raju
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପସରିଗଲେ ଓଡ଼ିଆ ମନୋରଞ୍ଜନ ଆକାଶର ଦୀପ୍ତିବନ୍ତ ନକ୍ଷତ୍ର। ୭୨ ବର୍ଷ ବୟସରେ ହୃଦଘାତରେ ନିରବି ଗଲେ ରୋମାଣ୍ଟିକ, ଟ୍ରାଜେଡି, କମେଡ଼ି ଓ ଫ୍ୟାମିଲି ଡ୍ରାମା ସିନେମାର ମାଷ୍ଟର ମାଇଣ୍ଡ ବିଶିଷ୍ଟ ସିନେ ନିର୍ଦ୍ଦେଶକ, ସିନେମାଟୋଗ୍ରାଫର ରାଜୁ ମିଶ୍ରଙ୍କର। ଆଜି ତାଙ୍କର ତାଙ୍କ ଜଟଣୀସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ପୁରୀ ସ୍ୱର୍ଗଦ୍ୱାରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ରାଜଗୋପାଳ ଓରଫ ରାଜୁ ମିଶ୍ରଙ୍କ ପ୍ରତିଟି ଫିଲ୍ମ ଦର୍ଶକଙ୍କ ମନ ଛୁଇଁବାର ଦକ୍ଷତା ରଖୁଥିଲା। ଡାଇଲଗଠୁ ଆକ୍ସନ ଯାଏଁ ପ୍ରତିଟି ବିଭାଗରେ ବାରି ହୋଇ ପଡୁଥିଲା ତାଙ୍କ କଳା ଚାତୁରୀ। ବୃତ୍ତିଗତ ଭଳି ବ୍ୟକ୍ତିଗତ କ୍ଷେତ୍ରରେ ମଧ୍ୟ ବେସ ସରଳ ଓ ସ୍ନେହୀ ଥିଲେ ରାଜୁ ମିଶ୍ର।
ଜଣେ ସାଧାରଣ ଦର୍ଶକରୁ ସିନେମା ସହ ସମ୍ପର୍କ ଯୋଡ଼ିଥବା ରାଜୁ ମିଶ୍ର ୧୯୭୭ରେ ପୁଣେ ସ୍ଥିତ FTIIରୁ ସଫଳତାର ସହ ସିନେମାଟୋଗ୍ରାଫିରେ ଉତ୍ତୀର୍ଣ୍ଣ ହୋଇଥିଲେ। ତାଙ୍କ କ୍ୟାମେରା ଲେନ୍ସରେ ଜୀବନ୍ତ ହୋଇଛି ଓଡ଼ିଆ ଫିଲ୍ମ ‘ଦଇବ ଦଉଡ଼ି’, ‘ଜନନୀ’, ‘ଜଗା ହାତରେ ପଘା’, ‘ଏଇ ଆମ ସଂସାର’ ଭଳି ବହୁ ସିନେମା। ପ୍ରାୟ ୩୭ଟି ଫିଲ୍ମରେ ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଓ ସିନେମାଟୋଗ୍ରାଫିରେ ରହିଛି ତାଙ୍କର ବଳିଷ୍ଠ ସ୍ୱାକ୍ଷର। ଯେଉଁଥିରେ ଗୋଟିଏ ହିନ୍ଦୀ, ଗୋଟିଏ ମରାଠୀ ଓ ୭ଟି ଅହମିଆ ଫିଲ୍ମ ମଧ୍ୟ ରହିଛି। ତାଙ୍କ ସ୍ପର୍ଶରେ ରୁଦ୍ଧିମନ୍ତ ହୋଇଛି ବହୁ ଟେଲିଫିଲ୍ମ ଓ ଧାରାବାହିକ। ଇଣ୍ଡଷ୍ଟ୍ରିରେ ତାଙ୍କ ହାତ ଧରି ଚାଲି ଶିଖିଛନ୍ତି ବହୁ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ କ୍ୟାମେରାମ୍ୟାନ।
କଳାରେ ଜୀବନ ବ୍ୟାପୀ ସାଧନା ପାଇଁ ସେ ପାଇଛନ୍ତି ଅଜଶ୍ର ମାନ ସମ୍ମାନ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଓଡ଼ିଶାର ସିନେ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଦର୍ଶାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/raju-1.jpg)