Chief Minister Mohan majhi in a meeting with Home Secy and Police DG
ରାଜ୍ୟର ବିଜେପି ସରକାର ବିଗତ ଏକବର୍ଷ ମଧ୍ୟରେ ବିଭିନ୍ନ ବର୍ଗରେ ସୃଷ୍ଟି କରିଥିବା ୧୬୬୬୧ଟି ନୂଆ ପୁଲିସ ପଦବୀଗୁଡ଼ିକ ପୂରଣ କରିବାରେ ରାଜ୍ୟ ପୁଲିସ ମୁଖ୍ୟାଳୟର ନିଷ୍କ୍ରିୟତା ଓ ମନ୍ଥର ଆଭିମୁଖ୍ୟ ପଦାକୁ ଆସିଛି । ଏହି ପଦବୀଗୁଡ଼ିକ ପୂରଣ ହେବା ତ ଦୂରର କଥା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଅନୁମୋଦନ ହାସଲ କରିବାରେ ପୁଲିସ ମୁଖ୍ୟାଳୟ ଆଜିପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହିଁ । ଯଦିଓ ଶୁକ୍ରବାର ୪୨୧୯ଟି କନେଷ୍ଟବଳ ପଦବୀ ନିମନ୍ତେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଗୃହ ବିଭାଗ ଅନୁମତି ଦେଇଛି, ତଥାପି ଦେଢ଼-ଦୁଇବର୍ଷ ଧରି ପୁଲିସ କନେଷ୍ଟବଳରୁ ଏସଆଇ ପର୍ଯ୍ୟନ୍ତ ମୋଟ ୬୧୩୧ ଅନୁମୋଦିତ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଏବେବି ଅଧାପନ୍ତରିଆ ହୋଇ ରହିଛି । ଏଥିରୁ ମାତ୍ର ୧୯୧୦ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଗତମାସରେ ଶେଷ ହୋଇଥିବାବେଳେ ଦୁର୍ନୀତି ଅଭିଯୋଗ ଯୋଗୁ ୯୩୩ଟି ପୁଲିସ ଏସଆଇ ପଦବୀର ପରୀକ୍ଷା ମଧ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ।
ଏସବୁ ମଧ୍ୟରେ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କ ଏକ ଚିଠି ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଛି ଯାହା ପୁଲିସ ଡିଜିଙ୍କ ନିଷ୍କ୍ରିୟତା ଓ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଜଣାପଡ଼ିଛି । ମୋହନ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପୁଲିସ ପଦବୀଗୁଡ଼ିକରେ ଭର୍ତ୍ତି ପାଇଁ ଆବଶ୍ୟକ ପ୍ରସ୍ତାବ ପଠାଇବାରେ ବିଳମ୍ବ ଓ ପୁଲିସ ନିଯୁକ୍ତି ବୋର୍ଡଗୁଡ଼ିକର ମନ୍ଥର କାର୍ଯ୍ୟକୁ ନେଇ ପୁଲିସ ମୁଖ୍ୟାଳୟ ଉପରେ ଗୃହ ବିଭାଗ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ମିଳିଛି ।
ପୁଲିସ ପଦବୀ ପୂରଣରେ ନିଷ୍କ୍ରିୟ ପୁଲିସ ମୁଖ୍ୟାଳୟ
ରାଜ୍ୟ ଗୃହ ବିଭାଗ ଅକ୍ଟୋବର ୨୪ତାରିଖରେ ପୁଲିସ ଡିଜିଙ୍କୁ ଚିଠି ଲେଖି ୪୨୧୯ଟି କନେଷ୍ଟବଳ ପଦବୀକୁ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ନିମନ୍ତେ ଅନୁମତି ଦେଇଛି । ଆଉ ଏହି ନିଯୁକ୍ତି ପ୍ରକ୍ରିୟାବେଳେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ସେପ୍ଟେମ୍ବର ୨୨ତାରିଖରେ ଜାରି ଏସଓପିକୁ ପାଳନ କରିବାକୁ ମଧ୍ୟ କୁହାଯାଇଛି । ତେବେ ଗୃହ ବିଭାଗର କଡ଼ା ଚିଠି ଓ ବାରମ୍ବାର ରିମାଇଣ୍ଡର ପରେ ହିଁ ପୁଲିସ ମୁଖ୍ୟାଳୟର ନିଦ ଭାଙ୍ଗିଥିଲା ତଥା ଆବଶ୍ୟକ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ଗୃହ ବିଭାଗକୁ ପ୍ରସ୍ତାବ ପଠାଇଥିଲା ବୋଲି ଜଣାପଡ଼ିଛି । ଯଦିଓ ଏବେବି ଆହୁରି ପ୍ରାୟ ୬-୭ହଜାର ବିଭିନ୍ନ ବର୍ଗର ପୁଲିସ ପଦବୀରେ ଭର୍ତ୍ତି ନିମନ୍ତେ ଆବଶ୍ୟକ ପ୍ରସ୍ତାବ ପଠାଇବାରେ ପୁଲିସ ମୁଖ୍ୟାଳୟ ସକ୍ଷମ ହୋଇପାରି ନଥିବା ସୂଚନା ମିଳିଛି । ରାଜ୍ୟରେ ଲକ୍ଷଲକ୍ଷ ବେକାର ମେଧାବୀ ଯୁବକଯୁବତୀ ଚାକିରି ଅପେକ୍ଷାରେ ରହିଥିବାବେଳେ ପୁଲିସ ମୁଖ୍ୟାଳୟ(Odisha Police)ର ଏଭଳି ଆଭିମୁଖ୍ୟ ଓ ପୁଲିସ ଡିଜିଙ୍କ ନିଷ୍କ୍ରିୟତା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
୬୧୩୧ଟି ଅନୁମୋଦିତ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଅଧାପନ୍ତରିଆରେ
ରାଜ୍ୟ ଗୃହ ସଚିବ ସତ୍ୟବ୍ରତ ସାହୁ ସେପ୍ଟେମ୍ବର ୧୦ତାରିଖରେ ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କୁ ଚିଠି ଲେଖି ପୁଲିସ ବିଭାଗରେ ବିଭିନ୍ନ ବର୍ଗରେ ୧୬୬୬୧ଟି ନୂଆ ପଦବୀକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ଏବଂ ଏଥିରୁ ୬୧୩୧ଟି ପଦବୀରେ ଭର୍ତ୍ତି ନିମନ୍ତେ ଅନୁମତି ପୂର୍ବରୁ ଦିଆଯାଇ ସାରିଥିବା ନେଇ ସୂଚନା ଦେଇଥିଲେ । ରାଜ୍ୟରେ ଅଧିକ ପୁଲିସର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦବୀଗୁଡ଼ିକ ତୁରନ୍ତ ପୂରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ଏସବୁ ପଦବୀଗୁଡ଼ିକରେ ଭର୍ତ୍ତି ନିମନ୍ତେ ଆବଶ୍ୟକ ପ୍ରଶାସନିକ ଅନୁମୋଦନ ନେବା ପାଇଁ ପ୍ରସ୍ତାବ ପଠାଇବାକୁ ବାରମ୍ବାର ରିମାଇଣ୍ଡର ପଠାଗଲେ ମଧ୍ୟ ପୁଲିସ ମୁଖ୍ୟାଳୟ ସେନେଇ ଗମ୍ଭୀରତା ଦେଖାଉନାହିଁ । ଏପରିକି ପୁଲିସ ନିଯୁକ୍ତି ବୋର୍ଡଗୁଡ଼ିକର କାର୍ଯ୍ୟ ଅତ୍ୟନ୍ତ ନଗଣ୍ୟ ଅବା ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରିନାହାନ୍ତି ବୋଲି ଶ୍ରୀ ସାହୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
ଅବଶ୍ୟ ରାଜ୍ୟରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କ୍ରମାଗତ ଚାପ ସୃଷ୍ଟି କରୁଥିବାରୁ ଏଭଳି ଚିଠି ଲେଖି ପୁଲିସ ନିଯୁକ୍ତିରେ ହେଉଥିବା ବିଳମ୍ବ ପାଇଁ ଗୃହ ବିଭାଗ ନିଜର ଦୋଷ ଛଡ଼ାଇବା ସହ ପୁଲିସ ଡିଜିଙ୍କ ଉପରେ ଦୋଷ ଲଦି ଗୃହ ସଚିବ ନିଜର ଦାୟିତ୍ୱ ଶେଷ କରିଥିବା ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ପୂର୍ବରୁ ଅନୁମୋଦିତ ୬୧୩୧ଟି ପଦବୀକୁ ପୂରଣ ନିମନ୍ତେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଓ ଓଡ଼ିଶା ପୁଲିସ ସିଲେକ୍ସନ ବୋର୍ଡକୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ତେବେ ଏଥିରୁ ମାତ୍ର ୧୯୧୦ଟି କନେଷ୍ଟବଳ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଗତମାସରେ ଶେଷ ହୋଇଛି । ୯୩୩ଟି ପୁଲିସ ଏସଆଇ ପଦବୀ ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର ନିମନ୍ତେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏହି ଦୁର୍ନୀତି ମାମଲାରେ ୧୧୪ଜଣ ପରୀକ୍ଷାର୍ଥୀଙ୍କ ସମେତ ୧୨୩ଜଣ ଗିରଫ ହୋଇଛନ୍ତି ଏବଂ ବିରୋଧୀ ଦଳ ମଧ୍ୟ ଖୋଲାଖୋଲି ଭାବେ ଏଥିରେ ଗୃହ ସଚିବ ଓ ଓପିଆରବି ଅଧ୍ୟକ୍ଷଙ୍କ ବିବାଦୀୟ ଭୂମିକା ଥିବା ଅଭିଯୋଗ କରିସାରିଛି ।
ତେଣୁ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ସ୍କାମ ମାମଲାରେ ‘ସିବିଆଇ’ର ଏଣ୍ଟ୍ରିକୁ ଦେଖି ନିଯୁକ୍ତି ବୋର୍ଡଗୁଡ଼ିକ ସହ ଜଡ଼ିତ ପୁଲିସ ଅଫିସରମାନେ ଭୟରେ ବାକି ଅନୁମୋଦିତ ପଦବୀଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ହାତ ମାରିବାକୁ ପଛଘୁଂଚା ଦେବାରେ ଲାଗିଥିବା ଜଣାପଡ଼ିଛି । ଯେଉଁଥିପାଇଁ ଏସବୁ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଅଧାପନ୍ତରିଆ ହୋଇ ପଡ଼ିରହିଥିବା ଚର୍ଚ୍ଚା ହେଉଛି ।
କେବେ ଗଠନ ହେବ ସ୍ୱତନ୍ତ୍ର ନିଯୁକ୍ତି ଆୟୋଗ?
ପୁଲିସ ଓ ଅନ୍ୟ ୟୁନିଫର୍ମ ସେବାଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ଏକ ‘ସ୍ୱତନ୍ତ୍ର ନିଯୁକ୍ତି ଆୟୋଗ’ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ( CM Mohan Charan Majhi ) ଗତ ସପ୍ତାହରେ ସୂଚନା ଦେଇଥିଲେ । ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ପଦାକୁ ଆସିବା ପରେ ପୁଲିସର ଭାବମୂର୍ତ୍ତି ସଙ୍କଟରେ ପଡ଼ିଛି । ବିଶେଷକରି ନିଯୁକ୍ତି ପରୀକ୍ଷା ପ୍ରକ୍ରିୟାକୁ ଘରୋଇ ସଂସ୍ଥାକୁ ଟେକି ଦେବାରେ ପ୍ରମୁଖ ଭୂମିକା ନେଇଥିବା ‘ଓପିଆରବି’ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଓ ଏହି ସଂସ୍ଥାକୁ କ୍ଲିନଚିଟ୍ ଦେବାକୁ ପ୍ରୟାସ ହେବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଏଭଳି ସ୍ଥିତିରେ ଓପିଆରବି, ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ ଓ ସିଲେକ୍ସନ ବୋର୍ଡ ଦ୍ୱାରା କୌଣସି ପ୍ରକାରର ନିଯୁକ୍ତି ପ୍ରକ୍ରିୟାକୁ ନେଇ ସାଧାରଣରେ ସନ୍ଦେହ ଓ ପ୍ରଶ୍ନ ଉଠିବା ସ୍ୱାଭାବିକ ।
ରାଜ୍ୟ ସରକାର ଯଦିଓ ନିଯୁକ୍ତି ପରୀକ୍ଷା ନିମନ୍ତେ ଗତ ସେପ୍ଟେମ୍ବର ୨୨ତାରିଖରେ ଗୋଟିଏ ଏସଓପି ବା ଗାଇଡଲାଇନ୍ ଜାରି କରିଛନ୍ତି, ମାତ୍ର ପୁଲିସ ନିଯୁକ୍ତି ବୋର୍ଡଗୁଡ଼ିକ ଦ୍ୱାରା କୌଣସି ବାହ୍ୟ ସଂସ୍ଥାର ବିନା ସହଯୋଗରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପାଦନ କରିବା ସମ୍ଭବପର ହୋଇନଥିବାରୁ ଏସବୁ ନିଯୁକ୍ତି ପରୀକ୍ଷା କିଭଳି ହେବ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଏପଟେ ସିବିଆଇ ନିଜର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ନଦେବା ପର୍ଯ୍ୟନ୍ତ ପୁଲିସ ନିଯୁକ୍ତିର ଏହି ବୋର୍ଡଗୁଡ଼ିକର ବିଶ୍ୱସନୀୟତା ଓ ପାରଦର୍ଶିତା ମଧ୍ୟ ସଙ୍କଟ ଭିତରକୁ ଠେଲି ହୋଇଯାଇଛି । ସିବିଆଇ ତଦନ୍ତ ନସରିବା ପର୍ଯ୍ୟନ୍ତ ଖାଲି ପଡ଼ିଥିବା ପ୍ରାୟ ୧୫ହଜାର ପଦବୀ (୧୬୬୬୧ରୁ ମାତ୍ର ୧୯୧୦ଟିରେ ନିଯୁକ୍ତି ସରିଛି)ରେ ନିଯୁକ୍ତି ପ୍ରକ୍ରିୟାକୁ ଅନ୍ୟ ସରକାରୀ ନିଯୁକ୍ତି ସଂସ୍ଥା ଅବା ‘ସ୍ୱତନ୍ତ୍ର ନିଯୁକ୍ତି ଆୟୋଗ’ ଦ୍ୱାରା କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us