Advertisment

ଏମ୍‌ସ ଭୁବନେଶ୍ୱରରେ ବିରଳ ଗଳା କର୍କଟର ସଫଳ ଅସ୍ତ୍ରୋପଚାର: ଲାଗିଲା ନୂଆ ଖାଦ୍ୟ ନଳୀ

ଅସ୍ତ୍ରୋପଚାର ଦ୍ୱାରା ବାକ୍‌ଯନ୍ତ୍ର, ଶ୍ୱାସନଳୀ ଓ ଖାଦ୍ୟନଳୀକୁ ବାହାର କରାଗଲା

 AIIMS Bhubaneswar

AIIMS Bhubaneswar

Advertisment

ଏମ୍ସ ଭୁବନେଶ୍ୱରରେ ହୋଇଛି ବିରଳ ଗଳା କର୍କଟର ସଫଳ ଅସ୍ତ୍ରୋପଚାର। ଦୀର୍ଘ ୧୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ଯୁବ ଡାକ୍ତରମାନେ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦେଇଛନ୍ତି ନୂଆ ଜୀବନ। ନୂଆ ଖାଦ୍ୟ ନଳୀ ଲଗାଯିବା ପରେ ଏବେ ଯୁବତୀ ଜଣଙ୍କ ସ୍ୱାଭିବକ ଭାବେ ଜୀବନ ବିତାଇବା ଆରମ୍ଭ କରିଛନ୍ତି। 

Advertisment

ବିକିରଣ (ରେଡିଏସନ୍‌) ଓ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ ଭଳି ରୋଗରେ ଯୁବତୀ ଜଣଙ୍କ ପୀଡ଼ିତ ଥିଲେ। ଏହାର କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନହିଁ। ତଥାପି ଏହି ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀ ଅଭିନବ ଉପାୟରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ କରିଛନ୍ତି।

ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସର ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ହେବ ଏହି ବିରଳ ଗଳା କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଏମ୍‌ସକୁ ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ହସ୍‌ପିଟାଲକୁ ଏହାର ଚିକିତ୍ସା କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କୁ କୌଣସି ସୁଫଳ ମିଳିନଥିଲା। ସବୁଆଡ଼ୁ ନିରାଶ ହେବା ପରେ ସେ ଭୁବନେଶ୍ୱର ଏମ୍ସକୁ ଆସିଥିଲେ। 

Advertisment

ବାକ୍‌ଯନ୍ତ୍ର ଓ ଖାଦ୍ୟନଳୀର ସଂଯୋଗସ୍ଥଳରେ ହୋଇଥିବା ଟ୍ୟୁମର ଯୋଗୁ ଯୁବତୀଜଣଙ୍କ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ। ସେ ଠିକ ଭାବେ କଥା ବି କହି ପାରୁ ନଥିଲେ। କଥା କହିବା ବେଳେ ସେ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେବେ ବିକିରଣ ଓ କେମୋ ପ୍ରତିରୋଧୀ ଏହି ବିରଳ କର୍କଟରୁ ଉପଶମ ଦେବା ତଥା ତାଙ୍କର ଜୀବନ ରକ୍ଷା କରିବାକୁ ଏମ୍‌ସ ଭୁବନେଶ୍ୱରର ଇଏନ୍‌ଟି ଓ ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗର ଯୁବ ଡାକ୍ତରମାନଙ୍କୁ ନେଇ ଗୋଟିଏ ୧୦ ଜଣିଆ ଟିମ ଗଠନ କରାଯାଇଥିଲା। ଏହି ଟିମର ସଦସ୍ୟମା ପ୍ରାୟ ୧୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର କରି ସଫଳତା ହାସଲ କରିଛନ୍ତି। 

ଇଏନ୍‌ଟି ବିଭାଗର ବିଶେଷଜ୍ଞ ଡାକ୍ତର ବାକ୍‌ଯନ୍ତ୍ର(ଭଏସ୍‌ ବକ୍ସ), ଶ୍ୱାସନଳୀ ଓ ଖାଦ୍ୟନଳୀର ଉପର ଭାଗ ଓ ଥାଇରଏଡ୍ ଗ୍ରନ୍ଥିର କିଛି ଅଂଶ ଅସ୍ତ୍ରୋପଚାର ଦ୍ୱାରା ବାହାର କରିଥିଲେ। ସେହିପରି ଗ୍ୟାଷ୍ଟ୍ରୋ ସର୍ଜରୀ ବିଶେଷଜ୍ଞ ବୃହଦ୍‌ନ୍ତ୍ର(କୋଲୋନ୍‌)ର ଏକ ଅଂଶକୁ କାଟି ବାହାର କରିବା ସହିତ ଏହାକୁ ଛାତି ମଧ୍ୟରେ ସ୍ତନ ହାଡ଼(ଷ୍ଟର୍ନମ୍‌) ତଳେ ଓ ହୃତ୍‌ପିଣ୍ଡ ନିକଟରେ ଏକ କୃତ୍ରିମ ଟନେଲ୍‌ ସୃଷ୍ଟି କରି ଜିଭର ମୂଳ ସହିତ ପାକସ୍ଥଳୀକୁ ସଂଯୋଗ କରିଥିଲେ।

ଏହି ପ୍ରକ୍ରିୟା ଦ୍ୱାରା ଯୁବତୀଙ୍କର ଏକ ନୂତନ ଖାଦ୍ୟନଳୀ ସୃଷ୍ଟି କରାଯାଇପାରିଛି। ଏହି ଜଟିଳ ଓ ବିରଳ କର୍କଟ ରୋଗର ଅଭିନବ ଉପାୟରେ ହୋଇଥିବା ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଆଇସିୟୁରେ ରଖାଯାଇଥିଲା। ଅସ୍ତ୍ରୋପଚାରର ଦୁଇ ମାସ ପରେ ଯୁବତୀ ଜଣଙ୍କ ବର୍ତ୍ତମାନ ସୁସ୍ଥ ଅନୁଭବ କରିବା ସହିତ ସ୍ୱାଭାବିକ ଭାବେ ଶ୍ୱାସକ୍ରିୟା କରୁଛନ୍ତି। ଏଥିସହ ଠିକ ଭାବେ ଖାଦ୍ୟ ମଧ୍ୟ ଖାଇବାକୁ ସକ୍ଷମ ହୋଇଛନ୍ତି। 

ଏପରି ଯନ୍ତ୍ରଣାଦାୟକ ପ୍ରାଣଘାତୀ କର୍କଟ ରୋଗର ସଫଳ ଅସ୍ତ୍ରୋପଚାରକୁ ନେଇ ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଖୁସି ବ୍ୟକ୍ତ କରିଛନ୍ତି। ଏମ୍‌ସ ସର୍ବଦା ଏପରି ଆହ୍ୱାନପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏନେଇ ସମ୍ପୂର୍ଣ୍ଣ ଡାକ୍ତରୀ ଦଳଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ମଧ୍ୟ ଏପରି ଜୀବନରକ୍ଷାକାରୀ କାର୍ଯ୍ୟ ଜାରି ରଖିବାକୁ ସେ ଉତ୍ସାହିତ କରିଛନ୍ତି। 

ଇଏନ୍‌ଟି ବିଭାଗର ସହଯୋଗୀ ପ୍ରଫେସର୍‌ ଡାକ୍ତର  ଦିଲ୍ଲୀପ କୁମାର ସାମଲ, ଗ୍ୟାଷ୍ଟ୍ୟୋ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡା ତନ୍ମୟ ଦତ୍ତ, ଜରୁରୀକାଳୀନ ବିଭାଗର (ନିଶ୍ଚେତକ) ସହକାରୀ ପ୍ରଫେସର୍‌ ଡା ଅଜିତେଶ ସାହୁ ପ୍ରମୁଖ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ।

ବରିଷ୍ଠ ଆବାସିକ ଡାକ୍ତର ଓ ନର୍ସିଂ କର୍ମଚାରୀମାନେ ମଧ୍ୟ ଏହି ଅସ୍ତ୍ରୋପଚାରରେ ସହଯୋଗ କରିଥିଲେ। ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର୍‌ ପ୍ରଦୀପ୍ତ କୁମାର ପରିଡ଼ା ଏହି ଅସ୍ତ୍ରୋପଚାରର ନିରୀକ୍ଷଣ କରିଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ଏପରି ସଫଳ ଅସ୍ତ୍ରୋପଚାର ନେଇ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। 

Odisha Bhubaneswar AIMMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe