/odisha-reporter/media/post_attachments/uploads/2021/11/sub-collector.jpg)
sub-collector
ରାୟଗଡ଼ା (ମନୋଜ କୁମାର ପାତ୍ର): ରାସ୍ତା କଡରେ ଛାଡ଼ି ଦେଇଗଲା ଅଟୋ ଡ୍ରାଇଭର। ହସ୍ପିଟାଲକୁ ଯିବାକୁ ଆସିଲାନି ଆମ୍ବୁଲାନ୍ସ। ହେଲେ ରାସ୍ତା କଡ଼ରେ ଅସହାୟ ହୋଇ ପଡି ରହିଥିବା ଜଣେ ବୃଦ୍ଧ ରୋଗୀକୁ ମାନବିକତା ଦେଖାଇ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସିତ କଲେ ଉପଜିଲ୍ଲାପାଳ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ। ରାୟଗଡା ସହରର ଜିସିଡି ହାଇସ୍କୁଲ ରାସ୍ତା କଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଜଣେ ରୋଗୀକୁ ନିଜ ଗାଡିରେ ଡାକ୍ତରଖାନା ନେଇ ମହାନତାର ପରିଚୟ ଦେଇଛନ୍ତି ଉପଜିଲ୍ଲାପାଳ।
ରାୟଗଡା ଜିଲ୍ଲା କୋତାପେଟା ଗ୍ରାମର ଜଣେ ବୃଦ୍ଧ ପି. ରାମୁଲୁ ଆଜି ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ବସ୍ ଯୋଗେ ରାୟଗଡା ଆସିଥିଲେ। ରାୟଗଡା ବସ୍ଷ୍ଟାଣ୍ଡରେ ପହଞ୍ଚିବା ପରେ ଏକ ଅଟୋରିକ୍ସାରେ ଡାକ୍ତରଖାନା ଯାଉଥିଲେ। ହେଲେ ଜିସିଡି ହାଇସ୍କୁଲ ରୋଡରେ ଏକ ରାଲି ଓ ସରକାରୀ କାର୍ଯ୍ୟକ୍ରମ ଚାଲୁଥିବାରୁ ରାସ୍ତା ବନ୍ଦ ହୋଇଯାଇଥିଲା। ଯେଉଁ କାରଣରୁ ଅଟୋଚାଳକ ରାମୁଲୁଙ୍କୁ ରାସ୍ତାକଡ଼ରେ ଛାଡି ଚାଲିଯାଇଥିଲେ। ଦୀର୍ଘ ସମୟ ଧରି ସେଠାରେ ପଡ଼ି ରହିଥିବା ରାମୁଲୁଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ କେହିବି ସାହାଯ୍ୟ କରିନଥିଲେ।
ରାସ୍ତାକଡରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ସ୍ଥାନୀୟ କିଛି ଯୁବକ ଆଗେଇ ଆସିଥିଲେ। ସେମାନେ ଆମ୍ବୁଲାନ୍ସ ପଠାଇବାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମ୍ୟାନେଜରକୁ ଯୋଗାଯୋଗ କରି ଅନୁରୋଧ କରିଥିଲେ। ହେଲେ ହସ୍ପିଟାଲରେ ଆମ୍ବୁଲାନ୍ସର କୌଣସି ବ୍ୟବସ୍ଥା ନଥିବା ସେଠାକାର ମ୍ୟାନେଜର କହିଥିବା ଅଭିଯୋଗ ହୋଇଛି। ଆଉ ସେହି ସମୟରେ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସେହି ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ରେ ଗହଳି ଦେଖି ଅଟକି ଯାଇଥିଲେ।
ଘଟଣା ସଂପର୍କରେ ଜାଣିବା ପରେ ବୃଦ୍ଧ ରୋଗୀଙ୍କୁ ନିଜ ସରକାରୀ ଗାଡ଼ିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ଓ ତାଙ୍କର ଚିକିତ୍ସା କରାଇଥିଲେ। ସେତେବେଳେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରିସରରେ ୫ଟି ଆମ୍ବୁଲାନ୍ସ ରହିଥିଲେ ବି ଗୋଟିଏ ହେଲେ ଆମ୍ବୁଲାନ୍ସ ରୋଗୀକୁ ଆଣିବାକୁ ନଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜରୁରୀ ସମୟରେ ଯଦି ଆମ୍ବୁଲାନ୍ସ ଅସହାୟ ରୋଗୀଙ୍କ କାମରେ ନଆସେ ତାହେଲେ ଆମ୍ବୁଲାନ୍ସ ରହିବାର ମୂଲ୍ୟ କଣ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଅନ୍ୟପକ୍ଷରେ ଉପଜିଲ୍ଲାପାଳ କହିଛନ୍ତି ଯେ ରୋଗୀକୁ ନେବା ପାଇଁ ଆମ୍ବୁଲାନ୍ସ ଆସୁଥିଲା। ଯେହେତୁ ସେ ସେହି ବାଟରେ ଯାଉଥିଲେ, ତେଣୁ ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ରୋଗୀଙ୍କୁ ହସ୍ପିଟାଲ ନେଇ ଆସିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
