Advertisment

ଇଚ୍ଛାଧୀନ କୋଟା ପାଇଁ ସରକାରୀ ଦରଦ: ପୁଣି ସଂଶୋଧନ, ଅଛୁଆଁ ହେଲେ ତାରା ଦତ୍ତ

ବହୁଚର୍ଚ୍ଚିତ ଇଚ୍ଛାଧୀନ କୋଟାରେ ଆବଂଟିତ ଘର ଓ ପ୍ଲଟକୁ ରଦ୍ଦ କରିବା ନିମନ୍ତେ ତାରା ଦତ୍ତକମିଟି(ଟାସ୍କଫୋର୍ସ)ର ସୁପାରିଶକୁ ୯ବର୍ଷ ତଳେ ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରି ଯେଭଳି କିଛି ଗୋଟେ ମସ୍ତବଡ଼ ଭୁଲ୍ କରିଦେଇଛନ୍ତି ।

Loka Seva Bhaban

Loka Seva Bhaban

Advertisment

ବହୁଚର୍ଚ୍ଚିତ ଇଚ୍ଛାଧୀନ କୋଟାରେ ଆବଂଟିତ ଘର ଓ ପ୍ଲଟକୁ ରଦ୍ଦ କରିବା ନିମନ୍ତେ ତାରା ଦତ୍ତକମିଟି(ଟାସ୍କଫୋର୍ସ)ର ସୁପାରିଶକୁ ୯ବର୍ଷ ତଳେ ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରି ଯେଭଳି କିଛି ଗୋଟେ ମସ୍ତବଡ଼ ଭୁଲ୍ କରିଦେଇଛନ୍ତି । ଟାସ୍କଫୋର୍ସ ସୁପାରିଶକୁ ବାରମ୍ବାର ସଂଶୋଧନ କରି ଇଚ୍ଛାଧୀନ କୋଟାକୁ ବୈଧ କରିବା ପାଇଁ ଏବେ ସରକାର ଲାଗି ପଡ଼ିଛନ୍ତି । ସେଇଥିପାଇଁ ଇଚ୍ଛାଧୀନ କୋଟା ସଂକ୍ରାନ୍ତ ତାରାଦତ୍ତ ଟାସ୍କଫୋର୍ସଙ୍କ ଯେଉଁ ସୁପାରିଶକୁ ରାଜ୍ୟ କ୍ୟାବିନେଟ୍ ୨୦୧୪ ଡିସେମ୍ବର ୧୮ତାରିଖରେ ଅନୁମୋଦନ କରିଥିଲେ ଏବେ ବିଗତ ୭ମାସ ମଧ୍ୟରେ ଏହାର ଦୁଇ ଦୁଇଥର ସଂଶୋଧନ କରି ଇଚ୍ଛାଧୀନ କୋଟାକୁ ବୈଧ କରିବା ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି ।

Advertisment

ସରକାରୀ ଜମିକୁ ନିଜର ପ୍ରଭାବ ବଳରେ ହାତେଇଥିବା ବ୍ୟକ୍ତିମାନଙ୍କୁ ଆଇନଗତ ମାଲିକାନା ହକ୍ କିଭଳି ଦେଇହେବ ଓ ସେମାନଙ୍କର ଉତ୍ତରାଧିକାରୀମାନଙ୍କୁ ମାଲିକାନା ସୁବିଧାସୁଯୋଗ ପ୍ରଦାନ କରିହେବ ସେ ନେଇ ରାଜ୍ୟ ସରକାରଙ୍କ ଦରଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ୭ମାସ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ଟାସ୍କଫୋର୍ସଙ୍କ ନିଷ୍ପତ୍ତିରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ ଦେଇଛନ୍ତି । ତେବେ ଆଜି ରାଜ୍ୟ କ୍ୟାବିନେଟ୍ ବିବରଣୀରେ ଇଚ୍ଛାଧୀନ କୋଟା ସଂକ୍ରାନ୍ତ ଟାସ୍କଫୋର୍ସର ଉଲ୍ଲେଖ ଥିଲେ ମଧ୍ୟ ଟାସ୍କଫୋର୍ସର ଅଧ୍ୟକ୍ଷ ତାରା ଦତ୍ତଙ୍କ ନାଁ କୌଣସି ସ୍ଥାନରେ ସରକାରୀ ଭାବେ ଉଲ୍ଲେଖ ହୋଇନି, ଏପରିକି ପ୍ରେସ୍ ବିବୃତ୍ତିରେ ବି ତାରା ଦତ୍ତଙ୍କ ନାଁ ବାଦ୍ ଦିଆଯାଇଥିବା ଦେଖିବାକୁ ମିଳିଛି ।

ପ୍ରେସ୍ ବିବୃତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ଟାସ୍କଫୋର୍ସ ରିପୋର୍ଟ ପରିଶିଷ୍ଟ ଭିଏରେ ଉଲ୍ଲେଖିତ ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକରେ ଲିଜ୍ ଦଲିଲ ସମ୍ପାଦନ ଓ ଅନ୍ୟାନ୍ୟ ଆବଂଟନ ପରବର୍ତ୍ତରୀ କାର୍ଯ୍ୟାବଳୀ ସମ୍ପର୍କିତ ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛନ୍ତି । ଟାସ୍କଫୋର୍ସ ତାଙ୍କର ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିଶ କରିଛନ୍ତି ଯେ, ଇଚ୍ଛାଧୀନ କୋଟା ଆବଂଟନଗ୍ରାହୀ ଓ ଏକାଧିକ ଆବଂଟନଗ୍ରାହୀମାନଙ୍କ ଦ୍ୱାରା ଦଖଲ ପରବର୍ତ୍ତୀ ହସ୍ତାନ୍ତର ମାମଲାଗୁଡ଼ିକ ରଦ୍ଦ କରାଯିବା ଉଚିତ୍ ।

Advertisment

ଅଧିକନ୍ତୁ ଏହି ରିପୋର୍ଟରେ ଏହା ମଧ୍ୟ ସୂଚିତ ହୋଇଛି ଯେ, ନ୍ୟାୟସଙ୍ଗତ ଉପାୟରେ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ପ୍ରାପ୍ତ ହୋଇଥିବା ଏକକ ପ୍ଲଟ/ ଗୃହ/ ଫ୍ଲାଟର ଆବଂଟନ କ୍ଷେତ୍ରରେ ଏହା ରଦ୍ଦ କରାଯିବ ନାହିଁ । ତେଣୁ କ୍ୟାବିନେଟ୍ ନିଷ୍ପତ୍ତି ନେଲେ ଯେ, ନ୍ୟାୟସଙ୍ଗତ ଉପାୟରେ ଓ ବିହିତ ପ୍ରକ୍ରିୟା ଓ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସରଣରେ ଆବଂଟିତ ହୋଇଥିବା ଏକକ ପ୍ଲଟ/ଫ୍ଲାଟ/ଗୃହ ଯାହା ଦଖଲ ସତ୍ତ୍ୱ ଭିତ୍ତିରେ ପରବର୍ତ୍ତୀ ସମୟରେ ମୂଳ ଆବଂଟନଗ୍ରାହୀମାନଙ୍କ ଦ୍ୱାରା ବିଧିସମ୍ମତ ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି, ସେଭଳି ମାମଲାଗୁଡ଼ିକୁ ଟାସ୍କଫୋର୍ସ ରିପୋର୍ଟ ପରିଧିରୁ ବାଦ୍ ଦିଆଯିବ ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଇଚ୍ଛାଧୀନ କୋଟାକୁ ନେଇ ହଟଚମଟ ପରେ ୨୦୧୧ ମସିହାରେ ସମସ୍ତ ଇଚ୍ଛାଧୀନ କୋଟାକୁ ରଦ୍ଦ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ କାହିଁକି ଇଚ୍ଛାଧୀନ କୋଟାଧାରୀଙ୍କ ପ୍ରତି ଅହେତକୁ ଅନୁକମ୍ପା ଦେଖାଉଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଗଢ଼ିଥିବା ତାରାଦତ୍ତ ଟାସ୍କଫୋର୍ସଙ୍କ ସୁପାରିଶକୁ ସ୍ୱୀକାର କରିବା ସହ ଉକ୍ତ ରିପୋର୍ଟକୁ ରାଜ୍ୟ କ୍ୟାବିନେଟ୍ ୨୦୧୪ ଡିସେମ୍ବର ୧୮ରେ ଅନୁମୋଦନ କରିଥିଲେ । କୋର୍ଟ-କେଚରୀର ଆଳ ଦେଖାଇ ଇଚ୍ଛାଧୀନ କୋଟାରେ ସରକାରୀ ଜମିଗୁଡ଼ିକୁ ହାତେଇଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାରୀସ୍ତରରେ ଏବେ ତତ୍ପରତା ପ୍ରକାଶ ପାଇଛି । ଯେଉଁ କାରଣରୁ ରାଜ୍ୟ କ୍ୟାବିନେଟ୍ ୨୦୨୨ ନଭେମ୍ବର ୧୯ତାରିଖରେ ନିଜର ୮ବର୍ଷ ପୁରୁଣା ନିଷ୍ପତ୍ତିରୁ ଓହରି ଯାଇ ତାରା ଦତ୍ତ ଟାସ୍କଫୋର୍ସ ସୁପାରିଶ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ । ୭ମାସ ତଳେ ରାଜ୍ୟ କ୍ୟାବିନେଟ୍ ଏହି ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିଶରେ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଥିଲେ । ଏବେ ପୁଣି ସେହି ଅନୁଚ୍ଛେଦରେ ଆଉ ହିତାଧିକାରୀଙ୍କ ନାଁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଟାସ୍କଫୋର୍ସ ରିପୋର୍ଟର ଅନୁଚ୍ଛେଦ ୪୮(୭)ରେ ସୁପାରିଶ କରାଯାଇଛି ଯେ, ଇଚ୍ଛାଧୀନ କୋଟାରେ ପ୍ରଥମେ ପ୍ଲଟ ଓ ଘର ପାଇ ତାକୁୁ ଅନ୍ୟ ନାଁକୁ ଟ୍ରାନ୍ସଫର କରି ପୁଣିଥରେ ଦ୍ୱିତୀୟ ଥର ଇଚ୍ଛାଧୀନ କୋଟାରେ ପ୍ଲଟ୍ ଅବା ଘର ପାଇଥିବା ହିତାଧିକାରୀଙ୍କ ପୂର୍ବ ହସ୍ତାନ୍ତରଣକୁ ରଦ୍ଦ କରାଯିବା ସହ ଏସବୁ ପାଇଁ ଅନୁମତି ଦେଇଥିବା ସିଡିଏ, ବିଡିଏ ଓ ଗୃହ ନିର୍ମାଣ ବୋର୍ଡର ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି । ଇଚ୍ଛାଧୀନ କୋଟାରେ ଆବଂଟିତ ଘର ଓ ପ୍ଲଟର ଏଭଳି ବେଆଇନ ହସ୍ତାନ୍ତର ଓ ଏକାଧିକ ପ୍ଲଟ୍ ଅବା ଘର ଆବଂଟନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା ଉଚିତ୍ । ତେବେ ସରକାରୀ ନୀତିନିୟମ ପାଳନ କରି ହିତାଧିକାରୀ ପାଇଥିବା ଗୋଟିଏ ଘର ଅବା ପ୍ଲଟର ଟ୍ରାନ୍ସଫର ହୋଇଥିଲେ, ସେଗୁଡ଼ିକର ଆବଂଟନ ରଦ୍ଦ ନକରିବାକୁ ଟାସ୍କଫୋର୍ସ ରିପୋର୍ଟରେ ଉଲ୍ଲେଖ ରହିଛି ।

ତେବେ ପ୍ରଶ୍ନ ଉଠୁଛି, ଟାସ୍କଫୋର୍ସ ରିପୋର୍ଟରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଲଟକୁ ବେଆଇନ ଭାବେ ଟ୍ରାନ୍ସଫର କରାଯିବା ଓ ସମ୍ପୃକ୍ତ ହିତାଧିକାରୀ ଦ୍ୱିତୀୟଥର ପୁଣି ଇଚ୍ଛାଧୀନ କୋଟାରେ ଘର ଓ ପ୍ଲଟ ହାତେଇବା ଆଦିରେ ସାମିଲ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ପାଇଁ ସୁପାରିଶ ହୋଇଥିଲେ ମଧ୍ୟ ସରକାର ଏହା ଉପରେ ପଦକ୍ଷେପ ନନେଇ ସମସ୍ତ ଇଚ୍ଛାଧୀନ କୋଟାକୁ ବୈଧ କରିବା ଏବେ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେହିପରି ସାଧାରଣ ପ୍ରଶାସନ ବିଭାଗର ସୂଚନା ଅନୁସାରେ, ୧୯୯୫ରୁ ୨୦୧୧ ମସିହା ମଧ୍ୟରେ ବିଡିଏ, ସିଡିଏ ଓ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ଇଚ୍ଛାଧୀନ କୋଟାରେ ମୋଟ ୧୭୯୧ଟି ପ୍ଲଟ ଓ କୋଠା ଆବଂଟିତ ହୋଇଛି । ବିଡିଏରେ ୮୦୩, ସିଡିଏରେ ୯୨୧ଟି ଓ ଗୃହ ନିର୍ମାଣ ବୋର୍ଡରେ ୬୭ଟି ଆବଂଟନ ରହିଛି । ସେଥିରୁ ମାତ୍ର ୫୪ଟି ଏକାଧିକ ଆବଂଟନ ଚିହ୍ନଟ ହୋଇଛି । ଯେଉଁଥିରେ ବିଡିଏର ୧୮ଟି, ସିଡିଏର ୩୨ଟି ଓ ଗୃହ ନିର୍ମାଣ ବୋର୍ଡର ୪ଟି ଆବଂଟନ ରହିଛି । ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍ ଓ ଘର ନେଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ନୋଟିସ୍ ଜାରି କରି ସେମାନଙ୍କୁ ଅତିରିକ୍ତ ଘର ଓ ପ୍ଲଟ୍ ଫେରାଇବା ପାଇଁ ପରାମର୍ଶ ଦେଇଥିଲେ ।

କିନ୍ତୁ ନିଜର ପ୍ରଭାବ ବିସ୍ତାର କରି ଏସବୁ ଏକାଧିକ ଘର ଓ ପ୍ଲଟ୍ ହାତେଇଥିବା କୌଣସି ବ୍ୟକ୍ତି କିମ୍ବା ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସରକାର ଆଜି ଟାସ୍କଫୋର୍ସ ରିପୋର୍ଟରୁ ଏହି ପ୍ରାବଧାନକୁ ହଟାଇ ସମସ୍ତ ଇଚ୍ଛାଧୀନ କୋଟାକୁ ପୁଣିଥରେ ବୈଧ କରିଦେଇଛି । ଅର୍ଥାତ୍ ଏହି ଅବଧି ମଧ୍ୟରେ ଇଚ୍ଛାଧୀନ କୋଟାରେ ଆବଂଟିତ ମୋଟ ୧୭୩୭ଟି ପ୍ଲଟ୍ ଓ ଘର ଆଇନତଃ ବୈଧ ରହିବ । ଯାହାଫଳରେ ଏଣିକି ଆବଣ୍ଟନଗ୍ରାହୀଙ୍କ ଉତ୍ତରାଧିକାରୀଙ୍କ ସପକ୍ଷରେ ଦାଖଲ ଖାରଜ ଓ ଆବଂଟନ ପରବର୍ତ୍ତୀ କାର୍ଯ୍ୟକଳାପ ସରକାରୀ ଭାବେ ସମ୍ଭବପର ହୋଇପାରୁଥିଲା । ଆଜି ଆଉ ପାଦେ ଆଗକୁ ଯାଇ ରାଜ୍ୟ କ୍ୟାବିନେଟ୍ ଏହି ଆବଂଟନଗ୍ରାହୀଙ୍କ ନାଁକୁ ଟାସ୍କଫୋର୍ସରୁ ବାଦ୍ ଦେଇ ସବୁ ବେଆଇନ କାର୍ଯ୍ୟ ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓ ଆଇନଗତ ମାନ୍ୟତା ଦେବାର ମାର୍ଗକୁ ପ୍ରଶସ୍ତ କରିଛନ୍ତି ।

Odisha Government Bjd Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe