Advertisment

Revived After 5 Years: ୧୧ରୁ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ, ୧୨ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

୧୧ତାରିଖରୁ ଦୁଇଦିନିଆ ୬୪ତମ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ Odisha Policeର ସମସ୍ତ ଜିଲ୍ଲା ଏସପି, ରେଞ୍ଜ ଡିଆଇଜି ଓ ଆଇଜିଙ୍କ ସମେତ ଶୀର୍ଷସ୍ତରର ଅଫିସରମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Police-meet
Advertisment

ପ୍ରାୟ ଦୀର୍ଘ ୫ବର୍ଷ ପରେ ଆସନ୍ତା ୧୧ତାରିଖରେ ରାଜ୍ୟ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୨୧ ଡିସେମ୍ବର ମାସରେ ଶେଷଥର ପାଇଁ ୬୩ତମ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ହୋଇଥିବାବେଳେ ବର୍ତ୍ତମାନର ମୋହନ ମାଝୀଙ୍କ ସରକାରରେ ଦୁଇଥର ଏହି ସମ୍ମିଳନୀ ପାଇଁ ତାରିଖ ଧାର୍ଯ୍ୟ ହୋଇ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ କରିଦିଆଯାଇଥିଲା ବୋଲି ଜଣାପଡ଼ିଛି । ତେବେ ୧୧ତାରିଖରୁ ଦୁଇଦିନିଆ ୬୪ତମ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ Odisha Policeର ସମସ୍ତ ଜିଲ୍ଲା ଏସପି, ରେଞ୍ଜ ଡିଆଇଜି ଓ ଆଇଜିଙ୍କ ସମେତ ଶୀର୍ଷସ୍ତରର ଅଫିସରମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ମିଳନୀର ଶେଷଦିନରେ ଅର୍ଥାତ୍ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ।ସମ୍ମିଳନୀ ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ କାର୍ଯ୍ୟସୂଚୀ ଜାରି ହୋଇଛି।

Advertisment


ଶେଷଦିନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ସୂଚନା ଅନୁସାରେ ଏହି ସମ୍ମିଳନୀ ଭୁବନେଶ୍ୱରସ୍ଥିତ ପୁଲିସ ଭବନର କନଭେନସନ୍ ହଲରେ ଅନୁଷ୍ଠିତ ହେବ । ପୁଲିସ ଡିଜି ୱାଇବି ଖୁରାନିଆ ୧୧ତାରିଖ ସକାଳ ୧୦ଟାରେ ଏହି ସମ୍ମିଳନୀକୁ ଉଦଘାଟନ କରିବା ସହ ପ୍ରାରମ୍ଭିକ ଅଭିଭାଷଣ ରଖିବେ। ପୂର୍ବାହ୍ନ ସାଢ଼େ ୧୦ଟାରୁ ଗୁଇନ୍ଦା ଡିଜି ଆରପି କୋଚେ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ଓ ଭବିଷ୍ୟତର ଆହ୍ୱାନ ଉପରେ ପ୍ରାୟ ୪୫ମିନିଟ୍ ଧରି ତଥ୍ୟ ଉପସ୍ଥାପନ କରିବେ। ତାଙ୍କପରେ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା) ସଞ୍ଜୟ କୁମାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଓ କ୍ରାଇମବ୍ରାଂଚ ଡିଜି ବିନୟତୋଷ ମିଶ୍ର ରାଜ୍ୟରେ ପରିବର୍ତ୍ତିତ ଅପରାଧିକ ଚିତ୍ର ଉପସ୍ଥାପନ କରିବେ। 

ସେହିପରି ଅତିରିକ୍ତ ଡିଜି(ନକ୍ସଲ ମୁକାବିଲା) ସଞ୍ଜିବ କୁମାର ପଣ୍ଡା ଦିନ ୧ଟାରୁ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଓଡ଼ିଶାକୁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ମାଓମୁକ୍ତ କରିବା ନିମନ୍ତେ ଚୂଡ଼ାନ୍ତ ରଣନୀତି ଉପସ୍ଥାପନ କରିବେ । ଅପରାହ୍ନରେ ସଶସ୍ତ୍ର ପୁଲିସ ବାହିନୀର ଶକ୍ତି ବୃଦ୍ଧି ସହ ଭିଜିଲାନ୍ସ, ଜେଲ୍ ଓ ଅଗ୍ନିଶମ ସେବା ବିଭାଗର କାର୍ଯ୍ୟଶୈଳୀ ଉପରେ ବିଚାରବିମର୍ଶ ହେବ । ସନ୍ଧ୍ୟାରେ ବିଭିନ୍ନ ୱାର୍କିଂ ଗ୍ରୁପ୍ ମାଧ୍ୟମରେ ଭାରତୀୟ ନ୍ୟାୟ ସଂହିତାର ପ୍ରୟୋଗ, ସାଇବର ଅପରାଧ ତଦନ୍ତରେ ଏଆଇର ବ୍ୟବହାର ଓ ନିଶାମୁକ୍ତ ଭାରତ ଅଭିଯାନ ଉପରେ ମଧ୍ୟ ବିଚାରବିମର୍ଶ ହେବ ବୋଲି ଜଣାପଡ଼ିଛି ।

Advertisment

ସେହିପରି ଦ୍ୱିତୀୟ ଦିନ ଅର୍ଥାତ୍ ୧୨ତାରିଖ ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀ ସ୍ଥଳରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ଦିନତମାମ ଚାଲିବାକୁ ଥିବା ବିଭିନ୍ନ ଅଧିବେଶନରେ ରାୟପୁରଠାରେ ୨୦୨୫ରେ ଅନୁଷ୍ଠିତ ହୋଇଥିବା ଜାତୀୟ ପୁଲିସ ଡିଜି ସମ୍ମିଳନୀର ସୁପାରିଶଗୁଡ଼ିକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏଥିରେ ଅପରାଧ, ଗୁଇନ୍ଦା ବ୍ୟବସ୍ଥା, ମାଓବାଦୀ ସମସ୍ୟା ଓ ବିପର୍ଯ୍ୟୟ ପ୍ରଶମନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟର ଅନୁପାଳନ ରିପୋର୍ଟ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଦୁଇଥର ବାତିଲ ପରେ ଚୂଡ଼ାନ୍ତ ହୋଇଛି ତାରିଖ

ଓଡ଼ିଶା ପୁଲିସରେ ପ୍ରତିବର୍ଷ ବରିଷ୍ଠ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହେବାର ପରଂପରା ରହିଥାଏ । କିନ୍ତୁ ଗତ ୫ବର୍ଷ ଧରି ବିଭିନ୍ନ କାରଣରୁ ଏହି ସମ୍ମିଳନୀ ଆୟୋଜନ ଉପରେ ଓଡ଼ିଶା ପୁଲିସ ବିଶେଷ ଗୁରୁତ୍ୱ ଦେଉନଥିବା ଜଣାପଡ଼ିଛି । ୨୦୨୧ ଡିସେମ୍ବର ମାସରେ ଶେଷଥର ପାଇଁ ୬୩ତମ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗତ ବିଜେଡି ସରକାର ଓ ଏବେ ୧୯ମାସର ବିଜେପି ସରକାର ଅମଳରେ ଏହି ସମ୍ମିଳନୀ ଆୟୋଜନ ସମ୍ଭବପର ହୋଇପାରିନଥିଲା ।

ଅବଶ୍ୟ ମୋହନ ସରକାର କ୍ଷମତାକୁ ଆସିବା ପରେ ପ୍ରଥମେ ୨୦୨୫ ଅଗଷ୍ଟ ୨୨ ଓ ୨୩ତାରିଖରେ ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ନିମନ୍ତେ ତାରିଖ ଓ ସ୍ଥାନ ଚୂଡ଼ାନ୍ତ ହେବା ସହ ଦୁଇଜଣ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନୁପ କୁମାର ସାହୁଙ୍କୁ  ଆୟୋଜନର ଦାୟିତ୍ୱ ନ୍ୟସ୍ତ ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଦିଆଗଲା।

ପୁଣିଥରେ ୨୦୨୬ ଜାନୁୟାରୀ ୧୭ରେ ଏହି ସମ୍ମିଳନୀ ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଥିଲା । ଏହାକୁ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ କରିଦିଆଯାଇଥିଲା। ଏବେ ପୁନର୍ବାର ଫେବୃୟାରୀ ୧୧ ଓ ୧୨ତାରିଖ ଦୁଇଦିନ ଧରି ଏହି ସମ୍ମିଳନୀ ନିମନ୍ତେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଜେଡି ସରକାର ୨୦୨୧ ମସିହା ପରେ ବିଭିନ୍ନ କାରଣ ଦର୍ଶାଇ ଏହି ବରିଷ୍ଠ ପୁଲିସ ଅଫିସର୍ସ ସମ୍ମିଳନୀ ଆୟୋଜନ ନିମନ୍ତେ ଅନୁମତି ଦେଉନଥିଲେ । ଯାହାକୁ ୨୦୨୪ ଜୁନରେ କ୍ଷମତାସୀନ ହୋଇଥିବା ବର୍ତ୍ତମାନର ମୋହନ ସରକାର ମଧ୍ୟ ଜାରି ରଖିଥିଲେ । କିନ୍ତୁ ପୁଲିସ ମୁଖ୍ୟାଳୟ ଦୁଇ ଦୁଇଥର ତାରିଖ ଚୂଡ଼ାନ୍ତ କରି ଫେଲ୍ ମାରିବା ପରେ ଶେଷରେ ଫେବୃୟାରୀ ୧୧ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।

Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe