ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ବର୍ଷ ପରେ ପୁଣିଥରେ ଆସିଥିଲା ସେଇ ଭୟଙ୍କର ମୂହୁର୍ତ୍ତ। ପାଦେ ଚାଲିବା ପାଇଁ ପାଦ ଥରୁଥିଲା । ପଁ ଫଁ ହୋଇ ଡରାଉଥିଲା ‘ଫୋନି’। ଦୀର୍ଘ ୪ ଘଣ୍ଟାରେ ତାଣ୍ଡବ ରଚାଇଦେଲା ଏହି ପ୍ରଳୟଙ୍କରୀ ବାତ୍ୟା ।
ପ୍ରାୟ ୧୫୦ କିମି ବେଗରେ ପବନ ବହୁଥିଲା ବେଳେ ନିଜ ଜୀବନ ବଞ୍ଚାଇବାକୁ ଲୋକେ ଆଶ୍ରୟ ଖୋଜିଥିଲେ। ଗଛ, ପତ୍ର କଥା ଛାଡ଼ନ୍ତୁ ମଣିଷ ବି ଉଡିବା ପରିସ୍ଥିତିରେ ଥିଲା। ଜୀବନ ବଞ୍ଚାଇବାକୁ କିଏ ଭୂଇଁରେ ବସି ପଡୁଥିଲା ତ କିଏ କାନ୍ଥ, ବାଡ ନ ହେଲେ ଦଉଡିକୁ ଆଶ୍ରା କରୁଥିଲା।
ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଥିଲା କିଛି ଏମିତି। ବସ୍ତିବାସିନ୍ଦାମାନେ ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଧାଇଁ ଆସିଥିଲେ ଓଟଭି କାର୍ଯ୍ୟାଳୟକୁ। ଏକ ଜେସିବି ମେଶିନ୍ରେ ରଶି ବାନ୍ଧି ଉଦ୍ଧାର କରାଯାଇଥିଲା ସେମାନଙ୍କୁ। କର୍ମଚାରୀମାନେ ପବନକୁ ଖାତିର ନ କରି ରଶି ଟାଣି ଧରିଥିଲେ। ପାଣିରେ ପାଦ ଖସୁଥିଲେ ବି ଜୀବନ ବଞ୍ଚାଇବାକୁ ସେମାନେ କରିଥିଲେ ଆପ୍ରାଣ ଉଦ୍ୟମ। ଫଳରେ ଫୋନି ମୁହଁରୁ ବତ୍ତିଯାଇଥିଲା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଜୀବନ।