
ଏଣିକି ପ୍ରତି ଶୁକ୍ରବାର ହସ୍ତତନ୍ତ ପୋଷାକ ପିନ୍ଧିବେ ରାଜସ୍ୱ ବିଭାଗର କର୍ମଚାରୀ ଓ ଅଫିସର । ଦୁର୍ନୀତିଗ୍ରସ୍ତ ଓ ନିଶା ସେବନ କଲେ ବି ହେବ କାର୍ଯ୍ୟାନୁଷ୍ଠାନ। Odisha revenue departmentର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏଭଳି ତାଗିଦ୍ କରିଛନ୍ତି ଆଇଏଏସ୍ ଅରବିନ୍ଦ ପାଢ଼ୀ । ବିଭାଗର ଅଫିସର ଓ କର୍ମଚାରୀମାନଙ୍କୁ ଚିଠି ଲେଖି ପ୍ରଶାସନିକ ସଂସ୍କାରର ପାଠ ପଢ଼ାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତି ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜସ୍ୱ କର୍ମଚାରୀଙ୍କୁ ଅରବିନ୍ଦଙ୍କ ତାଗିଦ୍
ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ସମ୍ମାନ ଜଣାଇ ତଥା ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତି ସପ୍ତାହର ଶୁକ୍ରବାର ଦିନ ବିଭାଗର ସମସ୍ତ ସରକାରୀ କର୍ମଚାରୀ ଓ ଅଫିସର ହସ୍ତତନ୍ତ ପୋଷାକ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା କେବଳ ଏକ ପୋଷାକ ନୁହେଁ ବରଂ ଓଡ଼ିଶାର ପରିଚୟ ସହ ଯୋଡ଼ି ହେବାର ଏକ ମାଧ୍ୟମ ବୋଲି ଦର୍ଶାଇଛନ୍ତି । ଅରବିନ୍ଦ ପୂର୍ବରୁ ଯେଉଁ ବିଭାଗରେ କାର୍ଯ୍ୟ କରିଛନ୍ତି ସେଠାରେ ମଧ୍ୟ ହସ୍ତତନ୍ତ ପୋଷାକ ପିନ୍ଧିବା ଉପରେ ସେ ଗୁରୁତ୍ୱ ଦେଇଆସିଛନ୍ତି ।
ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ସହ ଏହାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି । ସଚ୍ଚୋଟତା , ବୃତ୍ତିିଗତ ନିଷ୍ଠା ତଥା ସମ୍ବେଦନଶୀଳତାକୁ ପ୍ରାଥମିକତା ଦେବା ସହ ତ୍ୱରିତ ପ୍ରୟାସ ମାଧ୍ୟମରେ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସବୃଦ୍ଧି କରିବା ନିମନ୍ତେ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ନାଗରିକଙ୍କ ଅଭିଯୋଗର ତ୍ୱରିତ ସମାଧାନ, ଉତ୍ତମ ଶାସନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଲୋକସେବାରେ ଶିଷ୍ଟାଚାର ଓ ଶୃଙ୍ଖଳାର ପାଳନ, ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଉପରେ ଶ୍ରୀ ପାଢ଼ୀ ଗୁରୁତ୍ୱ ଦେଇଛନ୍ତି ।
ନିଶାଦ୍ରବ୍ୟ ସେବନ ଉପରେ କଟକଣା, ଶୃଙ୍ଖଳା ଓ ଦୁର୍ନୀତିକୁ ନା’
ଅଫିସ ପରିସରରେ ଶୃଙ୍ଖଳା ଓ ଶିଷ୍ଟାଚାର ବଜାୟ ରଖିବା ନିମନ୍ତେ ଶ୍ରୀ ପାଢ଼ୀ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅଫିସ ପରିସରରେ ପାନ, ସିଗାରେଟ୍ କିମ୍ବା କୌଣସି ପ୍ରକାରର ମାଦକ ଦ୍ରବ୍ୟ ସେବନକୁ ସମ୍ପୂର୍ଣ୍ଣ ନିିଷିଦ୍ଧ କରାଯାଇଛି । ଯଦି କୌଣସି ଅଫିସର କିମ୍ବା କର୍ମଚାରୀ ଏହି ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ସରକାରୀ ସେବା ପ୍ରଦାନ ସମୟରେ ନିଷ୍ଠା ଓ ସମ୍ବେଦନଶୀଳତା ପ୍ରଦଶର୍ନ କରିବା ସହ ସାଧାରଣ ଜନତାଙ୍କ ସହ ଭଦ୍ର ଆଚରଣ କରିବାକୁ ପରାମର୍ଶ ଦେଇଛନ୍ତି ।
ରାଜସ୍ୱ ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ‘ଜିରୋ ଟୋଲେରାନ୍ସ\' ନୀତି ଆପଣାଇବାକୁ ବିଭାଗ ନିଷ୍ପତ୍ତି ନେଇଛି ବୋଲି ସେ ସୂଚନା ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । ଆଉ ସଚ୍ଚୋଟ ଓ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି ।
ବାସ୍ତବ ସ୍ଥିତିର ଅନୁଧ୍ୟାନ ପାଇଁ ସେ ନିଜେ ବିଭିନ୍ନ ସମୟରେ ତହସିଲ ଓ ଜିଲ୍ଲା କାର୍ଯ୍ୟାଳୟ ଗୁଡ଼ିକରେ ଅଚାନକ ଚଢ଼ାଉ କରିବେ ବୋଲି ସଙ୍କେତ ଦେଇଛନ୍ତି । ତେବେ ଦୁର୍ନୀତିର ପ୍ରାଣକେନ୍ଦ୍ର ପାଲଟିଥିବା ତହସିଲ ଓ ସବରେଜିଷ୍ଟ୍ରାର ଅଫିସଗୁଡ଼ିକୁ କେବେସୁଦ୍ଧା ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବାରେ ଅରବିନ୍ଦ ସକ୍ଷମ ହେଉଛନ୍ତି ତାହା ଦେଖିବା ବାକି ରହିଲା?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
