File Photo
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ତତକାଳୀନ ସଚିବ ଭିକେ ପାଣ୍ଡିଆନଙ୍କ ରୋମ ଓ ଜାପାନ ଗସ୍ତକୁ ନେଇ ବିବାଦ ପିଛା ଛାଡ଼ୁନି । କିଛିଦିନର ବ୍ୟବଧାନ ପରେ ଆଜି ପୁଣିଥରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ସାଂଘାତିକ ଅଭିଯୋଗ ଅଣାଯିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ରାଜ୍ୟବାସୀଙ୍କ ଟିକସ ଅର୍ଥରେ ଏଭଳି ବିଦେଶ ଗସ୍ତକୁ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଓସା ଦାବି କରିବା ସହ ବିଧାନସଭା ଅଧିବେଶନବେଳେ ଏହି ପ୍ରସଙ୍ଗ ଉଠାଇବାକୁ ବିଧାୟକମାନଙ୍କୁ ନିବେଦନ କରିଛି । ଓସା ଆବାହକ ପ୍ରଦୀପ କୁମାର ପ୍ରଧାନ ଓ ତାଙ୍କର ଅନ୍ୟ ସହଯୋଗୀମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ଅଭିଯୋଗ ଆଣିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
୬ଦିନ ଇଟାଲୀରେ କାହିଁକି ରହିଥିଲେ?
ଓସା ଆବାହକ ଶ୍ରୀ ପ୍ରଧାନ(RTI activist Pradeep Pradhan) ଅଭିଯୋଗ କରିଛନ୍ତି ଯେ,ରୋମ ଗସ୍ତବେଳେ ପୋପଙ୍କୁ ଭେଟିଥିବା ନବୀନ, ପାଣ୍ଡିଆନ ଓ ତତକାଳୀନ ଆବାସିକ କମିଶନର ରବିକାନ୍ତ ୬ଦିନ ଧରି ଇଟାଲୀରେ କ’ଣ କରୁଥିଲେ । ଏହି ଗସ୍ତ ସମୟରେ ହୋଇଥିବା ବିପୁଳ ଖର୍ଚ୍ଚର କୌଣସି ତଥ୍ୟ ସରକାରୀ ବିଭାଗ ପାଖରେ ନାହିଁ । ପ୍ରାୟ ୮୨ ଲକ୍ଷ ଟଙ୍କାର ହୋଟେଲ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଛି । ଯଦି ଏହା ସରକାରୀ ଗସ୍ତ ଥିଲା ତେବେ ସରକାରୀ ଦସ୍ତାବିଜରେ ଏହାର ପ୍ରମାଣ କାହିଁକି ନାହିଁ । ବିଦେଶ ଗସ୍ତର ଏହି ଖର୍ଚ୍ଚ କେଉଁ ଏଜେନ୍ସି ମାଧ୍ୟମରେ କରାଯାଇଛି ଓ କିଏ ଏହି ଅର୍ଥ ପ୍ରଦାନ କରିଛି, ତା’ର ଖୋଳତାଡ଼ ହେବା ଜରୁରୀ ବୋଲି ସେ ଦାବି କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇଟାଲୀ ଗସ୍ତ ପାଇଁ ପ୍ରାୟ ୮୨ ଲକ୍ଷ ଟଙ୍କା ଓ ଜାପାନ ଗସ୍ତ ପାଇଁ ପ୍ରାୟ ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି ତାହାର ହିସାବ ମିଳୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ପାଣ୍ଡିଆନଙ୍କର ରୋମ୍ ରହଣି ସମୟର କୌଣସି ହୋଟେଲ ବିଲ୍ କାହାରି ପାଖରେ ନାହିଁ । ସେ ତତକାଳୀନ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ରୁମରେ ରହୁଥିଲେ କି ନାହିଁ କିମ୍ବା ଅନ୍ୟ କେଉଁଠି ରହୁଥିଲେ? ଜାପାନ ଗସ୍ତ ସମୟରେ କେତେକ ଦିନର କାର୍ଯ୍ୟସୂଚୀ କାହିଁକି ଗାଏବ କରାଯାଇଥିଲା।
ସରକାରୀ ସ୍ତରରେ ଏହାର କୌଣସି ରେକର୍ଡ ନଥିବାବେଳେ ବାହାର ସଂସ୍ଥା ଦ୍ୱାରା ହୋଟେଲ ବୁକିଂ ହେବା ଏକ ବଡ଼ ଦୁର୍ନୀତି ଆଡ଼କୁ ଇସାରା କରୁଛି। ଏହି ଗସ୍ତଗୁଡ଼ିକ ବ୍ୟକ୍ତିଗତ ନା ସରକାରୀ କାମ ହୋଇଥିଲା, ତାହା ସ୍ପଷ୍ଟ କରିବାକୁ ସରକାରଙ୍କ ନିକଟରେ ଓସା ଦାବି କରିଛି।
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି
ଓସା ଅଭିଯୋଗ କରିଛି ଯେ, ନବୀନ ଓ ପାଣ୍ଡିଆନ ଏକ ସ୍ୱତନ୍ତ୍ର ଫ୍ଲାଇଟରେ କାହିଁକି ବିଦେଶ ଗସ୍ତ କରିଥିଲେ । ସିଙ୍ଗାପୁର ଦେଇ ଆସିବାବେଳେ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଭଡ଼ା ସ୍ପେଶାଲ୍ ଫ୍ଲାଇଟ୍ ବାବଦରେ ଖର୍ଚ୍ଚ ହୋଇଛି । ଏହି ବିମାନ ବୁକିଂର ତଥ୍ୟ ରାଜ୍ୟ ପରିବହନ ବିଭାଗ ପାଖରେ ନାହିଁ । ଓଡ଼ିଶାର ଟଙ୍କା କେଉଁଠି ଓ କିଭଳି ଖର୍ଚ୍ଚ ହୋଇଛି, ତାହା ଜାଣିବାର ଅଧିକାର ସମ୍ପୂର୍ଣ୍ଣ ଭାବେ ରାଜ୍ୟବାସୀଙ୍କ ରହିଛି । ସେହି ପ୍ରଶ୍ନ ବିଧାନସଭାରେ ଉଠାଇବାକୁ ବିଧାୟକମାନଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି ।
ଏହି ସମଗ୍ର ଘଟଣାରେ ସ୍ୱଚ୍ଛତା ଆଣିବା ପାଇଁ ଓସା ପକ୍ଷରୁ ମୁଖ୍ୟ ସଚିବ, ପୁଲିସ ଡିଜି ଓ କ୍ରାଇମବ୍ରାଂଚ ଡିଜିଙ୍କୁ ଚିଠି ଲେଖି ତଦନ୍ତ ନିମନ୍ତେ ଅନୁରୋଧ କରାଯାଇଛି । ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ପୂର୍ବ ସରକାର ସମୟରେ ହୋଇଥିବା ଏହି ରହସ୍ୟମୟ ଖର୍ଚ୍ଚର ହିସାବ ସରକାରୀସ୍ତରରେ ଲୁଚାଇ ଦିଆଯାଇଛି । ଯାହାକି ଏକ ଗୁରୁତର ଅପରାଧ । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ରାଜ୍ୟବାସୀଙ୍କ ନିକଟରେ ବାସ୍ତବ ତଥ୍ୟ ରଖିବାକୁ ଓସା କର୍ମକର୍ତ୍ତାମାନେ ଦାବି କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us