କଲ୍ୟାଣସିଂପୁର(ମାଉଡ଼ି ବାରିକ୍): ଭୋକ ମେଣ୍ଟାଉଛି ସଲପ ଜାଉ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳ ପାରସାଲି ପଞ୍ଚାୟତର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନେ ଏବେବି ସଲପ ଗଛର ଶୁଖିଲା କାଣ୍ଡର ଚୁନାକୁ ଜାଉ କରି ଖାଉଛନ୍ତି। ତେବେ ଏହା ଅଖାଦ୍ୟ ଓ ଏହା ଦ୍ୱାରା ଝାଡାବାନ୍ତି ଵ୍ୟାପିପାରେ ବୋଲି କହିଛନ୍ତି ବିଡିଓ।
ଶୁଖିଯାଇଥିବା ସଲପ ଗଛର ଛୋଟ ଛୋଟ କାଠକୁ ସଂଗ୍ରହ କରି ପିଠି ଗୁଣ୍ଡ କରନ୍ତି ଆଦିବାସୀ। ଏହି ଗୁଣ୍ଡକୁ ଚକିରେ ଘୁରେଇ ଚାଲୁଣିରେ ଚଲେଇ ବାହାର କରନ୍ତି ଚୁନା। ଚୁନାକୁ ଗୋଟାଏ ଦିନ ବତରେଇ ଗରମ ପାଣି ରେ ଗୋଳାଇ ପ୍ରସ୍ତୁତ କରୁଛନ୍ତି ସଲପ ଜାଉ। ଏହି ସଲପ ଜାଉକୁ ଜଙ୍ଗଲି ଶାଗ ସହିତ ଖାଉଛନ୍ତି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ଅଞ୍ଚଳ ପାରାସାଲି ପଞ୍ଚାୟତ ବୁଡୁଣୀ ଗାଁର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ସଲପ ଯାଉ ସ୍ୱାସ୍ଥ୍ୟପକ୍ଷେ ହାନିକାର ହୋଇଥିଲେ ମଧ୍ୟ ବଞ୍ଚିବା ପାଇଁ ସେମାନେ ଏହା ଖାଇବାକୁ ବାଧ୍ୟ ହେଉଛନ୍ତି। ଏହା ସେମାନଙ୍କର ଏକ ପାରମ୍ପରିକ ଖାଦ୍ୟ ମଧ୍ୟ।
ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ରହିଥିବା ନିୟମଗିରି ପର୍ବତ ଉପରେ ବସ୍ ବାସ କରୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ମୁଖ୍ୟସ୍ରୋତରେ ପହଞ୍ଚାଇବା ତଥା ପାଇଁ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ନିମନ୍ତେ ୧୯୮୬ମସିହାରେ ସରକାରଙ୍କ ସ୍ୱତନ୍ତ୍ର ବିଭାଗ "ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା"(DKDA) ନାମରେ କାର୍ଯ୍ୟକାରୀ ହୋଇଥିଲା । ୨୦୧୭ ମସିହାରେ ପୁଣି ଆଉ ଗୋଟିଏ ବିଭାଗ ଯୋଡା ଗଲା । ସେହି ବିଭାଗ ହେଉଛି "ଓଡିଶା ଆଦିମ ଜନଜାତି ସହସକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ। ଅର୍ଥାତ୍ ଓ.ପି.ଇ.ଲି.ପି(Odisha PVTG Empowermentand livelihoods improvement programma)। ଏହି ବିଭାଗକୁ ଓଡିଶା ସରକାର ଓ ଆଇଫୋଡ୍ (IFAD) କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି। ଏହାର ପରିଚାଳା ଓ ଖର୍ଚ୍ଚ କରିବା ଦାୟିତ୍ଵ "ଫାର୍ ମୁନିଗୁଡା" ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା କୁ ଦିଆଯାଇଛି।ହେଲେ ଏମାନଙ୍କ ଉନ୍ନତି ପାଇଁ ଏହି ଦୁଇ ବିଭାଗ ଜରିଆରେ ଆସିଥିବା କୋଟି କୋଟି ଟଙ୍କା କୁ କାର୍ଯ୍ୟର ତଦାରଖ ଦାୟିତ୍ୱରେ ଥିବା ଅଧିକାରୀ ଲୁଟ୍ କରୁଥିବା ଅଭିଯୋଗ ହେଉଛି।
ଦୀର୍ଘ ୩୫ ବର୍ଷ ହେଵ ଏହି ଦୁଇ ବିଭାଗର ଏହି ଅଞ୍ଚଳର ଲୋକଙ୍କ ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଏବେବି ଏମାନେ ସଲପ ଜାଉ ପରି ଅଖାଦ୍ୟ ଖାଇ ବଞ୍ଚୁଛନ୍ତି ଡଙ୍ଗରିଆ କନ୍ଧ।
ସଲପ ଜାଉ ଅଖାଦ୍ୟ । କିନ୍ତୁ ଡଙ୍ଗରିଆ କନ୍ଧମାନେ ଏହାକୁ ଖାଉଛନ୍ତି । ଏଣୁ ମୁଁ ନିଜେ ଯାଇ ଦେଖି ନଖାଇବକୁ ସଚେତନ କରିଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଲୁ ଚରଣ ନାୟକ କହିଛନ୍ତି । କିନ୍ତୁ ଡିକେଡିଏ ଓ ଓପିଲିପି ବିଭାଗରେ କର୍ମଚାରୀ ଡଙ୍ଗରିଆ କନ୍ଧଙ୍କ ଉନ୍ନତି ନାମରେ ଆସୁଥିବା ଅର୍ଥ ବ୍ୟାପକ ହେରଫେର ଅଭିଯୋଗକୁ ସେ ଏଡ଼ାଇ ଦେଇଛନ୍ତି।