୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ନିର୍ମାଣ କରିଥିବା ‘ପଥପ୍ରାନ୍ତ ସୁବିଧା କେନ୍ଦ୍ର’(ୱେସାଇଡ୍ ଆମିନିଟିଜ୍ ସେଂଟର) କଥା ଏବେ ପୁଣି ସାଧାରଣ ନିର୍ବାଚନ ଆସୁଥିବାରୁ ମନେପଡ଼ିଛି । ଦୀର୍ଘ ୫ ବର୍ଷରୁ ଅଧିକ ଧରି ଏସବୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ରକ୍ଷଣାବେକ୍ଷଣ ଅଭାବରୁ ‘ଭୂତକୋଠି’ ଭଳି ପକାଇ ରଖିଥିବା ରାଜ୍ୟ ସରକାର ଏବେ ଏହାକୁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରି ନିର୍ବାଚନୀ ଫାଇଦା ହାସଲ କରିବାକୁ ପ୍ରୟାସ କରିଛନ୍ତି । ତେବେ ବାରମ୍ବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସତ୍ତ୍ୱେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଗୁଡ଼ିକୁ ‘ମିଶନ ଶକ୍ତି’ ବିଭାଗକୁ ହସ୍ତାନ୍ତର କରିବାରେ ପୂର୍ତ୍ତ ବିଭାଗ ସକ୍ଷମ ହୋଇପାରିନି । ଏସବୁ କେନ୍ଦ୍ରକୁ ହସ୍ତାନ୍ତର ପାଇଁ ବିଭାଗ ବାରମ୍ବାର ଦିନ ଗଡ଼ାଇବାରେ ଲାଗିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ଅନ୍ୟ ରାଜ୍ୟଗୁଡ଼ିକରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ‘ପଥପ୍ରାନ୍ତ ସୁବିଧା କେନ୍ଦ୍ର’ ରହିଥିବା କଥା କହି ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଏହାର ନିର୍ମାଣ ନିମନ୍ତେ ନିଷ୍ପତ୍ତି ନେଲେ । ସ୍ଥାନୀୟ ପ୍ରଶାସନ ମାଗଣାରେ ଜାଗା ଯୋଗାଇ ଦେବା ପରେ ପୂର୍ତ୍ତ ବିଭାଗ ପ୍ରତ୍ୟେକଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପାଇଁ ୧.୧୦କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରି ଏହାର ନିର୍ମାଣ କଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଅଗଷ୍ଟ ମାସରେ ଏସବୁର ଲୋକାର୍ପଣ କଲେ । ୨୦୧୮ ସେପ୍ଟେମ୍ବର ମାସରୁ ଏହା କାର୍ଯ୍ୟକ୍ଷମ ହେବ ବୋଲି ସରକାର ଘୋଷଣା କଲେ । ମାତ୍ର ତାହା ସମ୍ଭବପର ହେଲାନି । ପରବର୍ତ୍ତୀ ସମୟରେ ପର୍ଯ୍ୟଟନ ବିଭାଗକୁ ଏସବୁ ‘ପଥପ୍ରାନ୍ତ ସୁବିଧାକେନ୍ଦ୍ର’ ହସ୍ତାନ୍ତର କରି ତା’ର ପରିଚାଳନା ଭାର ଦେବାକୁ ସରକାର ସ୍ଥିର କଲେ । ପର୍ଯ୍ୟଟନ ବିଭାଗ ମଧ୍ୟ ପିପିପି ମୋଡରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଲା । କିନ୍ତୁ ଆନ୍ତରିକତା ଅଭାବରୁ ତାହା ସଫଳ ହେଲାନି । ଆଉ ସେହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଗୁଡ଼ିକ ଭୂତକୋଠି ଭଳି ପଡ଼ି ରହିଲା । ୨୦୨୨ ଅକ୍ଟୋବର ମାସରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସେସବୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଭାର ମିଶନଶକ୍ତି ବିଭାଗକୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ହେଲା । ପୂର୍ତ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ସେସବୁର ମରାମତି ସାରି ମିଶନ ଶକ୍ତି ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ସମୟ ବି ଧାର୍ଯ୍ୟ ହେଲା । କିନ୍ତୁ ତାହା ଧାର୍ଯ୍ୟ ସମୟରେ ହସ୍ତାନ୍ତର ହୋଇପାରିଲା ନାହିଁ । ପୁଣିଥରେ ୨୦୨୩ ଫେବୃୟାରୀ ମାସରେ ଉଚ୍ଚସ୍ତରୀୟ ବୈଠକ ବସି ଏହି ପଥପ୍ରାନ୍ତ ସୁବିଧାକେନ୍ଦ୍ରଗୁଡ଼ିକୁ ଏପ୍ରିଲ ପହିଲା ସୁଦ୍ଧା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଗଲା । ପୁନର୍ବାର ଏପ୍ରିଲ ୫ତାରିଖରେ ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନଙ୍କ ଅଧ୍ୟକ୍ଷତାରେ ବୈଠକ ବସି ମେ’ ୨୦ତାରିଖ ପୂର୍ବରୁ ଏସବୁ କେନ୍ଦ୍ରଗୁଡ଼ିକର ମରାମତି କାର୍ଯ୍ୟ ଶେଷ କରି ହସ୍ତାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।
ତେବେ ପ୍ରଶ୍ନ ଉଠୁଛି, କୋଟି କୋଟି ଟଙ୍କା ବ୍ୟୟ କରି ରାଜପଥ କଡ଼ରେ ନିର୍ମିତ ହୋଇଥିବା ଏସବୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ସରକାର କାହିଁକି ପ୍ରଥମରୁ ପିପିପି ମୋଡରେ ପରିଚାଳନା ଦାୟିତ୍ୱ ଦେଲେନି । ଏବେ ୫ବର୍ଷ ଧରି ଭୂତକୋଠି କରି ପକାଇ ରଖିବାକୁ କିଏ ନିଷ୍ପତ୍ତି ନେଇଥିଲା? ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏହାର ଦାୟିତ୍ୱ ଦେବାରେ ଅସୁବିଧା ଥିଲା କେଉଁଠି? ଯଦି ଏସବୁ ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ହେବନି ବୋଲି ସରକାର ଭାବୁଛନ୍ତି ତା’ହେଲେ ମିଶନ ଶକ୍ତିର ମହିଳା ଏସଏଚଜିମାନେ ଏସବୁର ପରିଚାଳନା ଭାର କେମିତି ତୁଲାଇବେ? ବ୍ୟବସାୟିକ ଦୃଷ୍ଟିରୁ ସେମାନେ କିଭଳି ଲାଭବାନ ହେବେ? ସେମାନଙ୍କ ଉପରେ କ’ଣ ସରକାର ଏହି ଭୂତକୋଠିଗୁଡ଼ିକର ବୋଝ ଲଦି ଦେଇ ବାହାବା ନେବାକୁ ଲକ୍ଷ୍ୟ ରଖିଛନ୍ତି କି?
ସୂଚନାଯୋଗ୍ୟ, ରାଜ୍ୟର ୨୩ଟି ଜିଲ୍ଲାର ଉଭୟ ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ୩୯ଟି ସ୍ଥାନରେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇଛି। ଏଥିରେ ରେଷ୍ଟରୁମ୍, କାଫେ, ରାତିରେ ରହିବା ପାଇଁ ରୁମ୍, ରିଟେଲ ସପ୍, ଗାଡ଼ି ପାର୍କିଂ ଓ ଏଟିଏମ୍ ଆଦିର ସୁବିଧା ମଧ୍ୟ ରହିଛି । ରାଜପଥରେ ଯାତାୟତ କରୁଥିବା ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇଥିଲା। ଅନୁଗୋଳ ଜିଲ୍ଲାର ଯଦୁପୁର ଓ ନାକଚି, ବଲାଙ୍ଗିର ଜିଲ୍ଲାର ଦୁର୍ଗାଗତି ଓ ବଙ୍ଗୋମୁଣ୍ଡା, ବରଗଡ଼ ଜିଲ୍ଲାର ସମରଧରା ଓ ବରପାଲି, ବୌଦ୍ଧ ଜିଲ୍ଲାର ବୌଦ୍ଧ, କଟକ ଜିଲ୍ଲାର ଅଭିମାନପୁର, ଜଟାମୁଣ୍ଡିଆ ଛକ, ବାଲିଚନ୍ଦ୍ରପୁର ଓ ଖେମା, ଦେବଗଡ଼ ଜିଲ୍ଲାର ତିଳେଇବାଣି ଓ ତେଲିମୁଣ୍ଡା, ଢେଙ୍କାନାଳ ଜିଲ୍ଲାର କପିଳାସ, ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଜଗତସିଂହପୁର ଜିଲ୍ଲାର ଜଇପୁର, ଝାରସୁଗୁଡ଼ା ଜିଲ୍ଲାର କୁରେମାଲ, କଳାହାଣ୍ଡି ଜିଲ୍ଲାର ବୋରଦା, ରଙ୍ଗାପଦର,ଚଂଚଡ଼ା ଭାଡ଼ି, କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ବଜାର, ନୂଆପଡ଼ା ଜିଲ୍ଲାର ଘତିପଡ଼ା, କୋରାପୁଟ ଜିଲ୍ଲାର ହାଣ୍ଡିଆପୁଟ ଓ ଡୁମୁରିପୁଟ, ମୟୂରଭଞ୍ଜ ଜିଲ୍ଲାର ଝିଙ୍କପଡ଼ା, ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, ନୟାଗଡ଼ା ଜିଲ୍ଲାର ଘଷାଦେଇପୁର, ଯାଜପୁର ଜିଲ୍ଲାର ଡୁବୁରି ଓ ଷଠିପୁର, କନ୍ଧମାଳ ଜିଲ୍ଲାର କଳିଙ୍ଗ,ଦାରିଙ୍ଗିବାଡ଼ି ଓ କେ.ନୂଆଗାଁ, ପୁରୀ ଜିଲ୍ଲାର ଚନ୍ଦ୍ରମଉଳି, ରାୟଗଡ଼ା ଜିଲ୍ଲାର କାଶୀପୁର ଓ ବିକ୍ରମପୁର, ସୁନ୍ଦରଗଡ଼ ଜିଲ୍ଲାର ବିରିତୋଳ ଓ ଖଣ୍ଡାଧାର ଏବଂ ସମ୍ବଲପୁର ଜିଲ୍ଲାର ଚାରମାଳ ଓ ଧମାଠାରେ ଏହି ସବୁ ଅତ୍ୟାଧୁନିକ ପଥପ୍ରାନ୍ତ ସୁବିଧାକେନ୍ଦ୍ର ରହିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।