/odisha-reporter/media/media_files/2025/12/09/death-2025-12-09-16-03-31.jpg)
ଓଟିଭିର ରେଢ଼ାଖୋଲ ପ୍ରତିନିଧି ରମାକାନ୍ତ ମହାନନ୍ଦଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ତାଙ୍କ ବଡ଼ ଭାଇ ଉମାକାନ୍ତ ମହାନନ୍ଦ। ଏନେଇ ସେ ଗତକାଲି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନାରେ ଏକ ଏଫଆଇଆର ଦେଇଛନ୍ତି।
ଉମାକାନ୍ତ ଅଭିଯୋଗ କରିଛନ୍ତି ଯେ ଡିସେମ୍ବର ୮ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ତାଙ୍କ ସାନଭାଇ ରମାକାନ୍ତ ମହାନନ୍ଦ ଖବର ସଂଗ୍ରହ ନିମନ୍ତେ ନାକଟିଦେଉଳ ଅଭିମୁଖେ ଯାଉଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇ ଫେରାର ହୋଇଯାଇଥିଲେ।
ଗଞ୍ଜେଇ କାରବାର ସଂପର୍କିତ ଖବର ସଂଗ୍ରହ କରୁଥିବା ଯୋଗୁ ତାଙ୍କୁ କେହି ଆକ୍ରୋଶମୂଳକ ଭାବେ ହତ୍ୟା କରିଥିବା ସେ ସନ୍ଦେହ କରୁଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି।
ରେଢ଼ାଖୋଲ-ନାକଟିଦେଉଳ ରାସ୍ତାର ଚମ୍ପାଳି ନାଳ ନିକଟରେ ଥିବା ପୋଲ ପାଖରୁ ଗତକାଲି ରମାକାନ୍ତ ମହାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେହି ବାଟ ଦେଇ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ତାଙ୍କୁ ଉଦ୍ଧାର କରି ନାକଟିଦେଉଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରୁ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନା ନିଆଯାଇଥିଲା ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ରମାକାନ୍ତଙ୍କ ବାଇକ୍ ରାସ୍ତାକଡ଼ରେ ଥିବା ସିମେଣ୍ଟ ନିର୍ମିତ ସୁରକ୍ଷା ଖୁଣ୍ଟିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସୂଚନା ଆସିଥିଲା। ତାଙ୍କ ଅଣ୍ଟାର ବାମ ପାର୍ଶ୍ୱରେ ଏକ ଲୁହା ରଡ୍ ପଶି ଯାଇଥିଲା।
ମୃତ୍ୟୁ ବେଳକୁ ରମାକାନ୍ତଙ୍କୁ ୪୭ ବର୍ଷ ହୋଇଥିଲା। ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
