଳାଚଳକୁ ବନ୍ଦ ରଖାଯାଇଛି। ତେଣୁ ବରପାଲିଠାରେ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ୍ ଏବଂ ଲୋଇସିଙ୍ଗାଠାରେ ଆଜମେର-ପୁରୀ ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ଡୁଙ୍ଗୁରିପାଲିଠାରେ ଇସ୍ପାତ ଏକ୍ସପ୍ରେସ୍‌କୁ ମଧ୍ୟ ଅଟକା ଯାଇଛି।

ତେଲନଦୀ ଓ ଖଡ଼ଙ୍ଗ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ବୌଦ୍ଧ ଜିଲ୍ଳାର ଅନେକ ଗାଁ ଏବେ ପାଣି ଘେରରେ ରହିଛି। କଣ୍ଟାମାଳ-ମନମୁଣ୍ଡା ୪୧ ନମ୍ବର ରାଜ୍ୟ ସଡ଼କ ପଥର ଅଡ଼ାଗୌଡ଼ି ପୋଲ ଉପରେ ୫ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ କଣ୍ଟାମାଳରୁ ରୁବାଲିଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏଥିସହ ମାଣ୍ଡିଆ ଜୋର ପୋଲ ଉପରେ ୬ ଫୁଟ୍‌ ଉଚ୍ଚ ପାଣି ପ୍ରବାହିତ ହେଉଛି। କଣ୍ଟାମାଳ ବ୍ଲକର ୮ଟି ପଞ୍ଚାୟତ ଯେମିତିକି କୁଳୁତାଜୋର, ଘଣ୍ଟାପଡା, ଉମା, ଖୁଣ୍ଟିଗୋରା, ବରଗାଁ, ଖମାନମୁଣ୍ଡା ଓ ଆମ୍ବଗାଁ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଖମାନମୁଣ୍ଡା ପଞ୍ଚାୟତର ଦେଓଗାଁ ଓ ରେଙ୍ଗାଲି ପଞ୍ଚାୟତର କମଘାଟ ଏବଂ ଗମ୍ଭାରୀପଦର ଗାଁ ପାଣି ଘେରରେ ରହିଛି। ଏଠାକାର ବହୁ ଚାଷଜମି ଏବେ ଜଳମଗ୍ନ ହୋଇରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ନିକଟରେ ପ୍ରଶାସନର ସହାୟତା ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି।

Advertisment

ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଜିଲ୍ଲାର ସଦର ମହକୁମାର ଅବସ୍ଥା ବେହାଲ୍ ପଡ଼ିଯାଇଛି। ସହରର ବିଭିନ୍ନ ସ୍ଥାନରେ ପାଖାପାଖି ଅଣ୍ଟେ ଉଚ୍ଚର ପାଣି ପ୍ରବାହିତ ହେଉଛି। ସହରକୁ ଯୋଗାଯୋଗ ମଧ୍ୟ ଏକ ପ୍ରକାର ବିଛିନ୍ନ ହୋଇଛି।

ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ପ୍ରବାହିତ ଖଡ଼ଙ୍ଗ ନଦୀର ବନ୍ୟାଜଳ ବିଭିନ୍ନ ଗାଁରେ ପ୍ରବେଶ କରିବାରେ ଲାଗିଛି। ଏହି ବ୍ଲକ୍‌ ଜାମୁଟ ଗାଁର ଧରୁଆପଡ଼ା ଓ ତିଲକାମାଲ ଗାଁକୁ ବନ୍ୟା ପାଣି ପଶି ଯିବାରୁ ପ୍ରାୟ ୨୦୦ ପରିବାର ପାଣି ଘେରରେ ରହିଛନ୍ତି। ଗୁଡଭେଲା ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପ୍ରାୟ ୧୦ଟି ପରିବାରକୁ ଉଦ୍ଧାର କରିଛନ୍ତି।