Advertisment

୩୮ ଲକ୍ଷର ପାଇପ୍‌ ଚୋରି କରିଥିଲେ, ୫ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ମେଗା ପାନୀୟ ଜଳ ପ୍ରକଳ୍ପରେ ଗାଁକୁ ଗାଁ ପାନୀୟ ଜଳ ଯୋଗାଇ ଦେବାକୁ ବିଛା ଯାଇଥିଲା ପାଇପ୍‌ । ସୁଯୋଗ ଦେଖି ୫ ଜଣ ଲୁଟି ନେଲେ ୩୮ ଲକ୍ଷ ଟଙ୍କାର ପାଇପ୍ ।

author-image
Niharika Rout
ଅଦ୍ୟତନ ହୋଇଛି
Image

Image

ଗାଁକୁ ଗାଁ ପାନୀୟ ଜଳ ଯୋଗାଇ ଦେବାକୁ ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ବିଛା ଯାଇଥିଲା ଲକ୍ଷ ଲକ୍ଷ ଟଙ୍କାର ପାଇପ୍‌। ହେଲେ କାମ୍‌ ଚାଲିଥିବା ବେଳେ ହିଁ ସେଥିରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୁଯୋଗ ଦେଖି ଲୁଟି ନେଲେ ୩୮ ଲକ୍ଷ ଟଙ୍କାର ପାଇପ୍ । ହେଲେ ଏହି ପାଇପ୍‌ ଚୋରି ଅଭିଯୋଗରେ ପୁଲିସ୍‌ ୫ ଜଣଙ୍କୁ ବାନ୍ଧିଛି। ଏହି ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଘଟିଛି। 

Advertisment

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିଷମକଟକ ଥାନା ଅନ୍ତର୍ଗତ ଗୋତିଗୁଡା ଗାଁର ଜଗବନ୍ଧୁ ଜେନା, ରଞ୍ଜନ ପେରିସିକା, ବିଷମକଟକ ଥାନା ବଡ଼ ହରିଜନ ସାହିର ଦୁର୍ଯ୍ୟ କୌଶଲିଆ, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ପ୍ରବୀଣ ବାରଣାସି ଓ ରାଜେଶ ବାରଣାସି ଥିବା ଜଣାପଡ଼ିଛି। ବିଷମକଟକ ଅଞ୍ଚଳର ସଂପୃକ୍ତ ବ୍ୟକ୍ତିମାନେ ଏହି ସବୁ ପାଇପକୁ ଶ୍ରୀକାକୁଲମର ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ଼ ସ୍କ୍ରାପ୍ କମ୍ପାନିକୁ ବିକ୍ରି କରିଥିଲେ । 

 କିଛି ଦିନ ହେବ ବିଷମକଟକ ବ୍ଲକର କୁମ୍ଭାରଢ଼ାମୁଣି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିଲା। ମାତ୍ର ଏହି ନିର୍ମାଣ କାର୍ଯ୍ୟରେ ବିଛାଯାଇଥିବା ୩୫୪ଟି କାଷ୍ଟ ଆଇରନ୍ ପାଇପ ସେଠାରୁ ଚୋରି ହୋଇଥିଲା।

Advertisment

ଏ ନେଇ ପ୍ରକଳ୍ପର ଠିକାଦାର ଗତ ଡିସେମ୍ବର ୨୪ ତାରିଖରେ ଏବଂ ଜାନୁଆରୀ ୪ ତାରିଖରେ ୨ଟି ଏତଲା ବିଷମକଟକ ଥାନାରେ ଏତଲା ଦେଇଥିଲେ। ଥାନାରେ ଦୁଇଟି ମାମଲ ରୁଜୁ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

କୁମ୍ଭାରଢାମୁଣି ଅଞ୍ଚଳର ଜଗବନ୍ଧୁ ଏବଂ ରଞ୍ଜନଙ୍କ ଉପରେ ପୁଲିସର ସନ୍ଦେହ ହେବାରୁ ଜେରା କରି ଏହି ଚୋରିର ଆନ୍ଧ୍ର ଲିଙ୍କ୍ ଥିବା ସୂଚନା ପାଇଥିଲା। ବିଷମକଟକ ପୁଲିସ୍‌ ଶ୍ରୀକାକୁଲମର ଶ୍ରୀଗଣେଷ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଉପରେ ଚଢ଼ାଉ କରି ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏହାପରେ ସେମାନଙ୍କ ଆଉ ୩ ସହଯୋଗୀଙ୍କୁ ବାନ୍ଧିଛି ପୁଲିସ୍‌ ।

ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ଚୋରିରେ ବ୍ୟବହୃତ ହୋଇଥିବା ଟ୍ରକ୍ ସହ ଲକ୍ଷାଧିକ ଟଙ୍କାର ପାଇପ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୮ଲକ୍ଷ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। 

ଏନେଇ ବିଷମକଟକ ଏସଡିପିଓ ଆକାଶ କୁମାର ସାହୁ କହିଛନ୍ତି,  ୩୫୪ଟି କାଷ୍ଟ ଆଇରନ୍ ପାଇପ ଚୋରି ହେବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏଥିରେ କିଛି ଲୋକଙ୍କୁ ପଚରାଯିବାରୁ ସେମାନ ଟ୍ରକ୍‌ରେ ୫ ଥର ଲୋଡ କରି ପାଇପ୍‌ ସବୁ ଶ୍ରୀକାକୁଲମ ନେଇ ଯାଇଥିବା ଜଣାପଡ଼ିଲା। ଏହି ଘଟଣାରେ ୫ ଜଣଙ୍କୁ ବାନ୍ଧି ଘଟଣାର ତଦନ୍ତ କରୁଛୁ । ଏହି ମାମଲାର ତଦନ୍ତ ଆଗକୁ ଚାଲିବ ଓ ଅନ୍ୟ ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କୁ ବି ବନ୍ଧା ଯିବ ।

Criminal Arrested