Advertisment

Ratna Bhandar ଖୁବଶୀଘ୍ର ଖୋଲିବ: ଗଠନ ହେଲା ଦୁଇଟି ସ୍ୱତନ୍ତ୍ର କମିଟି, ୧୪ ପୃଷ୍ଠାର ଏସଓପିକୁ ମଞ୍ଜୁରୀ

ଗୋଟିଏ ସୁପରଭାଇଜରୀ କମିଟି ବା ତଦାରଖ କମିଟି ଯିଏକି ସମ୍ପୂର୍ଣ୍ଣ କାର୍ଯ୍ୟର ଅନୁଧ୍ୟାନ କରିବେ। ଅନ୍ୟଟି ହେଉଛି ହ୍ୟାଣ୍ଡଲିଂ କମିଟି, ଯାହାର ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ଅଳଙ୍କାରଗୁଡ଼ିକର ଗଣତି ଓ ମୂଲ୍ୟାୟନ କାର୍ଯ୍ୟ କରିବେ ।

author-image
Prakaash Sethi
RATNA-BHANDAR


ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଖୋଲି ଖୁବଶୀଘ୍ର ରତ୍ନ ଅଳଙ୍କାର ମଣତିଗଣତି କରାଯିବ। ଏଥିପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ ସହ ୧୪ପୃଷ୍ଠାର ଏସଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)କୁ ଅନୁମୋଦନ ମିଳିଛି। ହାଇକୋର୍ଟଙ୍କ କଠୋର ଆଭିମୁଖ୍ୟ ପରେ ପ୍ରାୟ ୨୮ବର୍ଷ ପରେ ରତ୍ନଭଣ୍ଡାରର ରତ୍ନଅଳଙ୍କାର ମଣତିଗଣତି ହେବା ନେଇ ମାର୍ଗ ପ୍ରଶସ୍ତ ହୋଇଛି ।

Advertisment

ରତ୍ନଭଣ୍ଡାର ସୁରକ୍ଷା ପାଇଁ ଦୁଇଟି ସ୍ୱତନ୍ତ୍ର କମିଟି

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ଏହାର ଠିକ୍ ମୂଲ୍ୟାୟନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ପୃଥକ କମିଟି ଗଠନ କରାଯାଇଛି। ଗୋଟିଏ ସୁପରଭାଇଜରୀ କମିଟି ବା ତଦାରଖ କମିଟି ଯିଏକି ସମ୍ପୂର୍ଣ୍ଣ କାର୍ଯ୍ୟର ଅନୁଧ୍ୟାନ କରିବେ । ଅନ୍ୟଟି ହେଉଛି ହ୍ୟାଣ୍ଡଲିଂ କମିଟି, ଯାହାର ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ଅଳଙ୍କାରଗୁଡ଼ିକର ଗଣତି ଓ ମୂଲ୍ୟାୟନ କାର୍ଯ୍ୟ କରିବେ ।

ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାରର ମଣତିଗଣତି କାର୍ଯ୍ୟ ପାଇଁ ରାଜ୍ୟ ଏକ ୧୪ପୃଷ୍ଠାର ଏକ ଏସଓପିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଏସଓପିରେ ରତ୍ନଭଣ୍ଡାର ଖୋଲିବାଠୁ ଆରମ୍ଭ କରି ଗଣତିମଣତି, ଡିଜିଟାଲ ଦସ୍ତାବିଜ ପ୍ରସ୍ତୁତ, ସୁରକ୍ଷା ବ୍ୟବସ୍ଥା ଓ ମୂଲ୍ୟାୟନ ଶୈଳୀ ସମ୍ପର୍କରେ ସବିଶେଷ ନିୟମାବଳୀ ରହିଛି। ସରକାଣଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ପ୍ରଶାସନ ଓ ବରିଷ୍ଠ ଅଧିକାରୀମାନେ ଏହି ନିୟମାବଳୀର ସଫଳ ରୂପାୟନକୁ ନେଇ ଆଲୋଚନା କରିଛନ୍ତି।

Advertisment

୧୩୫ଦିନ କ୍ୟାଲେଣ୍ଡର ମଧ୍ୟରୁ ୨୪ଦିନ ଚିହ୍ନଟ

ରତ୍ନଭଣ୍ଡାର ଗଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ମାର୍ଚ୍ଚ ମାସରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରାୟ ୧୩୫ଦିନର କ୍ୟାଲେଣ୍ଡରକୁ ଅନୁଧ୍ୟାନ କରିଛନ୍ତି। ସେଥିରୁ ପ୍ରାୟ ୧୦୦ ଦିନ ବିଭିନ୍ନ ପର୍ବପର୍ବାଣୀ, ରଥଯାତ୍ରା ଭଳି ବଡ଼ ନୀତିକାନ୍ତି ଓ ଶନିବାର-ରବିବାର ପଡ଼ୁଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ରହିବ, ଯେଉଁଥିପାଇଁ ଏସବୁ ଦିନଗୁଡ଼ିକ ମଣତିଗଣତି ପାଇଁ ଅନୁପଯୁକ୍ତ। ତେଣୁ ନୀଳାଦ୍ରି ବିଜେ ପୂର୍ବରୁ ମାତ୍ର ୨୪ ଦିନକୁ ଚିହ୍ନଟ କରାଯାଇଛି, ଯେଉଁ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି କିମ୍ବା ଶ୍ରଦ୍ଧାଳୁଙ୍କ ଦର୍ଶନରେ କୌଣସି ବାଧା ସୃଷ୍ଟି ନକରି ଗଣତି କାର୍ଯ୍ୟ କରାଯାଇପାରିବ ବୋଲି ଜଣାପଡ଼ିଛି।

ଏହି ସମଗ୍ର ଗଣତି ପ୍ରକ୍ରିୟାବେଳେ ଶ୍ରୀମନ୍ଦିରର ସମ୍ପତ୍ତିର ସଠିକ୍ ଦସ୍ତାବିଜ ପ୍ରସ୍ତୁତ କରିବା ସହ ଏଥିରେ ପାରଦର୍ଶିତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଶେଷଥର ୧୯୭୮ ମସିହାରେ ଗଣତିବେଳେ ପ୍ରସ୍ତୁତ ହୋଇଥିବା ରତ୍ନଭଣ୍ଡାର ତାଲିକା ସହ ବର୍ତ୍ତମାନର ଅଳଙ୍କାରଗୁଡ଼ିକୁ ମେଳ କରାଯିବ । ଯାହାଫଳରେ ମହାପ୍ରଭୁଙ୍କ ଅଳଙ୍କାରର ସୁରକ୍ଷା ନିଶ୍ଚିତ ହେବା ସହ ଜନସାଧାରଣଙ୍କ ମନରେ ଥିବା ସନ୍ଦେହ ଦୂର ହୋଇପାରିବ। ଏହି କାର୍ଯ୍ୟକୁବୈଜ୍ଞାନିକ ଓ ପାରମ୍ପରିକ ପଦ୍ଧତିରେ ଶେଷ କରିବାକୁ ପ୍ରଶାସନ ଯୋଜନା କରିଛି।


ଚୂଡ଼ାନ୍ତ ନିଷ୍ପତ୍ତି ନେବ ପରିଚାଳନା କମିଟି

ଗଣତି ପାଇଁ ଚିହ୍ନଟ କରାଯାଇଥିବା ସମ୍ଭାବ୍ୟ ତାରିଖଗୁଡ଼ିକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିକଟରେ ଉପସ୍ଥାପନ କରାଯାଇଛି । ପରିଚାଳନା କମିଟି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ଶୁଭ ମୁହର୍ତ୍ତକୁ ବିଚାରକୁ ନେଇ ଗଣତି ଆରମ୍ଭ ହେବାର ତାରିଖ ଓ ସମୟ ଘୋଷଣା କରିବେ । ଏହି ସମଗ୍ର ପ୍ରକ୍ରିୟା ପାଇଁ ଭିନ୍ନ ଭିନ୍ନ ଅଧିକାରୀଙ୍କୁ ର୍ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତି ମୁତାବକ  
ପ୍ରାୟ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ତାରିଖରେ ରତ୍ନଭଣ୍ଡାର(Ratna Bhandar ) ଖୋଲାଯାଇଥିଲା। ରତ୍ନଭଣ୍ଡାର ଭିତରେ ଥିବା ସମସ୍ତ ସୁନା ଓ ରୁପା ଅଳଙ୍କାରକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ମନ୍ଦିର ପରିସରରେ ଥିବା ଏକ ଅସ୍ଥାୟୀ ‘ଷ୍ଟ୍ରଙ୍ଗ ରୁମ’କୁ ସ୍ଥାନାନ୍ତର କରାଯିବା ସହ ରତ୍ନଭଣ୍ଡାର କୋଠରୀର କାନ୍ଥ ଓ ଛାତର ସ୍ଥିତି ଯାଂଚ କରି ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି ।

Ratna Bhandar