Advertisment

Vigilance Trap: ଲାଞ୍ଚ ନଦେଲେ କାମ ହେବନି କହିଥିବା ଆରଆଇ ଭିଜିଲାନ୍ସ ଜାଲରେ ପଡ଼ିଲେ

ଭିଜିଲାନ୍ସର ଯୋଜନା ପ୍ରକାରେ ଜମି ମାଲିକ ଆଜି ଆରଆଇଙ୍କୁ ୧୦ ହଜାର ଟଙ୍କା ଦେଇଥିଲା। ଆରଆଇ ସେହି ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଆରଆଇଙ୍କୁ ଧରିଥିଲେ।

author-image
Jitendra Garnayak
RI

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ସଦର ତହସିଲ ଅନ୍ତର୍ଗତ କଖଡ଼ି ରାଜସ୍ୱ ନିରୀକ୍ଷକ (ଆରଆଇ) ଜାନକୀ ରଞ୍ଜନ ମଲ୍ଲିକ।ଏକ ମ୍ୟୁଟେସନ ମାମଲାରେ ସେ ଜଣେ ଜମି ମାଲିକଙ୍କଠାରୁ ଏହି ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ। 

Advertisment

ଜମି ମାଲିକ ଜଣଙ୍କ ଅନ୍‌ଲାଇନ୍‌ରେ ମ୍ୟୁଟେସନ ମାମଲା ରୁଜୁ କରିବା ସହିତ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ଜାନୁଆରୀ ୨୭ ତାରିଖରେ ମ୍ୟୁଟେସନ ମାମଲାର ଶୁଣାଣି କରିବାକୁ ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଦିନ ଧାର୍ଯ୍ୟ କରିଥିଲେ। ତା’ପୂର୍ବରୁ ୨୦ ତାରିଖରେ ଆସି ଆରଆଇ ଅଫିସରେ ରିପୋର୍ଟ କରିବାକୁ ସେ ଜମି ମାଲିକଙ୍କୁ କହିଥିଲେ। ଦୁଇ ଦିନ ତଳେ ଅର୍ଥାତ୍ ୨୦ ତାରିଖରେ ଜମି ମାଲିକ ଆରଆଇଙ୍କୁ ତାଙ୍କ ଅଫିସରେ ଭେଟିଥିଲେ।

ମ୍ୟୁଟେସନ ମାମଲାରେ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଆରଆଇ ଶ୍ରୀ ମଲ୍ଲିକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଜମି ମାଲିକ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଆରଆଇ ଶ୍ରୀ ମଲ୍ଲିକ ତାଙ୍କ ଦାବିରୁ ହଟି ନଥିଲେ। ୧୦ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି କହିଥିଲେ। ଅନ୍ୟକୌଣସି ଉପାୟ ନପାଇ ଜମି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

Advertisment

ଭିଜିଲାନ୍ସର ଯୋଜନା ପ୍ରକାରେ ଜମି ମାଲିକ ଆଜି ଆରଆଇ ଜାନକୀ ରଞ୍ଜନ ମଲ୍ଲିକଙ୍କୁ ୧୦ ହଜାର ଟଙ୍କା ଦେଇଥିଲା। ଆରଆଇ ସେହି ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଆରଆଇ ଶ୍ରୀ ମଲ୍ଲିକଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।

 ଆରଆଇ ଶ୍ରୀ ମଲ୍ଲିକ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଏହି ଘଟଣାକୁ ନେଇ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।