/odisha-reporter/media/post_attachments/uploads/2022/02/Untitled-1-50.jpg)
RABINDRA_SAHU
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଶେଷ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ମୋଟ ୭୮.୩% ମତଦାନ ହୋଇଛି। ୧୩ଟି ସ୍ଥାନରେ ସାନି ମତଦାନ ପାଇଁ ଜିଲ୍ଲାପାଳମାନେ ପ୍ରସ୍ତାବ ଦେଇଛନ୍ତି । ଏହାସହିତ ଯେଉଁ କେତେକ ସ୍ଥାନରେ ବାଲାଟ୍ ପେପରରେ ତ୍ରୁଟି ରହିଛି ସେଠାରେ ମଧ୍ୟ ସାନି ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମରେ ସର୍ବନିମ୍ନ ୬୪.୮୬ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୮.୩% ମତଦାନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭୭.୨% ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କେତେକ ସ୍ଥାନରେ ହିଂସା ଓ ଗଣ୍ଡଗୋଳ ଯୋଗୁ ୧୩ଟି ସ୍ଥାନରେ ସାନି ମତଦାନ ନିମନ୍ତେ ଜିଲ୍ଲାପାଳମାନେ ପ୍ରସ୍ତାବ ପଠାଇଛନ୍ତି । ଏହାସହିତ ୩ଟି ବୁଥରେ ବାଲାଟପେପରରେ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇଛି । ଏସବୁ ସ୍ଥାନରେ ବି ସାନି ମତଦାନ ପାଇଁ ପ୍ରସ୍ତାବ ମିଳିଛି । ଏସବୁ ପ୍ରସ୍ତାବକୁ କମିଶନ ଏବେ ଅନୁଧ୍ୟାନ କରୁଛନ୍ତି । ସେହିପରି ଫେବୃୟାରୀ ୧୬ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସା ଓ ଗଣ୍ଡଗୋଳ ଯୋଗୁ ୪ଟି ଜିଲ୍ଲାର ମୋଟ ୨୫ଟି ବୁଥରେ ସାନି ମତଦାନ ନିମନ୍ତେ ଜିଲ୍ଲାପାଳମାନେ ପ୍ରସ୍ତାବ ଦେଇଛନ୍ତି । ଏଥିରେ ସର୍ବାଧିକ ୧୧ଟି ବୁଥ ଯାଜପୁର ଜିଲ୍ଲାରେ ଥିବାବେଳେ ପୁରୀ ଓ ଭଦ୍ରକ ଜିଲ୍ଲାରେ ୫ଟି ଲେଖାଏଁ ବୁଥ ଓ ଢେଙ୍କାନାଳ ଜିଲ୍ଲାରେ ୪ଟି ବୁଥ୍ ରହିଛି ବୋଲି କମିଶନଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ମୋଟ ୭୮.୩% ମତଦାନ ହୋଇଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭%, ଝାରସୁଗୁଡ଼ା ଜିଲ୍ଲାରେ ୮୫.୧୪% ମତଦାନ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସର୍ବନିମ୍ନ ୬୪.୮୬% ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଗୃହ ଜିଲ୍ଲା ଯାଜପୁରରେ ମାତ୍ର ୭୦% ମତଦାନ ହୋଇଛି । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସର୍ବନିମ୍ନ ୬୪.୯୬% ମତଦାନ ହୋଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
