/odisha-reporter/media/media_files/2026/02/13/cpi-2026-02-13-17-31-45.jpg)
ମୁଦ୍ରାସ୍ଫୀତି
ବିଭିନ୍ନ ଖାଉଟି ଦ୍ରବ୍ୟ ଓ ସେବାର ଖୁଚୁରା ମୂଲ୍ୟ ବଢ଼ିଲେ, ଖାଉଟି ଚିନ୍ତା ବଢ଼େ। ପୂର୍ବରୁ ଓଡ଼ିଶାରେ ବିଭିନ୍ନ ଖାଉଟି ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି(Retail Inflation ) ଦେଶରେ ପ୍ରାୟ ଆଗରେ ରହୁଥିବାବେଳେ ଏବେ କମିବା ଏକ ଭଲ ସଙ୍କେତ ଦେଉଛି।
ଗୁରୁବାର (ଫେବ୍ରୁଆରୀ 12)ରେ ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ନୂଆ ମାସିକ ମୁଦ୍ରାସ୍ଫୀତି ରିପୋର୍ଟରେ ସାରା ଦେଶ ପାଇଁ ଗଣନାର ମୂଳ ବର୍ଷକୁ ବଦଳାଇ ଦିଆଯାଇଛି। ପୂର୍ବରୁ 2012 ବର୍ଷର ହାରାହାରି ମୁଦ୍ରାସ୍ପୀତି(Inflation Rate)କୁ ହିସାବକୁ ନେଇ ପ୍ରତି ମାସରେ ମୁଦ୍ରାସ୍ଫୀତି କେତେ ବଢ଼ିଲା ତା’ର ମାସିକ ରିପୋର୍ଟ ପ୍ରକାଶ କରାଯାଉଥି ବାବେଳେ ଏବେ ମୂଳ ବର୍ଷକୁ 2024 କରିଦିଆଯାଇଛି। ଯାହାକି ବିଶ୍ୱବ୍ୟାପୀ ଚାଲିଥିବା ବର୍ତ୍ତମାନର ଟ୍ରେଣ୍ଡ ବା ମାନଦଣ୍ଡକୁ ଦେଖି ପ୍ରସ୍ତୁତ କରାଯାଇଛି ବୋଲି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପରିସଂଖ୍ୟାନ ମନ୍ତ୍ରଣାଳୟର ସଚିବ ସୌରଭ ଗର୍ଗ।
ଗୁରୁବାର ପ୍ରକାଶ ପାଇଥିବା ମାସିକ (ଜାନୁଆରୀ) ମୁଦ୍ରାସ୍ଫୀତିରେ ଓଡ଼ିଶା ଦେଶର ଅନ୍ୟତମ କମ୍ ମୁଦ୍ରାସ୍ଫୀତି(Odisha inflation news) ଥିବା ରାଜ୍ୟ ବିବେଚିତ ହୋଇଛି। ଜାନୁଆରୀ ମାସରେ ଦେଶର ମାସିକ ମୁଦ୍ରାସ୍ଫୀତି ମାତ୍ର 2.75 ପ୍ରତିଶତ ରହିଥିବାବେଳେ ଛତିଶଗଡ଼ର ମୁଦ୍ରାସ୍ଫୀତି ସର୍ବନିମ୍ନ 1.67% ଓ ଓଡ଼ିଶାର ମୁଦ୍ରାସ୍ପୀତି ଦ୍ବିତୀୟ କମ ସ୍ତରରେ ଅର୍ଥାତ୍ 1.87% ରହିଛି। ଜାନୁଆରୀରେ ତେଲେଙ୍ଗାନାର ମାସିକ ମୁଦ୍ରାସ୍ଫୀତି ସର୍ବାଧିକ 4.92% ରହିଛି।
2012 ଓ 2024 ମୂଳ ବର୍ଷ ତଥ୍ୟ ତୁଳନୀୟ?
ନା, 2012କୁ ମୂଳ ବର୍ଷ ଧରି ପୂର୍ବରୁ ମିଳିଥିବା ତଥ୍ୟକୁ 2024କୁ ମୂଳ ବର୍ଷ ଧରି ଆସିଥିବା ତଥ୍ୟ ସହ ସିଧାସଳଖ ତୁଳନା କରାଯାଇପାରିବ ନାହିଁ। ଏଥିପାଇଁ 0.52%ର ଏକ ଲିଙ୍କ୍ ଫ୍ୟାକ୍ଟରକୁ ନେବାକୁ ପଡ଼ିବ କହିଛି ମନ୍ତ୍ରଣାଳୟ। ଉଦାହରଣସ୍ବରୂପ, ନୂଆ ସିରିଜରେ ଯେଉଁଠି ମୁଦ୍ରାସ୍ଫୀତି 2.75% ଅଛି, ତାହା ପୁରୁଣାରେ 2.55% ହୋଇଯିବ।
କେଉଁ ଖାଉଟି ଦ୍ରବ୍ୟ ଓ ସେବାକୁ କେତେ ମାର୍କ?
ମାସିକ ମୁଦ୍ରାସ୍ଫୀତିରେ କେଉଁ ଦୈନନ୍ଦିନ ସାମଗ୍ରୀକୁ କେତେ ଗୁରୁତ୍ବ ଦିଆଯିବ ତାହାକୁ 2025 ଜାନୁଆରୀ ମାସରେ ପ୍ରକାଶ ପାଇଥିବା ଘରୋଇ ଖାଉଟି ଖର୍ଚ୍ଚ ସର୍ଭେ: 2023-24କୁ ଦୃଷ୍ଟିରେ ରଖି ନିଆଯାଇଛି। ଏଥିରେ ବର୍ତ୍ତମାନ ଘରର ଖର୍ଚ୍ଚ ଧାରାକୁ ଆଖି ଆଗରେ ରଖି ପଦ୍ଧତି ପ୍ରସ୍ତୁତ କରାଯାଇଛି। ଯେମିତି ଆଗରୁ CPI-2012ର ବର୍ଗୀକରଣରେ 100 ମାର୍କ ଭିତରେ `ଖାଦ୍ୟ ଓ ପାନୀୟ’ ଗ୍ରୁପକୁ 42.46% ରଖାଯାଇଥିବାବେଳେ ଏବେ CPI-2024ର ବର୍ଗୀକରଣରେ 36.75% ରଖାଯାଇଛି। ଜାତିସଂଘ 2018ରେ ତିଆରି କରିଥିବା ଫ୍ରେମଓ୍ବାର୍କ- COICOP (Classification of Individual Consumption According to Purpose) ଆଧାରରେ ଏଭଳି କରାଯାଇଥିବା କୁହାଯାଇଛି। ଅନ୍ୟପଟରେ ବାସଗୃହ, ସ୍ବାସ୍ଥ୍ୟ, ଶିକ୍ଷା, ଡିଜିଟାଲ୍ ସେବା ଭଳି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସର୍ଭେ ଭିତରେ ଭିଡିଓ ଷ୍ଟ୍ରିମିଙ୍ଗ୍, ଓଟିଟି ସେବାକୁ ଯୋଡ଼ା ଯାଇଥିବାବେଳେ ଡିଭିଡି, ଟେପ ରେଡର୍କ ଭଳି ପୁରୁଣା ଆଇଟମ୍କୁ ନମୁନାରୁ କାଟି ଦିଆଯାଇଛି। ବର୍ତ୍ତମାନ ସର୍ଭେରେ ଦ୍ରବ୍ୟ ସଂଖ୍ୟା 299ରୁ 358କୁ ବୃଦ୍ଧି ପାଇଥିବାବେଳେ ସେବା ସଂଖ୍ୟା 40ରୁ 50କୁ ବୃଦ୍ଧି ପାଇଛି।
କେତେ ସ୍ଥାନରୁ ନିଆଯାଉଛି ନମୁନା?
ଏବେ ନମୁନା ସଂଗ୍ରହକୁ ଡିଜିଟାଲ କରାଯାଇଛି। ଦେଶର CPI-2024 ସିରିଜ୍ରେ 2860ଟି ଅଂଚଳରୁ ଅର୍ଥାତ୍ 1465 ଗ୍ରାମାଞ୍ଚଳ ବଜାର ଓ 1395 ସହରାଞ୍ଚଳ ବଜାରରୁ ମାସିକ ନମୁନା ନିଆଯାଉଛି। ଏଣିକି ପ୍ରଥମ ଥର ପାଇଁ ଅନଲାଇନ ମାର୍କେଟରୁ ଲୋକେ କ’ଣ କିଣୁଛନ୍ତି ତାର ମୂଲ୍ୟକୁ ସାପ୍ତାହିକ ଭାବେ ସାମିଲ କରାଯାଉଛି। ବର୍ତ୍ତମାନ 25 ଲକ୍ଷରୁ ଅଧିକ ଲୋକ ବାସ କରୁଥିବା 12ଟି ସହରରୁ 12ଟି ଅନଲାଇନ୍ ମାର୍କେଟର ମୂଲ୍ୟକୁ ବି ନମୁନା ଭାବେ ସାମିଲ କରାଯାଉଛି। ଏଥର ପ୍ରଥମ ଥର ପାଇଁ ସହରାଞ୍ଚଳ ବ୍ୟତୀତ ଗ୍ରାମାଞ୍ଚଳରେ ଚାଲିଥିବା ଘର ଭଡ଼ାର ନମୁନାକୁ ବି ସାମିଲ କରାଯାଇଛି। ଏଥିରେ ମନ୍ତ୍ରଣାଳୟର ଫିଲଡ ଅପରେସନ୍ ଡିଭିଜନର ପ୍ରାୟ 10 ହଜାର ଗଣନାକାର (ଏନୁମରେଟର)ଙ୍କୁ ସାମିଲ କରାଯାଇଛି।
/filters:format(webp)/odisha-reporter/media/media_files/2026/02/13/inflation-2026-02-13-17-29-52.jpg)
CPI-2024 ସିରିଜ୍ ତିଆରି କରିବା ପୂର୍ବରୁ ବିଭିନ୍ନ ଅନ୍ତର୍ଜାତିକ ସଂସ୍ଥା ଓ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇ ମୁଦ୍ରାସ୍ଫୀତି ହିସାବ ପଦ୍ଧତି ତିଆରି କରାଯାଇଥିଲା। ଆଗକୁ ପ୍ରତି 5 ବର୍ଷରେ ମୂଳ ବର୍ଷ (Base Year) ବଦଳାଇଯାଇ ହିସାବକୁ ଅଧିକ ପାଖାପାଖି କରାଯିବ ବୋଲି କୁହାଯାଇଛି। ବର୍ତ୍ତମାନ ସିପିଆଇ-2024ର ତଥ୍ୟ ବା ଡାଟାକୁ ସର୍ବସାଧାରଣ ମନ୍ତ୍ରଣାଳୟ ଦ୍ବାରା ତିଆରି କରାଯାଇଥିବା e-Sankhyiki portal (https://esankhyiki.mospi.gov.in/macroindicators?product=cpi) ରୁ ପାଇପାରିବେ।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନ୍ଗୋ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
