Advertisment

ଶାସକ ଦଳ ବିଧାୟକଙ୍କୁ ଛୁଇଁହେଉନି

ଡିବିଟି ବା ସିଧାସଳଖ ଅନଲାଇନରେ ଫସଲ ଅମଳ ଯନ୍ତ୍ର ବା ହାର୍ଭେଷ୍ଟର ମେସିନ୍ ବିକିବା ନାଁରେ ୨୦୧୭ ରୁ ୨୦୨୦ ଭିତରେ ଅର୍ଥାତ୍ ତିନି ବର୍ଷରେ ଏଭଳି ହରିଲୁଟ ହୋଇଥିବା ଭିଜିଲାନସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

MLA in subsidy scam

MLA in subsidy scam

Advertisment

-ଚାଷ ଯନ୍ତ୍ରପାତି ବିକ୍ରିରେ ସବସିଡି ହାତେଇବା ସ୍କାମରେ ଶାସକ ବିଧାୟକ

-ଅନ୍ୟମାନେ ବନ୍ଧାଯାଉଛନ୍ତି, ମାତ୍ର ବିଧାୟକଙ୍କୁ ଛୁଇଁପାରୁନି ଭିଜିଲାନସ

-ସ୍କାମରେ ସାମିଲ ରେମୁଣାର ବିଜେଡି ବିଧାୟକ ସୁଧାଂଶୁ ଶେଖର ପରିଡ଼ା

-ଭିଜିଲାନସ ଉତ୍ତର ଦେଉନାହାନ୍ତି ବାଚସ୍ପତି, ଲୋକାୟୁକ୍ତ ମାଗିଲେ ମତ

-ଭିଜିଲାନସର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଲା ବିଧାୟକଙ୍କ କାରନାମା

-୯ତାରିଖ ସୁଦ୍ଧା ବିଧାନସଭା ବାଚସ୍ପତି ମତ ଦେବାକୁ କହିଲେ ଲୋକାୟୁକ୍ତ

 ଚାଷୀଙ୍କୁ ସବସିଡିରେ ଯନ୍ତ୍ରପାତି ବିକିବା ନାଁରେ ୩ କୋଟି ୨୨ ଲକ୍ଷ ଟଙ୍କାର ହରିଲୁଟ। ହରିଲୁଟରେ ସାମିଲ ଅଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ଡିବିଟି ବା ସିଧାସଳଖ ଅନଲାଇନରେ ଫସଲ ଅମଳ ଯନ୍ତ୍ର ବା ହାର୍ଭେଷ୍ଟର ମେସିନ୍ ବିକିବା ନାଁରେ ୨୦୧୭ ରୁ ୨୦୨୦ ଭିତରେ ଅର୍ଥାତ୍ ତିନି ବର୍ଷରେ ଏଭଳି ହରିଲୁଟ ହୋଇଥିବା ଭିଜିଲାନସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜାଲ ବିକ୍ରିରେ ସାମିଲ ଅଛନ୍ତି ଶାସକ ଦଳର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ବାଲେଶ୍ବରରେ ଥିବା ମେସର୍ସ ନିଗମାନନ୍ଦ ଆସୋସିଏଟସ। ମେସର୍ସ ନିଗମାନନ୍ଦ ଆସୋସିଏଟର ମ୍ୟାନେଜିଂ ପାର୍ଟନର ଭାବେ ଅଧା ସମ୍ପତ୍ତିର ମାଲିକ ହେଉଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା।

Advertisment

୨୦୧୯ ପରେ ବିଧାୟକ ହେବାର ବର୍ଷ ଭିତରେ ବି ସେ ସହାୟକ ଏଜେଣ୍ଟଙ୍କ ଜରିଆରେ ୨୭ ଲକ୍ଷ ୭୮ ହଜାର ଟଙ୍କା ସବସିଡି ଉଠାଇ ନେଇଥିବା ପ୍ରମାଣ ପାଇଛି ଭିଜିଲାନସ। ବିଧାୟକ ପରିଡ଼ାଙ୍କର ଫାର୍ମ ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଚଂଳର କିଛି ଆଦିବାସୀ ଲୋକଙ୍କଠାରୁ ଆଧାର କାର୍ଡ଼, ଚାଷୀ ପ୍ରମାଣପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରି ଓ ସେମାନଙ୍କୁ ୨୦ ହଜାର ଟଙ୍କା ଭଳି କିଛି ସାମାନ୍ୟ ଅର୍ଥ ଦେଇ ପ୍ରାୟ ୬ ଲକ୍ଷ ଟଙ୍କା ସବସିଡି ହାତେଇ ଥିବା ପ୍ରମାଣିତ ହୋଇଛି। ଏଜେଣ୍ଟଙ୍କ ଜରିଆରେ ସବସିଡି ହାତେଇବା ପରେ ୨୪ ଲକ୍ଷ ୧୪ ହଜାର ଟଙ୍କାର ହାର୍ଭେଷ୍ଟରକୁ ଅନ୍ୟ ଆର୍ଥିକ ସବଳ ଲୋକଙ୍କୁ ବିକି ସେ ମୁନାଫା କମାଇଛନ୍ତି।

୨୦୨୧ ମସିହାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଫାର୍ମ ନିଗମାନନ୍ଦ ଆସୋସିଏଟସ ଏଭଳି କାରବାରରେ ମାତିଥିବା କୃଷି ନିର୍ଦ୍ଦେଶକଙ୍କ ଓ୍ବେବସାଇଟରୁ ଜାଣିପାରିଥିଲେ ସାଧାରଣ ଲୋକେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଭଳି କେନ୍ଦ୍ରୀୟ ଯୋଜନାରେ କେଉଁ ଚାଷୀଙ୍କୁ ହାର୍ଭେଷ୍ଟର ବିକାଯାଇଛି ତାର ଫଟୋ ଓ୍ବେବସାଇଟରେ ଦେଖି ତାଜୁବ ହୋଇଥିଲେ। କାରଣ ସେମାନଙ୍କ ଭିତରୁ ଅଧିକାଂଶ ହିତାଧିକାରୀ ଥିଲେ ଗରିବ ଆଦିବାସୀ। ଓ୍ବେବସାଇଟରେ ହାର୍ଭେଷ୍ଟର ବିକ୍ରି କରୁଥିବା ଡିଲର ଓ ଚାଷୀଙ୍କ ଫଟୋ ବି ଲାଗିଥିଲା।

Advertisment

୨୦୨୧ରେ ମାମଲା ଲୋକାୟୁକ୍ତଙ୍କ ପାଖରେ ଦାଖଲ ହେଲା। ଭିଜିଲାନସ ତଦନ୍ତ ପାଇଁ ୯ ମାସ ସମୟ ନେଲା। ଭିଜିଲାନସ ଅଧିକାରୀ ତଦନ୍ତରୁ ଦେଖିଲେ ଅନେକ ଫଟୋକୁ ଏଡିଟ କରି ଲଗାଯାଇଛି। ଗରିବ ଆଦିବାସୀଙ୍କ ଆକାଉଣ୍ଟକୁ ଯେଉଁଦିନ ନିଗମାନନ୍ଦ ଆସୋସିଏଟସରୁ ପ୍ରାୟ ୨୪ ଲକ୍ଷ ଟଙ୍କା ପଠାଯାଇଛି ତା ପରେ ପରେ ତାକୁ ନିଗମାନନ୍ଦ ଆସୋସିଏଟ ଆକାଉଣ୍ଟକୁ ଫେରାଇ ଅଣାଯାଇଛି। ସପ୍ତାହେ ପରେ ଅନଲାଇନରେ କୃଷି ନିର୍ଦ୍ଦେଶାଳୟରୁ ୬ ଲକ୍ଷ ଟଙ୍କାର ସବସିଡି ଆସିବା କ୍ଷଣି ଏଜେଣ୍ଟ ବା ଦଲାଲମାନେ ସେହି ଟଙ୍କାକୁ ଉଠାଇ ନେଇ ଗରିବ ଆଦିବାସୀଙ୍କୁ ୨୦ ହଜାର ଟଙ୍କା ଧରେଇ ବାକି ଟଙ୍କା ନେଇଯାଇଛନ୍ତି। ଅନେକ ଆଦିବାସୀ ଲୋକେ ଏ ସବୁ ଜାଣିନଥିବା କହିଛନ୍ତି।

ଭିଜିଲାନସ ତଦନ୍ତରୁ ଦେଖିଛି, ନିଗମାନନ୍ଦ ଆସୋସିଏଟସ ୨୦୧୭ ରୁ ୨୦୧୯ ଭିତରେ ୩୨୨ଟି କୁବେଟା ହାର୍ଭେଷ୍ଟର ବିକିଥିବା ବେଳେ ଏଥିରେ ୨୪୩ଟିରେ ସରକାରୀ ସବସିଡି ପାଇଛି। ଚାଷୀ ଚାଷ ଉପକରଣ ପାଇଲେ କି ନାହିଁ ଏହାର ଅଧା ହିତାଧିକାରୀଙ୍କୁ ଯାଂଚ୍ କରିବାକୁ ନିୟମ ରହିଛି। ହେଲେ ଯାଂଚ କରୁଥିବା ତୃତୀୟ ପକ୍ଷ-ଶ୍ରେଷ୍ଠା କନସଲଟାନସି ୨୪୩ଟିରୁ ୧୧୨ ହିତାଧିକାରୀଙ୍କୁ ଯାଂଚ୍ କରି ୩୦ ଟିରେ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ହାର୍ଭେଷ୍ଟର ପାଇନଥିଲେ ସୁଦ୍ଧା କୃଷି ଉତ୍ପାଦନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ କିଛି କରିନାହିଁ।

ସେହିଭଳି ଭିଜିଲାନ୍ସ ଅଧିକାରୀ ତାଙ୍କ ପ୍ରାଥମିକ ତଦନ୍ତରେ ୭୩ ହିତାଧିକାରୀଙ୍କୁ ଭେଟି ଯାଞ୍ଚ କରିଥିବାବେଳେ ସେଥିରୁ ୨୫ ଜଣଙ୍କ ପାଖରେ ହାର୍ଭେଷ୍ଟର ପାଇନାହାନ୍ତି। ପ୍ରାଥମିକ ତଦନ୍ତ ସାରିବା ପରେ ଭିଜିଲାନସ ଏପ୍ରିଲ ୧୧ ତାରିଖରୁ ଏହି ତଦନ୍ତ ଉପରେ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ମତ ମାଗିସାରିଛି। ତାହା ମିଳିନଥିବାବେଳେ ଏବେ ଲୋକାୟୁକ୍ତ ଭିଜିଲାନସକୁ ପୂର୍ଣ୍ଣାଙ୍ଗ ତଦନ୍ତ ନିର୍ଦ୍ଦେଶ ଦେବା ପୂର୍ବରୁ ବିଧାନସଭା ବାଚସ୍ପତିଙ୍କ ମତ ଲୋଡିଛନ୍ତି। ଲୋକାୟୁକ୍ତରେ ଆସନ୍ତା ୯ ତାରିଖରେ ମାମଲାର ଶୁଣାଣି ରହିଛି।

ଏଠି ପ୍ରଶ୍ନ ଉଠୁଛି- ଚାଷ ଉପକରଣ ସବସିଡି ହାତେଇବା ଘଟଣାରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଂଚର ଇଓଡବ୍ଲୁ ଅନେକ ଘଟଣାରେ ଭୁବନେଶ୍ବର, ସମ୍ବଲପୁର, ନୟାଗଡ଼ରୁ ଅନେକ ବ୍ୟକ୍ତିଙ୍କୁ ଗିରଫ କରିଥିବାବେଳେ ଶାସକ ଦଳ ବିଧାୟକଙ୍କୁ ଏପର୍ଯ୍ୟନ୍ତ କାହିଁକି ଛୁଇଁପାରୁନି ଭିଜିଲାନସ?

ଏ ନେଇ ଆମେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁା ମାତ୍ର ତାହା ମିଳିପାରିନଥିଲା।

( ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ)

Corruption Odisha Corruption
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe